କଫସିରପ୍ ଚାଲାଣ ରେ ଗିରଫ ଅଭିଯୁକ୍ତଙ୍କୁ ଏନ୍ ଡି ପି ଏସ୍ ରେ ବୁକ୍ କରୁନି ପୋଲିସ ପ୍ରଶାସନ

0
185
କଫସିରପ୍ ଚାଲାଣ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୮/୦୨) : ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରେ ବ୍ୟାପକ କଫସିରପ୍ ଚାଲାଣ କାରବାର ଅବ୍ୟାହତ ରହିଆସିଛି । ବାରମ୍ବାର ବିପୁଳ ପରିମାଣରେ ଏହି କଫସିରପ ଚାଲାଣ କରିବା ବେଳେ ଜବତ କରାଯାଉଥିଲେ ହେଁ, କମିବାର ନାଁ’ ଧରୁନି ।

ସେଇ ଦାଗୀ ଚୋରା ଚାଲାଣକାରୀ ମାନେ ଏହା କରିଆସୁଛନ୍ତି । ଏପରିକି ଧରାପଡି ଜେଲ୍ ଯିବାପରେ ଜାମିନ୍ ବା କୌଣସି ଆଳରେ ଛୁଟିରେ ଆସି ପୁଣି ଏଇ କଫସିରପ୍ ଚାଲାଣ କାରବାର କରୁଛନ୍ତି । ଏଇ ଅଳ୍ପଦିନ ତଳେ ପଥରଚେପା ଠାରେ ବଲାଙ୍ଗୀର ପୁଲିସ୍ ହାତରେ ୫ ହଜାର ଶିଶିରୁ ଅଧିକ କଫସିରପ୍ ଭର୍ତ୍ତି ଏକ ହାଫଟନ୍ ଗାଡି ସହ ରାଞ୍ଚିରୁ ବଲାଙ୍ଗୀର କୁ ଆଣୁଥିବା ବେଳେ ପୂର୍ବରୁ ପୁଲିସ୍ ସ୍କାନର୍ ରେ ଥିବା ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ର ଗୋଲୁ ଓରଫ ଲକ୍ଷ୍ମୀ ନାରାୟଣ ଅଗ୍ରବାଲ୍ ଦୁଇଜଣ ସହଯୋଗୀଙ୍କ ସହ ଧରାପଡିଛି ।

ସେ ଏହା ପୂର୍ବରୁ ଏଇ କଫସିରପ୍ ଚାଲାଣରେ ଗିରଫ ହୋଇ ଜେଲ୍ ଯାଇଥିଲା ଓ ମେଡିକାଲ ଗ୍ରାଉଣ୍ଡ୍ ରେ ଛୁଟିରେ ଆସିଥିଲା । ତେବେ ଗୋଲୁ ର ପ୍ରାୟ ପ୍ରତି ସପ୍ତାହରେ ଝାଡଖଣ୍ଡ, ଭୁବନେଶ୍ୱର, କଟକ, ଆନ୍ଧ୍ର ପ୍ରଦେଶ ଓ ବିଭିନ୍ନ ଆଡୁ ଅନ୍ତତଃ ଗୋଟିଏ ଗାଡି କଫସିରପ୍ ଆସିଥାଏ ବୋଲି ପୁଲିସ୍ ସୂତ୍ରରୁ ପ୍ରକାଶ ।

ବଲାଙ୍ଗିର କଫସିରପ୍ ଚାଲାଣରେ ଗିରଫ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ପରି ଏନ୍ ଡି ପି ଏସ୍ ରେ ବୁକ୍ କରୁନି ପୋଲିସ ଏହାର କିଛିଦିନ ପରେ ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା – ଜୁରିଆ ରାସ୍ତାରେ ୧୫୦ ଶିଶି କଫସିରପ୍ ଆଣୁଥିବା ବେଳେ ଏକ ବାଇକ୍ ସହ ଧଣ୍ଡାମୁଣ୍ଡା ର ଜଣେ ଯୁବକ ପୁଲିସ୍
ହାତରେ ଧରାପଡିଛି ।WhatsApp Image 2022 02 08 at 8.40.00 AM କଫସିରପ୍ ଚାଲାଣ ରେ ଗିରଫ ଅଭିଯୁକ୍ତଙ୍କୁ ଏନ୍ ଡି ପି ଏସ୍ ରେ ବୁକ୍ କରୁନି ପୋଲିସ ପ୍ରଶାସନ

