Friday, March 29, 2024

Top 5 This Week

Related Posts

ଆସନ୍ତା ୧୫ ତାରିଖରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଗୃହ ଶିକ୍ଷାଦାନ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୧/୧୧) : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଷଷ୍ଠ ଓ ସପ୍ତମ ଶ୍ରେଣୀ ଆସନ୍ତା ୧୫ ତାରିଖରୁ ଖୋଲିବ । ଇଂରାଜୀ ମାଧ୍ୟମ ସହ ଘରୋଇ ବିଦ୍ୟାଳୟ ମଧ୍ୟ ଖୋଲି ପାରିବ ।

ଆସନ୍ତା ୧୫ ତାରିଖରୁ ପୂର୍ବାହ୍ନ ୯ ଟା ୩୦ ରୁ ଅପରାହ୍ଣ ୧ ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଙ୍କୁ ଶ୍ରେଣୀ ଗୃହରେ ପାଠ ପଢ଼ାଯିବ । ରବିବାର ଓ ସରକାରୀ ଛୁଟି ଦିବସରେ ବିଦ୍ୟାଳୟ ବନ୍ଦ ରହିବ । ଛାତ୍ରଛାତ୍ରୀଙ୍କ ପାଇଁ ଉପସ୍ଥାନ ବାଧ୍ୟତାମୂଳକ କରାଯାଇନି । ବିଦ୍ୟାର୍ଥୀ ସେମାନଙ୍କ ଅଭିଭାବକ ଙ୍କ ଅନୁମତି ନେଇ ବିଦ୍ୟାଳୟ ଆସି ପାରିବେ । ଯେଉଁ ଛାତ୍ରଛାତ୍ରୀ ବିଦ୍ୟାଳୟ ନ ଆସିବେ ସେମାନେ ଘରେ ରହି ଅନ୍‌ଲାଇନ୍‌ (ସଞ୍ଚାର ଜରିଆରେ) ପାଠ ପଢ଼ିପାରିବେ ।

ଏ ନେଇ ବୁଧବାର ଘୋଷଣା କରିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିଭାଗ ପକ୍ଷରୁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା), ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦେଶକ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି । ବିଭାଗର ଅତିରିକ୍ତ ଶାସନ ସଚିବ ଡ. ପ୍ରତାପ କୁମାର ମିଶ୍ର ଏନେଇ ଚିଠି ଲେଖିଛନ୍ତି ।

ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଅନୂସୁଚିତ ଜାତି ଏବଂ ଜନଜାତି ବିଭାଗର ସମସ୍ତ ବିଦ୍ୟାଳୟର ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଆସନ୍ତା ୧୫ ତାରିଖରୁ ପାଠପଢ଼ା ଆରମ୍ଭ ହେବ । ବିଦ୍ୟାଳୟ ସହ ଛାତ୍ରାବାସ/ଛାତ୍ରୀନିବାସ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ଛାତ୍ରାବାସ/ଛାତ୍ରୀନିବାସ କର୍ତ୍ତୃପକ୍ଷ ଶୌଚାଳୟ ସଫା ରଖିବା ସହ ବିଦ୍ୟାର୍ଥୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଓ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ବିଦ୍ୟାର୍ଥୀ ଙ୍କ ବସିବା ସ୍ଥାନ ମଧ୍ୟରେ ଦୂରତା ସହ ବେଞ୍ଚକୁ ବିଶୋଧନ କରିବାକୁ କୁହାଯାଇଛି ।

ବିଦ୍ୟାଳୟ ପରିସରକୁ ୧୫ ତାରିଖ ପୂର୍ବରୁ ସଫା କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ସମେତ ଅନ୍ୟ ପଦାଧିକାରୀ ବିଦ୍ୟାଳୟ ଖୋଲିବା ପୂର୍ବରୁ ସ୍ଥିତି ପରଖିବେ । ବିଦ୍ୟାଳୟ ଯାଇ ସଫେଇ ଓ ସ୍ୱଚ୍ଛତା ଯାଞ୍ଚ କରିବେ ଅଧିକାରୀ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରୋନା କଟକଣାକୁ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ପାଳନ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

Popular Articles