ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ବ୍ରିଚ୍‌କ୍ୟାଣ୍ଡି ହସ୍‌ପିଟାଲ୍‌ରେ ପରଲୋକ

0
136
ସ୍ୱର ସାମ୍ରାଜ୍ଞୀ ଲତା

ରିପୋର୍ଟ : ସୁଭାସିସ ନାୟକ
ମୁମ୍ବାଇ, (୦୬/୦୨) : ଆଉ ନାହାନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର । ମୁମ୍ବାଇ ର ବ୍ରିଚ୍‌କ୍ୟାଣ୍ଡି ହସ୍‌ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ।

ବ୍ରିଚ୍‌କ୍ୟାଣ୍ଡି ହସ୍‌ପିଟାଲ୍‌ ସିଇଓ ଡାକ୍ତର ଏନ୍‌ ସନ୍ଥନାମ ଏହି ଖବର ସ୍ପଷ୍ଟ କରିଛନ୍ତି । ଆଜି ସକାଳ ୮ ଟା ୧୨ ମିନିଟ୍‌ରେ ସମସ୍ତଙ୍କ ପ୍ରିୟ ସ୍ୱର ସାମ୍ରାଜ୍ଞୀ ଲତାଙ୍କ ପରଲୋକ ହୋଇଥିଲା । ଗତ ଜାନୁଆରୀ ୮ ତାରିଖରେ ଲତା ମଙ୍ଗେଶକର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ବୟସାଧିକ ଯୋଗୁଁ ତାଙ୍କୁ ବ୍ରିଚ୍‌କ୍ୟାଣ୍ଡି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ତା’ପରେ ସେ ନିମୋନିଆ ରେ ମଧ୍ୟ ପୀଡ଼ିତ ଥିବା ଜଣା ପଡ଼ିବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ଜାନୁଆରୀ ୨୮ ତାରିଖରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଡାକ୍ତର କହିଥିଲେ । ତେବେ ହଠାତ୍ ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଯାଇଥିଲା ଓ ତାଙ୍କୁ ପୁଣି ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ତାଙ୍କଠାରେ ଆଉ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା । ଆଉ ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କଲେ ।

ଲତା ମଙ୍ଗେଶକରଙ୍କ ପରଲୋକରେ ପୂରା ଦେଶ ମ୍ରିୟମାଣ ହୋଇଯାଇଛି । ବିଭିନ୍ନ ବର୍ଗ ର ଲୋକେ ତାଙ୍କର ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଖବର ପାଇ ବିଶ୍ୱର କୋଟି କୋଟି ଲୋକଙ୍କ ଭଳି ତାଙ୍କ ହୃଦୟ ବି ଭାଙ୍ଗି ଯାଇଛି । ସେ ଅତୁଳନୀୟ ହୋଇ ରହିବେ ବୋଲି ରାଷ୍ଟ୍ରପତି କହିଛନ୍ତି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖକୁ ପ୍ରକାଶ କରିବାକୁ ତାଙ୍କ ପାଖରେ ଶବ୍ଦ ନାହିଁ । ଲତା ମଙ୍ଗେଶକରଙ୍କ ପରଲୋକରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ତାହା କେବେ ପୂରଣ ହୋଇପାରିବ ନାହିଁ । ପିଢ଼ି ପରେ ପିଢ଼ି ତାଙ୍କୁ ଲୋକେ ମନେ ରଖିବେ ।

ଲତା ଉଭୟ ହିନ୍ଦୀ ଓ ମରାଠୀରେ ଗୀତ ଗାଉଥିଲେ । ସେ ଏକ ହଜାରରୁ ଅଧିକ ହିନ୍ଦୀ ଫିଲ୍ମରେ ଗୀତ ଗାଇଛନ୍ତି । ହିନ୍ଦୀ ଓ ମରାଠୀ ବ୍ୟତୀତ ଅନ୍ୟାନ୍ୟ ଭାରତୀୟ ଭାଷାରେ ବି ଗୀତ ଗାଇଛନ୍ତି । ସେ ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ଏହା ସହିତ ୪ ଥର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ୪ ଥର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ ଓ ଦୁଇ ଥର ତାଙ୍କୁ ଫିଲ୍ମ ଫେୟାର ସ୍ପେଶାଲ୍ ପୁରସ୍କାର ଦିଆଯାଇଥିଲା । ତାଙ୍କୁ ଫିଲ୍ମ ଫେୟାର ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଥିଲା ।

୧୯୮୯ ରେ ଭାରତ ସରକାର ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରିଥିଲେ । ୨୦୦୧ ରେ ତାଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା । ତାଙ୍କୁ ଫ୍ରାନ୍ସ ର ସର୍ବୋଚ୍ଚ ବେସାମରିକ ସମ୍ମାନ ମଧ୍ୟ ମିଳିଥିଲା । ଫ୍ରାନ୍ସ ସରକାର ତାଙ୍କୁ ଅଫିସର ଅଫ୍ ଦ ଲିଜିୟନ ଅଫ୍ ଅନରରେ ସମ୍ମାନିତ କରିଥିଲେ ।