ମାର୍ଚ୍ଚ ୭ ତାରିଖରେ ଦଶମ ଶ୍ରେଣୀ ପ୍ରଥମ ଏକକ ବିଷୟ ପରୀକ୍ଷା, ଆଜିଠାରୁ ଫର୍ମପୂରଣ ଆରମ୍ଭ

0
226
ମାର୍ଚ୍ଚ ୭ ତାରିଖରେ

ରିପୋର୍ଟ : ଆରୁଶ୍ରୀ //
ଭୁବନେଶ୍ୱର, (୦୧/୦୨) : ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦଶମ ଶ୍ରେଣୀ ପ୍ରଥମ ଏକକ ବିଷୟ ପରୀକ୍ଷା ଏବଂ ଅଷ୍ଟମ ଶ୍ରେଣୀର ପ୍ରଥମ ଅର୍ଦ୍ଧବାର୍ଷିକୀ ଓଡ଼ିଆ ଭାଷା ପରୀକ୍ଷା ଅନୁଷ୍ଠିତ ହେବ ।

ମାର୍ଚ୍ଚ ୭ ତାରିଖରେ ଦଶମ ଶ୍ରେଣୀ ପ୍ରଥମ ଏକକ ବିଷୟ ପରୀକ୍ଷା, ଏଥିପାଇଁ ଆଜିଠାରୁ ଅଫଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁଥିବା ବେଳେ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର ଏବଂ ସମ୍ବଲପୁରରେ ଥିବା ବୋର୍ଡର ଜୋନ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀମାନେ ଆବେଦନ ଫର୍ମ ଏବଂ ପରୀକ୍ଷା ଫି’ ଦାଖଲ କରିବେ । ଦଶମ ଶ୍ରେଣୀ ନିମନ୍ତେ ୧୨ ଶହ ଟଙ୍କା ଫି’ ଧାର୍ଯ୍ୟ କରାଯାଇଛି । ସେହିଭଳି ଅଷ୍ଟମ ଶ୍ରେଣୀଙ୍କ ପାଇଁ ୭ ଶହ ଟଙ୍କା ଫି’ ରହିଛି । ଆସନ୍ତା ୧୧ ତାରିଖ ପୂର୍ବରୁ ଉକ୍ତ ଫି’ ଦାଖଲ କରିବା ନିମନ୍ତେ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଯଦି ଏହି ସମୟରେ ମଧ୍ୟରେ କୌଣସି ଛାତ୍ରଛାତ୍ରୀ ଫି’ ଦେଇନପାରନ୍ତି, ୧୬ ତାରିଖ ପର୍ଯ୍ୟନ୍ତ ଜରିମାନା ଦେଇ ଫି’ ଦାଖଲ କରିବେ। ଜରିମାନା ବାବଦକୁ ଦଶମ ଶ୍ରେଣୀ ପାଇଁ ୨ଶହ ଟଙ୍କା ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଉକ୍ତ ପରୀକ୍ଷା ପ୍ରସ୍ତୁତି ନିମନ୍ତେ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ ଏବଂ ବୋର୍ଡର ଜୋନସ୍ତରରେ ଥିବା ଡେପୁଟି ସେକ୍ରେଟାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତା ଫେବୃଆରୀ ୧୮ ତାରିଖ ପୂର୍ବରୁ ପରୀକ୍ଷା କେନ୍ଦ୍ରର ତାଲିକା ବୋର୍ଡ ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଦାଖଲ କରିବାକୁ ସମ୍ପାଦକ ଶ୍ରୀକାନ୍ତ ତରାଇ ଡେପୁଟି ସେକ୍ରେଟାରୀଙ୍କୁ କହିଛନ୍ତି ।