ଆମେରିକାରେ ଛୋଟ ପିଲାଙ୍କୁ କୋଭାକ୍ସିନ ଟିକା ଦେବା ପାଇଁ OCUGEN କମ୍ପାନୀ ମାଗିଲା ଅନୁମତି

0
175

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ୱାଶିଂଟନ/ନୂଆଦିଲ୍ଲୀ,(୦୬/୧୧) : ଭାରତରେ ଅନୁମତି ପ୍ରାପ୍ତ ଭାରତ ବାୟୋଟେକର କୋଭାକ୍ସିନ ଟିକାକୁ ଆମେରିକାରେ ଛୋଟ ପିଲାଙ୍କୁ ଦିଆଯିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । କାରଣ ଆମେରିକା ଫାର୍ମା କମ୍ପାନୀ OCUGEN ୨ ରୁ ୧୮ ବର୍ଷ ବୟସ୍କଙ୍କୁ କୋଭାକ୍ସିନ ଟିକା ଦେବାକୁ ଚାହୁଁଛି । ଏଥି ପାଇଁ କମ୍ପାନୀ ଆମେରିକା ସରକାରଙ୍କ ନିକଟରେ ଆବେଦନ କରିଛି ।

ଯଦି ଆମେରିକା ସରକାର ଏହାକୁ ଅନୁମତି ଦିଅନ୍ତି, ତା’ହେଲେ ଭାରତ ପରେ ଆମେରିକାରେ ଛୋଟ ପିଲାଙ୍କୁ କୋଭାକ୍ସିନ ଟିକା ପ୍ରଦାନ କରାଯିବ । କୋଭାକ୍ସିନ କୁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ପ୍ରସ୍ତୁତ କରିଛି । ନିକଟରେ ପ୍ରାପ୍ତ ବୟସ୍କ ଙ୍କ ଉପରେ ଏହାର ଜରୁରୀ କାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଅନୁମତି ଦେଇଥିଲା ।

ଅନୁମତି ପୂର୍ବରୁ ହିଁ ଭାରତର ଲୋକମାନଙ୍କୁ ଏହି ଟିକା ଦିଆ ଯାଉଥିଲା । ଏବେ ୨ ବର୍ଷରୁ ଅଧିକ ବୟସ୍କଙ୍କୁ ଏହି ଟିକା ଦେବାକୁ ଭାରତ ସରକାର ଅନୁମତି ଦେଇଛନ୍ତି । ସେହିପରି ବିଶ୍ୱର ଅନ୍ୟ ୧୭ ଟି ଦେଶ ମଧ୍ୟ କୋଭାକ୍ସିନର ବ୍ୟବହାରକୁ ଗ୍ରୀନ ସିଗ୍ନାଲ ପ୍ରଦାନ କରିଛନ୍ତି । ଏବେ OCUGEN ଆମେରିକାରେ ଛୋଟ ପିଲାଙ୍କୁ ଏହି ଟିକାର ଡୋଜ୍‌ ଦେବାକୁ ଚାହୁଁଛି । କମ୍ପାନୀ ପକ୍ଷରୁ ବିଭିନ୍ନ ଦେଶରେ ଛୋଟ ପିଲାଙ୍କ ଉପରେ କରାଯାଇଥିବା ଟିକାର ଟ୍ରାଏଲ ତଥ୍ୟକୁ ଆମେରିକାର ଏଫଡିଏ ନିକଟରେ ଦାଖଲ କରାଯାଇଛି । ଆମେରିକାର ହୋଇଥିବା ଟ୍ରାଏଲରେ ୫୨୬ ଜଣ ଛୋଟ ପିଲା ସାମିଲ ହୋଇଥିଲେ ।

ସମସ୍ତଙ୍କୁ ୨୮ ଦିନର ବ୍ୟବଧାନରେ ଟିକାର ଦୁଇଟି ଯାକ ଡୋଜ୍‌ ଦିଆଯାଇଥିଲା । ଭାରତରେ ମଧ୍ୟ ୨୫,୮୦୦ ପିଲାଙ୍କ ଉପରେ ଏହାର ପରୀକ୍ଷା କରାଯାଇଥିଲା । ପରୀକ୍ଷା ବେଳେ ଟିକା ନେଇଥିବା ପିଲାମାନଙ୍କ ଶରୀରରେ କରୋନା ବିରୋଧୀ ଆଣ୍ଟିବଡି ସୃଷ୍ଟି ହେଉଥିବା ଜଣାପଡ଼ିଛି ।

ସେହିପରି ଟିକା ନେବା ପରେ ପ୍ରାପ୍ତ ବୟସ୍କ ଙ୍କ ଶରୀରରେ ଯେଉଁ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି, ଛୋଟ ପିଲାଙ୍କ ଶରୀରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଏସବୁ ର ତଥ୍ୟ OCUGEN ଆମେରିକାର ଏଫଡିଏ ପାଖରେ ଦାଖଲ କରିଛି । ଏହାକୁ ସମୀକ୍ଷା କରିବା ପରେ ଏଫଡିଏ ଟିକାର ବ୍ୟବହାର ଛୋଟ ପିଲାମାନଙ୍କ ଉପରେ ହେବ କି ନାହିଁ, ତା’ର ନିଷ୍ପତ୍ତି ନେବ ।