ବଢୁଛି ଦୁର୍ଘଟଣା ଜନିତ ମୃତ୍ୟୁ : ସଡ଼କ ସୁରକ୍ଷାରେ ମୁତୟନ ହେବେ ଆଇଏଏସ୍, ଆଇପିଏସ୍ ଅଧିକାରୀ

0
194

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୮/୦୭) : ଦୁଇ ବର୍ଷ ହେବ ରାଜ୍ୟରେ କରୋନା ମହାମାରୀ ଯୋଗୁ ଯେତିକି ଲୋକଙ୍କ ମୃତ୍ୟୁ ହେଉନି, ତା ଠୁ ଅଧିକ ମୃତ୍ୟୁ ସଡ଼କ ଦୁର୍ଘଟଣା ରେ ହେଉଛି ।

କରୋନା ମାହାମାରୀ ଯୋଗୁଁ ରାଜ୍ୟର ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୫ ହଜାର ଛୁଇଁ ନ ଥିବା ବେଳେ ପ୍ରତିବର୍ଷ ପାଖିାପାଖି ୫ ହଜାର ଲୋକ ସଡ଼କ ଦୁର୍ଘଟଣା ରେ ଶିକାର ହୋଇ ମୃତୁବରଣ କରୁଛନ୍ତି । ଯାହା ଉଭୟ ସରକାର ଏବଂ ପୁଲିସ ବିଭାଗର ଚିନ୍ତାକୁ ବଢାଇ ଦେଇଛି । ଏପରି ସ୍ଥଳେ ଦୁର୍ଘଟଣା ଏବଂ ଦୁର୍ଘଟଣାଜନିତ ମୃତ୍ୟୁ ରୋକିବା ପାଇଁ ଅଣ୍ଟା ଭିଡିଛି ରାଜ୍ୟ ପ୍ରଶାସନ ବିଭାଗ । ଏଥିପାଇଁ ଦକ୍ଷ ଅଫିସରଙ୍କୁ ନିଯୁକ୍ତି କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ।

ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ଜାତୀୟ ହାର ଠାରୁ ଓଡ଼ିଶା ଆଗରେ ରହିଛି । ବିଶେଷକରି ରାଜ୍ୟରେ ଘଟୁଥିବା ଦୁର୍ଘଟଣା ମଧ୍ୟରୁ ଅଧିକାଂଶ ଜାତୀୟ ରାଜପଥରେ ଘଟୁଛି । ଗତ ବର୍ଷ ସଡ଼କ ଦୁର୍ଘଟଣା ରୋକିବା ସହ ଦୁର୍ଘଟଣାଜନିତ ମୃତ୍ୟୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ୧୮ଟି ନୂଆ ହାଇୱେ ପାଟ୍ରୋଲିଂ ୟୁନିଟ୍ର ଶୁଭାରମ୍ଭ କରିଥିଲେ ।

ରାଜ୍ୟରେ ଥିବା ପ୍ରମୁଖ ଦୁର୍ଘଟଣାପ୍ରବଣ ଅଞ୍ଚଳରେ ଏଡି ହାଇୱେ ପାଟ୍ରୋଲିଂ ଭ୍ୟାନ ଗୁଡିକୁ ମୁତୟନ କରାଯାଇଥିଲା । କିନ୍ତୁୁ ଏହା ମଧ୍ୟ ଠିକ୍ ଭାବେ କାର୍ଯ୍ୟ କରୁ ନ ଥିବା ଦେଖିବାକୁ ମିଳୁଛି । ଫଳରେ ରାଜ୍ୟରେ ଦୁର୍ଘଟଣା ବଢିବା ସହ ଦୁର୍ଘଟଣାଜନିତ ମୃତ୍ୟୁ ମଧ୍ୟ ବଢିବାରେ ଲାଗିଛି ।

ସୂଚନା ମୁତାବକ ୨୦୧୪ରୁ ୨୦୧୯ ମଧ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟରେ ୨୭ ପ୍ରତିଶତ ବୃଦ୍ଧି ପାଇଥିଲା । ୨୦୧୪ରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୩୯୩୧ ରହିଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୪୭୩୮ ଛୁଇଁଥିଲା । ୧୦୦ଟି ସଡ଼କ ଦୁର୍ଘଟଣାରେ ଦେଶରେ ୩୬.୬ % ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ଼ିଶାରେ ୪୮.୮ ପ୍ରତିଶତ ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି । ଦୁର୍ଘଟଣାଗସ୍ତ ଲୋକଙ୍କୁ ଯଥା ଶିଘ୍ର ଉଦ୍ଧାର କରି ମେଡିକାଲ ନେବାପାଇଁ ହାଇୱେ ପାଟ୍ରୋଲିଂ ୟୁନିଟ୍କୁ କୁହାଯାଇଥିଲେ ମଧ୍ୟ ପୁଲିସ ଏଥିରେ ବିଫଳ ହୋଇଛି ।

୨୦୨୦ରେ ଜାନୁଆରୀରୁ ଏପ୍ରିଲ ମାସ ମଧ୍ୟରେ ଦୁର୍ଘଟଣାରେ ଶିକାର ହୋଇ ୧୪୭୧ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ଏପ୍ରିଲ ମାସ ମଧ୍ୟରେ ୧୮୭୭ ଲୋକଙ୍କ ଜୀବନ ଯାଇଛି । ଏହାକୁ ହିସାବ କଲେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୨୭.୬୦% ବୃଦ୍ଧି ପାଇଛି ।

ଦେଓଗଡ଼, ଗଞ୍ଜାମ, ପୁରୀ ସୋନପୁରକୁ ଛାଡିଦେଲେ ଓଡ଼ିଶାର ବାକି ୩୦ ଜିଲ୍ଲାରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏନେଇ ପରିବହନ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି କାହିଁକି ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢୁଛି ସେ ସମ୍ପକରେ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି ।

ଏଥିସହିତ ହାଇୱେ ପାଟ୍ରୋଲିଂ ଟିମ୍ କାର୍ଯ୍ୟକୁ ନେଇ ମଧ୍ୟ ପରିବହନ ବିଭାଗ ଖୁସି ନ ଥିବା ଜଣାପଡିଛି । ଜାତୀୟ ରାଜପଥରେ ଟ୍ରାଫିକ୍ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବାକୁୁ ଏଯି ଟିମ୍ କୁ କୁହାଯାଇଥିଲେ ମଧ୍ୟ ପାଟ୍ରୋଲିଂ ଟିମ୍ର କାର୍ଯ୍ୟରେ ସେପରି କିଛି ଅଗ୍ରଗତି ହେଉଥିବା ଦେଖବାକୁ ମିଳିନାହିଁ ।

ତେଣୁ ହାଇୱେ ପାଟୋଲିଂ ଟିମ୍ ଗୁଡିକ ଅଧିକ କାର୍ଯ୍ୟକ୍ଷମ କରିବା ଲାଗି ପରିବହନ ବିଭାଗ ପକ୍ଷରୁ ସବୁ ଜିଲ୍ଲାୟର ଏସ୍ପିଙ୍କୁ ଚିଠି କୁହାଯାଇଛି ।