ଏହା ପୂର୍ବରୁ ଧଣ୍ଡାମୁଣ୍ଡା ର ଦୁଇଭାଇ କୋମନା ପୁଲିସ୍ ହାତରେ କଫସିରପ୍ ଚାଲାଣରେ ଗିରଫ ହୋଇଥିଲେ । ଏଇ କିଛିଦିନ ପୂର୍ବରୁ ତୁରେକେଲା ଓ କଣ୍ଟାବାଞ୍ଜି ପୁଲିସ୍ ହାତରେ ଆନ୍ଧ୍ର ପ୍ରଦେଶ ର ଏକ କଫସିରପ୍ ଭର୍ତ୍ତି ମିନିଟ୍ରକ୍ ଧରାପଡିଥିଲା । ତାପରେ ବେଲପଡା ପୁଲିସ୍ ସେହି ଘଟଣାର ଜଣେ ଫେରାର୍ ଆସାମୀ ସହିତ ଆଉ କେତେଜଣଙ୍କୁ ଗିରଫ କରିବା ସହ କଫସିରପ୍ ଜବତ କରିଥିଲା ।

ଅପରତଃ ସୋନପୁର ରାସ୍ତାରେ କିଛିଦିନ ଅନ୍ତରରେ ଅନେକ ଥର କଫସିରପ୍ ଗାଡି ଜବତ ହୋଇଆସୁଛି । ବଲାଙ୍ଗୀର ର ସାନ ନେଗୀ ନାମକ ଜଣେ କୁଖ୍ୟାତ କଫସିରପ୍ ଚାଲାଣକାରୀ ଓ ତା’ର ଗ୍ୟାଙ୍ଗ୍ ର ସଦସ୍ୟଙ୍କୁ ବଲାଙ୍ଗୀର ଓ ପୁଇଁତଳା ପୁଲିସ୍ ଏକାଧିକବାର ଧରିଛି । କେବଳ ଏତିକି ନୁହେଁ, ପାଟଣାଗଡ, ବେଲପଡା ଓ ଜିଲ୍ଲା ର ଅନ୍ୟାନ୍ୟ ସ୍ଥାନରେ ବ୍ୟାପକ ଭାବେ ସହର ରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହା ବ୍ୟାପି ଗଲାଣି ।

ଏଥିପାଇଁ କିଛିବର୍ଷ ତଳେ ସୋନପୁରର ଜଣେ ବରିଷ୍ଠ ଡାକ୍ତର ବନାମ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ଦୁର୍ବାଦଳ ମିଶ୍ରଙ୍କୁ ତାଙ୍କ ଘର ସାମନାରେ ନିଶାସକ୍ତ ଯୁବକମାନେ ଗଳାକାଟି ହତ୍ୟା କରିଦେଇଥିଲେ । ଦୁଇବର୍ଷ ତଳେ ବଲାଙ୍ଗୀରରେ ରେଳଷ୍ଟେସନ ରାସ୍ତାରେ ‘ ସମାଜ ‘ ର ଜଣେ ପ୍ରସାର ଅଧିକାରୀ ବା ଗଣମାଧ୍ୟମ କର୍ମଚାରୀଙ୍କୁ ରାତିରେ ନିଶାସକ୍ତ ବସ୍ତି ବାସିନ୍ଦା ଯୁବକମାନେ ସର୍ଜିକାଲ୍ ଛୁରୀରେ ଭୁଷି ରାସ୍ତାଉପରୁ ବୁଦାକୁ ଟାଣିନେଇ ଦୁଇ ତିନିଶହ ଟଙ୍କା ପାଇଁ ହତ୍ୟା କରିଦେଇଥିଲେ ।

