ଡାହାଣୀ ସନ୍ଦେହ ରେ ଦୀର୍ଘ ୨୭ ବର୍ଷ ତଳେ ଗ୍ରାମ ରୁ ତଡା ଖାଇଥିବା ବୃଦ୍ଧା ନିଜ ଗାଁ କୁ ଫେରିଲେ

0
151

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୦/୧୨) : ବିଜ୍ଞାନ ର ଯୁଗ ରେ ବର୍ତ୍ତମାନ ସୁଦ୍ଧା ଅନ୍ଧବିଶ୍ୱାସର ଘଟଣା ସାମ୍ନା କୁ ଆସୁଛି । ଏପରି କି ଗ୍ରାମ ରୁ ଜଣେ ବୃଦ୍ଧା ଙ୍କୁ ଡାହାଣୀ ସନ୍ଦେହ ରେ ଦୀର୍ଘ ୨୭ ବର୍ଷ ତଳେ ଗ୍ରାମ ରୁ ତଡିଦିଆ ଯାଇଥିଲା ।

ବାଧ୍ୟ ହୋଇ ନିଜକୁ ଘୃଣ୍ୟ ମନେ କରି ଗାଁ ଠାରୁ ଦେଢ଼ କିମି ଦୂର ଏକ ଜଙ୍ଗଲ ରେ ଏକ ଛୋଟିଆ କୁଡ଼ିଆ ଘର କରି ଅତ୍ୟନ୍ତ ଦୟନୀୟ ଭାବରେ ଏକୁଟିଆ ନିଜ ଜୀବନ ଅତିବାହିତ କରିଆସୁଛନ୍ତି । ଡାହାଣୀ ସନ୍ଦେହ ରେ ୧୧୦ ବର୍ଷିଆ ବୃଦ୍ଧା ମହିଳା ପ୍ରତିମା ଧରୁଆ, ନିଜକୁ ନିଜ ଘର ଠାରୁ, ନିଜ ଗାଁଠାରୁ ନିଜ ଜାତି ସମାଜ ଠାରୁ ଦୂରେଇ ନିଜେ ନିଜ ଦୁର୍ବିସହ କଠୋର ଜୀବନ ଅତିବାହିତ କରିଆସୁଥିଲେ । ସୁଖ ଦୁଃଖ ଯାହା ହେଉ ପଛେ ନିଜ ଗୁହାରୀ କାହାକୁ ଜଣେଇବେ ସେ କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି ।

ଉକ୍ତ ଅସହାୟ ମହିଳା ରହୁଥିବା ସ୍ଥାନକୁ ରାସ୍ତା, ପାଣି ତଥା ପିଇବା ପାଣି ସୁବିଧା ନାହିଁ ବିଜୁଳି ତ ଦୂରର କଥା । ଏହି ସଭ୍ୟ ଯୁଗରେ ମଧ୍ୟ କଠୋର ଜୀବନ ବିତାଇ ଆସୁଥିବା ବେଳେ ତାଙ୍କ ପରିବାର ସଦସ୍ୟମାନେ ନିଜ ଗାଁ ଘରକୁ ଯିବାକୁ ଅନେକ ଥର କହିଥିଲେ ମଧ୍ୟ କାହାରି କଥା ସେ ଶୁଣୁନଥିଲେ । ଦୀର୍ଘ ବର୍ଷ ହେବ ସ୍ୱାମୀ ମୃତ୍ୟୁ ବରଣ କରିଛନ୍ତି ଏବଂ ଦୀର୍ଘ କୋଡିଏ ବର୍ଷ ହେବ ନିଜ ପୁଅ କେଉଁ ଆଡେ ଉଭାନ ହୋଇଗଲେ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜ ଖବର ନାହିଁ । ନିଜ ବୋହୁ ଏକୁଟିଆ ରହୁଛନ୍ତି । ନାତି ମାନେ ଅଲଗା ରହୁଛନ୍ତି ।

ସରକାରୀ ଯୋଜନା କହିଲେ କେବଳ ଭତ୍ତା ଆକାରେ ୭୦୦ଟଙ୍କା ଓ ରାସନ ଚାଉଳ ସାହାରା । ଆବାସ ଯୋଜନା ତାଙ୍କ ପାଇଁ ସାତ ସପନ ରେ ପରିଣତ ହୋଇଛି । ଏହି ଦୟନୀୟ ଖବର ପାଇ ସେବା ଚେରିଟେବୁଲ ଟ୍ରଷ୍ଟ ବୃଦ୍ଧା ମହିଳାଙ୍କ ପାଖକୁ ଯାଇ ଭଲ ମନ୍ଦ ବୁଝି ପାଟଣାଗଡ଼ ବିଡ଼ିଓଙ୍କ ଠାରେ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ।

