ଚୀନ ଉହାନ ର ବୈଜ୍ଞାନିକ କଲେ ସତର୍କ : ବାଦୁଡିଙ୍କ ଠାରେ କରୋନା ଭାଇରସ ର ନୂଆ ପ୍ରଜାତି

0
182
ଚୀନ ଉହାନ ର

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୯/୦୧) : ଚୀନ ଉହାନ ର ବୈଜ୍ଞାନିକମାନେ କରୋନା ଭାଇରସ ର ଏକ ନୂଆ ପ୍ରଜାତି ଆବିଷ୍କାର କରିଛନ୍ତି, ଯାହା ବର୍ତମାନ ଦକ୍ଷିଣ ଆଫ୍ରିକା ର ବାଦୁଡିମାନଙ୍କ ଠାରେ ଦେଖାଯାଇଛି ।

ଯଦି ଆଗକୁ ଏହାର ମ୍ୟୁଟେସନ ହୁଏ ତେବେ ମଣିଷଙ୍କ ପ୍ରତି ଆଗକୁ ଏହା ବଡ ବିପଦ ଆଣିପାରେ ବୋଲି ଚୀନ ଉହାନ ର ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଏହା ଏକ ସାଧାରଣ କରୋନା ଭାଇରସ ନୁହେଁ । ଏହାକୁ ‘ମିଡିଲ ଇଷ୍ଟ ରେସ୍ପିରେଟରୀ ସିଣ୍ଡ୍ରୋମ’ ଶ୍ରେଣୀରେ ରଖାଯାଇଛି । ୨୦୧୨ ରେ ପ୍ରଥମ ଥର ଲାଗି ସାଉଦି ଆରବରେ ଏ ପ୍ରକାର ଭାଇରସ ଦେଖାଯାଇଥିଲା ।

ଚାଇନିଜ ଏକାଡେମୀ ଅଫ ସାଏନସେସ୍ ଏବଂ ଉହାନ ବିଶ୍ୱବିଦ୍ୟାଳୟ ର ବୈଜ୍ଞାନିକମାନେ କହିଛନ୍ତି, ଏହି ଭାଇରସ ବର୍ତ୍ତମାନ କେବଳ ଜୀବଜନ୍ତୁଙ୍କ ଠାରେ ରହିଛି । ବର୍ତ୍ତମାନ ଅବସ୍ଥାରେ ଏହା ମଣିଷକୁ ସଂକ୍ରମିତ ହୋଇପାରିବ ନାହିଁ, କିନ୍ତୁ ଯଦି ଏହାର ମ୍ୟୁଟେସନ ହୁଏ ତେବେ ମଣିଷ କୁ ସଂକ୍ରମିତ କରିବାର ଆଶଙ୍କା ରହିଛି । ଏହି ଭାଇରସ ଏକ ରିସେପ୍ଟର ପ୍ରୋଟିନ ଏବଂ ଶରୀର ର ଅନ୍ୟ ଜୀବକୋଷରେ ସହଜରେ ଲାଖିଯାଇ ପାରିବ । ଏହାର ସଂକ୍ରାମକ କ୍ଷମତା ଓ ମାରକ କ୍ଷମତା ବର୍ତ୍ତମାନ ର ଭାଇରସ ଠାରୁ ବହୁତ ଅଧିକ ବୋଲି ଉହାନ ର ବୈଜ୍ଞାନିକମାନେ ସତର୍କ କରାଇଛନ୍ତି ।

କିଛି ଜାତୀୟ ଗଣ ମାଧ୍ୟମ ଉଲ୍ଲେଖ କରିଛନ୍ତି ଯେ, ଏହା ସାଂଘାତିକ ଭାବେ ମାରକ ହୋଇପାରେ । ଏପରିକି ସଂକ୍ରମିତ ହେଉଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମ ଉହାନ ର ବୈଜ୍ଞାନିକମାନେ କହିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ୨୦୧୨ ରେ ପ୍ରଥମେ ଯେତେବେଳେ ସାଉଦି ଆରବରେ ଏହି ଭାଇରସ ଚିହ୍ନଟ ହୋଇଥିଲା, ସେତେବେଳେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୩୫ ପ୍ରତିଶତ ଆକ୍ରାନ୍ତ ପ୍ରାଣ ହରାଇଥିଲେ । ଏହାର ପ୍ରଭାବରେ ଜର, କାଶ, ଅଣନିଶ୍ୱାସୀ ହେବା ଓ ନିମୋନିଆ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ‘ନିଓକୋଭ’ ଭାଇରସ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛି । ଋଷ ର ନ୍ୟୁଜ ଏଜେନ୍ସି ‘ଟାସ୍’ କୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ର ଅଧିକାରୀମାନେ କହିଛନ୍ତି, ସେମାନେ ଏ ବିଷୟରେ ଅବଗତ ଅଛନ୍ତି ଏବଂ ମଣିଷଙ୍କ ପ୍ରତି ଏହା ବିପଦ ହେବ କି ନାହିଁ ତାହା ଜାଣିବା ପାଇଁ ଅଧିକ ଗବେଷଣା ର ଆବଶ୍ୟକତା ରହିଛି ।

ବନ୍ୟଜନ୍ତୁ ମାନଙ୍କ ଠାରୁ ପ୍ରାୟ ୭୫ ପ୍ରତିଶତ ଭାଇରସ ମଣିଷ ଦେହକୁ ସଂକ୍ରମିତ ହୁଏ । କରୋନା ଭାଇରସ ମଧ୍ୟ ଜୀବଜନ୍ତୁଙ୍କ ଠାରୁ ଆସିିଛି । ବିଶେଷ କରି ବାଦୁଡିଙ୍କ ଠାରେ ପ୍ରକୃତିଗତ ଭାବେ କରୋନା ଭାଇରସ ଦୀର୍ଘ ସମୟ ଧରି ରହିପାରେ ଏବଂ ପରବର୍ତ୍ତୀ ସମୟରେ ମ୍ୟୁଟେସନ ହୋଇଥାଏ । ଏହାପରେ ମଣିଷ ଦେହକୁ ସଂକ୍ରମିତ ହୁଏ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ର ଅଧିକାରୀମାନେ କହିଛନ୍ତି ।