ସେହିପରି ବଲାଙ୍ଗୀର ସହର ସ୍ଥିତ ଆଇନ ମହାବିଦ୍ୟାଳୟ ନିକଟରେ ଥିବା ଏକ ପାନ ଦୋକାନ ରେ ଏହି ବେଆଇନ ନିଶା କଫସିରପ ବିକ୍ରି ନେଇ ନିଶାଗ୍ରସ୍ତ ଭାବେ ଦୁଇ ବିକ୍ରେତା ମଧ୍ୟରେ ଟଙ୍କା ଭାଗ ବଣ୍ଟା କୁ ନେଇ ବଚସା ହୋଇଥିଲା । ସେହି ବଚସା ନେଇ ରାତି ରେ ଅନ୍ୟ ସିରଫ ବିକ୍ରେତା ଶୋଇଥିବା ସେହି ପାନ ଦୋକାନ ବାହାରୁ ବନ୍ଦ କରି ଦେଇ ଅନ୍ୟ ସହଯୋଗୀ ବ୍ୟବସାୟୀ ପେଟ୍ରୋଲ ଢାଳି ଜୀଅନ୍ତା ପୋଡି ମାରି ହତ୍ୟା କରିଦେଇଥିଲେ ।

ଏଇ କଫସିରପ୍ ଯୋଗୁଁ ଯୁବଗୋଷ୍ଠୀ ନିଶାସକ୍ତ ହୋଇପଡି ନାନାଦି ଅପରାଧ ଘଟାଉଛନ୍ତି । ତେବେ ବାରମ୍ବାର ଏହାକୁ ପୁଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଧରପଗଡ ଚାଲିଆସୁଥିବା ବେଳେ କିପରି ଓ କାହିଁକି ଏହା କମୁନାହିଁ ତାହା ଚିନ୍ତାଜନକ ବିଷୟ ।

ନିକଟରେ ଭୁବନେଶ୍ୱର ରେ ଅବକାରୀ ବିଭାଗ ର ଏକ ଉଚ୍ଚ ସ୍ତରୀୟ ବୈଠକରେ ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରରେ କଣ୍ଟ୍ରୋଲ୍ ରୁମ୍ ଖୋଲିବାର ଓ ପୁଲିସ୍ ସହଯୋଗରେ ମଦ, ଗଞ୍ଜେଇ, କଫସିରପ୍ ସହ ନିଶାଦ୍ରବ୍ୟ ର ବ୍ୟାପକ ଚଢାଉ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ଏହି କଫସିରପ୍ କଣ ? କେଉଁଠୁ ଆସୁଛି ? କେଉଁଠି ତିଆରି ହେଉଛି ଓ କେଉଁ କେଉଁଠି ଏହା ବ୍ୟବହାର କରାଯାଉଛି ଏହା ଜାଣିବା ନିହାତି ଜରୁରୀ । କିଛିଦିନ ତଳେ ବଲାଙ୍ଗୀର ହାତୀଶାଳ ପଡାରେ ଏକ ଦମ୍ପତି ଏହାର ପେଗ୍ ବନାଇ ବିକ୍ରି କରି ଧରାପଡିଥିଲେ । ଗଳି ଗଳି, ଛକ, ଦୋକାନ ବଜାର ପଛପଟ, ବସ୍ ଷ୍ଟାଣ୍ଡ୍, ରେଳଷ୍ଟେସନ ଓ ଅନ୍ୟାନ୍ୟ ଜାଗାରେ ଦିନରାତି ଏହାର ଆଡ୍ଡା ଜମୁଛି ।

