ମିଶନ ଶକ୍ତି ଗୋଷ୍ଠୀ ଙ୍କୁ ଅଧିକ ସରକାରୀ କାମ ଦେବା ସହ ପାରିଶ୍ରମିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0
129

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୮/୧୧) : ରାଜ୍ୟରେ ମହିଳା ମାନଙ୍କ ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ମିଶନ ଶକ୍ତି ଗୋଷ୍ଠୀ ଙ୍କୁ ସରକାରୀ କାମ ଯୋଗାଇ ଦେବା ଏହାର ଏକ ପ୍ରମୁଖ ମାଧ୍ୟମ ।

ଏହାକୁ ଦୃଷ୍ଟିରେ ରଖି ଆମର ସବୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉ । ରାଜ୍ୟ ସରକାରଙ୍କ ସବୁ ବିଭାଗ ମାନେ ଏହାକୁ ମହିଳା ଆର୍ଥିକ ସଶକ୍ତିକରଣ ର ଏକ ଦିଗ ଭାବେ ଗ୍ରହଣ କରି କାମ କରନ୍ତୁ । ଆବଶ୍ୟକ ସ୍ଥଳେ ମିଶନ ଶକ୍ତି ଗୋଷ୍ଠୀ ଙ୍କୁ ପାରିଶ୍ରମିକ ମଧ୍ୟ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ମିଶନ ଶକ୍ତି ଗୋଷ୍ଠୀର ମାଁ ମାନଙ୍କୁ ବିଭିନ୍ନ ସରକାରୀ ବିଭାଗ କାମ ଯୋଗାଇ ଦେବା ସଂପର୍କରେ କୋଡ଼ିଏ ଟି ବିଭାଗ ର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ସବୁ ବିଭାଗ ମିଶନ ଶକ୍ତି ଗୋଷ୍ଠୀର ମାଁ ମାନଙ୍କୁ କାମ ଯୋଗାଇ ଦେବାପାଇଁ ଆଗାମୀ ୩ ବର୍ଷ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ।

ବୈଠକରେ ମିଶନ ଶକ୍ତି ବିଭାଗ କମିଶନର-ତଥା-ସଚିବ ଶ୍ରୀମତୀ ସୁଜାତା କାର୍ତ୍ତେକେୟ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ଏହି ଉପସ୍ଥାପନା ଅନୁଯାୟୀ ୧୩ ଟି ବିଭାଗ ୨୦୨୦-୨୧ ଆର୍ଥିକ ବର୍ଷରେ ୧,୦୪,୭୧୨ ଟି ମିଶନ ଶକ୍ତି ଗୋଷ୍ଠୀର ମାଁ ମାନଙ୍କୁ ପ୍ରାୟ ୧୨୦୦ କୋଟି ଟଙ୍କା ର ବିଜିନେସ୍ ସରକାର ଯୋଗାଇ ଦେଇଛନ୍ତି । ମିଶନ ଶକ୍ତି ଗୋଷ୍ଠୀ ର ମାଁ ମାନେ ୨୯୬ କୋଟି ଟଙ୍କାର ରୋଜଗାର ପାଇଛନ୍ତି ।

ବୈଠକରେ ସବୁ ବିଭାଗ ମାନେ ଆଗାମୀ ୩ ବର୍ଷ ପାଇଁ ସେମାନଙ୍କର କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ବ୍ୟାଙ୍କ ସୁବିଧା ନ ଥିବା ଗ୍ରାମ ପଞ୍ଚାୟତ ଗୁଡିକରେ ମିଶନ ଶକ୍ତିର ମା ମାନଙ୍କୁ ବ୍ୟାଙ୍କ କରେସପଣ୍ଡେଟ ଭାବରେ ନିଯୁକ୍ତି ଦେବା ପାଇଁ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଦ୍ୱାରା ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟ ର ୬୭୯୮ ଟି ଗ୍ରାମ ପଞ୍ଚାୟତରୁ ମାତ୍ର ୨୧୪୯ ଟି ଗ୍ରାମରେ ବ୍ୟାଙ୍କ ଶାଖା ରହିଛି । ବାକି ୪୬୪୯ ଟି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ଶାଖା ନାହିଁ । ଏହିସବୁ ପଞ୍ଚାୟତରେ ମିଶନ ଶକ୍ତି ଗୋଷ୍ଠୀର ମାଁ ମାନଙ୍କୁ ବ୍ୟାଙ୍କ କରେସପଣ୍ଡେଟ ଭାବରେ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୧୨୬୨ ଟି ମିଶନ ଶକ୍ତି ଗୋଷ୍ଠୀର ମାଁ ମାନଙ୍କୁ ନିଯୁକ୍ତି ଦିଆସରିଛି ଏବଂ ଆଉ ୩୫୦୮ ଟି ମିଶନ ଶକ୍ତି ଗୋଷ୍ଠୀର ମାଁ ମାନଙ୍କ ଚୟନ ପ୍ରକ୍ରିୟା ଜାରି ରହିଛି ।

ନିଯୁକ୍ତି ପାଇଥିବା ମିଶନ ଶକ୍ତି ଗୋଷ୍ଠୀର ମାଁ ମାନଙ୍କୁ ତାଙ୍କ ବ୍ୟବସାୟରେ ସହାୟତା କରିବା ପାଇଁ ପ୍ରାରମ୍ଭିକ ଭାବରେ ସରକାରଙ୍କ ପକ୍ଷରୁ ମାସକୁ ୨୦୦୦ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଉଛି ବୋଲି ମିଶନ ଶକ୍ତି ସଚିବ ସୂଚନା ଦେଇଥିଲେ । ଟେକ୍ ହୋମ୍ ରାସନ, ଆହାର, ମାଛ ଚାଷ ଓ କୃଷି ଉତ୍ପାଦକ ଗୋଷ୍ଠୀ ଆଦି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମାଁ ମାନେ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ଜଣାଯାଇଛି ।

କୃଷି ବିଭାଗ, ଶକ୍ତି ବିଭାଗ, ମତ୍ସ୍ୟ ଓ ପଶୁସଂପଦ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆଦି ବିଭାଗର କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି ଏହାକୁ ଆହୁରି ଆଗେଇ ନେବା ପାଇଁ ପରାମର୍ଶ ଦେଇଥିଲେ ।