ଅଭିଯୋଗ କୁ ଭିତ୍ତି କରି ବିଡ଼ିଓ ବିଏସ୍‌ଏସ୍‌ଙ୍କୁ ଉଦ୍ଧାର କରି ବଲାଙ୍ଗିର ସାଲେପାଲି ଦେଓଗାଁ ସ୍ଥିତ ବୃଦ୍ଧା ଆଶ୍ରମରେ ଥଇଥାନ କରିବା ପାଇଁ ପଠେଇ ଥିଲେ, ଉଦ୍ଧାର ସମୟରେ ସେବା ଚେରିଟେବୁଲ ଟ୍ରଷ୍ଟର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ଓ ବୃଦ୍ଧା ମହିଳା ଓ ତାଙ୍କର ପୁଅବହୁ ଙ୍କୁ ବୁଝାଇ ଥିଲେ କିନ୍ତୁ ବୃଦ୍ଧା ମହିଳା ଜଣକ ଆଶ୍ରମ କୁ ଯିବା ପାଇଁ ମନା କରିଦେଇଥିଲେ । ପରେ ଗାଁରେ ଥିବା ନିଜ ପୁଅବୋହୂଙ୍କୁ ବୁଝାଇ ନିଜ ପାଖରେ ରଖିବାକୁ ଅନୁରୋଧ କରିଥିଲେ ।

ବୋହୁ ସେବା ଚେରିଟେବୁଲ ଟ୍ରଷ୍ଟ ର ଅନୁରୋଧ ରଖି ନିଜ ପାଖରେ ରଖିବାକୁ ସ୍ୱୀକାର କରିଥିଲେ । ପରେ ସେଠାରୁ ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରି ଜଙ୍ଗଲ ଘେରା ପରିତ୍ୟକ୍ତ ଅଞ୍ଚଳରୁ ରାସ୍ତା ପର୍ଯ୍ୟନ୍ତ ବାହାର କରି ଗାଡ଼ିରେ ବସେଇ ଗାଁରେ ଥିବା ବୋହୁ ଘରେ ଛାଡ଼ି ଦେଇ ରକ୍ଷଣା ବେକ୍ଷଣ ଦାୟିତ୍ୱ ନେବାକୁ କହିଥିଲେ । ବୃଦ୍ଧା ମହିଳାଙ୍କୁ ନିଜ ପରିବାର ତଥା ଗାଁର ଭଦ୍ରବ୍ୟକ୍ତି ବାରମ୍ବାର ମନେଇ ଥିଲେ ସୁଦ୍ଧା ମାନି ନ ଥିଲେ କିନ୍ତୁ ସେବା ଚେରିଟେବୁଲ ଟ୍ରଷ୍ଟ ସଦସ୍ୟ ବୁଝେଇବା ରୁ କଥାମାନି ଗାଁରେ ରହିବାର ବ୍ୟବସ୍ଥା କରିଥିବାରୁ ଗାଁ ତଥା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏମିତି ଘଟଣା ଘଟିଛି ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗ୍ରା.ପ. ଅନ୍ତର୍ଗତ ତୁଳସୀଡୁଙ୍ଗୁରି ଗାଁର ।

ଆଜିର ଏହି ଉଦ୍ଧାର କାର୍ୟ୍ୟ ସମୟରେ ସେବା ଚେରିଟେବୁଲ ଟ୍ରଷ୍ଟର ଉପସଭାପତି ଗିରିରାଜ ଭୋଇ, ସଦସ୍ୟା ଏଡ଼ଭୋକେଟ ସେବୀକା ରାଜହଂସ, ଗୀତାଞ୍ଜଳି ବୁଡେକ, ବାସନ୍ତୀ ବିଶ୍ୱାଳ, ମେଘ ବର୍ଗେ ଓ ପାଟଣାଗଡ଼ ବିଏସ୍‌ଏସ୍‌ ଓ କମଳ କାନ୍ତ ବାରିକ ଉପସ୍ଥିତ ଥିଲେ । ଦିର୍ଘ ବର୍ଷ ପରେ ଏକ ଘରେ ସେ ଫେରି ରହିଥିବା ତାଙ୍କ ପାଇଁ ଏକ ନୂତନ ଜୀବନ ଲାଭ କରିଛନ୍ତି ।