ବଲାଙ୍ଗିର : କଫସିରପ୍ ଚାଲାଣରେ ଗିରଫ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ପରି ଏନ୍ ଡି ପି ଏସ୍ ରେ ବୁକ୍ କରୁନି ପୋଲିସ କୁହାଯାଉଛି ଯେ, ଥଣ୍ଡା ବା କଫ ପାଇଁ ଔଷଧ ରୂପେ ବ୍ୟବହାର କରାଯାଉଥିବା ଏହି ନିଶା ଔଷଧଟିର ଏବେ ‘ଏସ୍ କଫ୍ ‘ ଓ ଅନ୍ୟାନ୍ୟ ନାଁ ରେ ଅଧିକ ନିଶା ର ବଟିକା ମିଶାଯାଇ ଅପମିଶ୍ରିତ କଫସିରପ୍ ତିଆରି କରାଯାଉଛି । ଏହାର କାରଖାନା ଝାଡଖଣ୍ଡ, ଛତିଶଗଡ, ଆନ୍ଧ୍ରପ୍ରଦେଶ, କଟକ, ପଶ୍ଚିମବଙ୍ଗ ଆଡେ ରହିଛି । ବଲାଙ୍ଗୀର, ସୋନପୁର, ବରଗଡ, ସମ୍ବଲପୁର ଆଦି ଜିଲ୍ଲାକୁ ଏହା ଚୋରା ଚାଲାଣ କରାଯାଇ ଆସୁଛି । ସବୁଠାରୁ ଚିନ୍ତାଜନକ ବିଷୟ ଯେ ଏହି ମାରାତ୍ମକ ନିଶା ଔଷଧ ର ଚୋରା ଚାଲାଣରେ ଅସାଧୁ ପୁଲିସ୍ , ଅବକାରୀ ବିଭାଗ ର ଧରପଗଡକାରୀ କର୍ମଚାରୀମାନେ ସାମିଲ୍ ରହୁଛନ୍ତି ।

କିଛିଦିନ ତଳ ର ଅବକାରୀ ବିଭାଗ ର ରାଜ୍ୟ ବୈଠକରେ ଅନ୍ୟାନ୍ୟ ନିଶାଦ୍ରବ୍ୟ ସହିତ ପାଞ୍ଚଶହ ଲିଟର ରୁ ଅଧିକ କଫସିରପ୍ ମଧ୍ୟ ଜବତ କରାଯାଇଥିବାର ସୂଚନା ଦିଆଯାଇଥିଲା । ତେବେ ଅବକାରୀ ବିଭାଗରେ ଏହି କଫସିରପ୍ ଚୋରା ଚାଲାଣ ଅଭିଯୁକ୍ତଙ୍କୁ ଏନ ଡି ପି ଏସ୍ ରେ ବୁକ୍ କରାଯାଉଥିବା ବେଳେ, ବଲାଙ୍ଗୀରରେ ଏହା ଧରୁଥିବା ପୁଲିସ୍ ଏଥିରେ ଏନ ଡିପିଏସ ବଦଳରେ ୧୭୪, ୧୭୫ ଦଫାରେ ମାମଲା ଋଜୁ କରୁଥିବା କୁହାଯାଇଛି ।

ଯଦିଓ ଉପରୋକ୍ତ ଦଫାରେ ମଧ୍ୟ ଆଜୀବନ କାରାଦଣ୍ଡ ସହିତ ଜାମିନ ମିଳିବାରେ ଏହା ସେତେ ସହଜ ସାଧ୍ୟ ନୁହେଁ, ତଥାପି କାହିଁକି ଅବକାରୀ ବିଭାଗ ପରି ସେମାନେ ଏନଡିପିଏସ୍ ରେ ବୁକ୍ କରାଯାଉନାହିଁ, ସମୀକ୍ଷା ସାପେକ୍ଷ । ସମ୍ଭବତଃ ଏହି କାରଣ ଯୋଗୁଁ ଅଭିଯୁକ୍ତଙ୍କୁ ଜାମିନରେ ଆସିବାକୁ ସହଜ ହେଉଛି ଓ ସେମାନେ ଧରାପଡି ମଧ୍ୟ ପୁଣି ବାହାରକୁ ଆସି ବାରମ୍ବାର ଏହା କରିଆସୁଛନ୍ତି ବୋଲି କୁହାଯାଉଛି ।