ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ ପାଇଁ କଟକ, ଖୋର୍ଦ୍ଧା ଗସ୍ତରେ ମୁଖ୍ୟମନ୍ତ୍ରୀ

0
137

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୩/୧୨) : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡର ସୁଭାରମ୍ଭ ପାଇଁ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଉପର ବାଲିଯାତ୍ରା ପଡିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି ।

ସକାଳ ୧୦ ଟା ୪୫ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ କଟକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଦେବି ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ କଟକ କାର୍ଯ୍ୟକ୍ରମ ସାରି ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯିବେ ବୋଲି ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଆଜି ସକାଳ ୧୧ଟା ୪୦ ମିନିଟ୍ ରେ ସେଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଷ୍ଟାଡିୟମରେ ହେଲିପ୍ୟାଡ ନିର୍ମାଣ, ସୁରକ୍ଷା ବ୍ୟବସ୍ଥା ନିଜେ ଏସପି ତଦାରଖ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ରାଜେନ୍ଦ୍ର ସାହୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅଢେଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ବେଗୁନିଆ ଗସ୍ତରେ ଯାଉଥିବାରୁ ଖୁସୀ ଅଛନ୍ତି ବିଜେଡି କର୍ମୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦୁଇ ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପ ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।