ଆଇପିଏଲ୍ ଖେଳିବେ ଓଡ଼ିଆ ଖେଳାଳୀ ଶୁଭ୍ରାଂଶୁ : ୨୦ ଲକ୍ଷରେ କିଣିଲା ଚେନ୍ନାଇ ସୁପର କିଙ୍ଗସ୍

0
156
ଆଇପିଏଲ୍

ରିପୋର୍ଟ : ସୁଭାସିସ ନାୟକ
ବେଙ୍ଗାଲୁରୁ, (୧୪/୦୨) : ଆଇପିଏଲ୍ ନିଲାମରେ ବିକ୍ରି ହୋଇଛନ୍ତି ଓଡ଼ିଶା କ୍ରିକେଟ୍ ଟିମ ର କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି । ଶୁଭ୍ରାଂଶୁ ଅର୍ଥାତ୍ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳିବେ ।

ଆଜି ଆଇପିଏଲ୍ ନିଲାମ ର ଦ୍ୱିତୀୟ ଦିନରେ ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ଲକ୍ଷ ଟଙ୍କାରେ କିଣିଛି । ଆଇପିଏଲ ନିଲାମ ପାଇଁ ଶୁଭ୍ରାଂଶୁ ଙ୍କୁ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିଲା । ନିଲାମରେ ଯେତେବେଳେ ଶୁଭ୍ରାଂଶୁଙ୍କ ନାଁ ଡକାଗଲା, ଚେନ୍ନାଇ ଫ୍ରାଞ୍ଚାଇଜି ତାଙ୍କୁ ନେବା ପାଇଁ ଆସିଥିଲା । ଚେନ୍ନାଇ ମଧ୍ୟ ୨୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସରେ ଶୁଭ୍ରାଂଶୁ ଙ୍କୁ କିଣି ନେଇଛି ।

ଏଥିସହ ଶୁଭ୍ରାଂଶୁ ତୃତୀୟ ଓଡ଼ିଆ କ୍ରିକେଟର୍ ଭାବେ ଆଇପିଏଲରେ ଖେଳିବେ । ତାଙ୍କ ପୂର୍ବରୁ ବିପ୍ଳବ ସାମନ୍ତରାୟ ଓ ହଳଧର ଦାସ ଆଇପିଏଲ୍ ଖେଳିଥିଲେ । ୨୫ ବର୍ଷୀୟ ଶୁଭ୍ରାଂଶୁ ପ୍ରଥମ ଶ୍ରେଣୀ କ୍ରିକେଟରେ ୩୪ ଟି ମ୍ୟାଚ୍ ଖେଳି ୪୭.୮୩ ହାରରେ ୧୮୫୪ ରନ୍ କରିଛନ୍ତି । ସେ ଲିଷ୍ଟ-ଏ’ କ୍ରିକେଟରେ ୩୨ ମ୍ୟାଚରେ ୪୧.୧୬ ହାରରେ ୯୮୮ ରନ୍ କରିଛନ୍ତି । ଟି-୨୦ ରେ ମଧ୍ୟ ଶୁଭ୍ରାଂଶୁଙ୍କୁ ପ୍ରଦର୍ଶନ ଭଲ ରହିଛି । ଶୁଭ୍ରାଂଶୁ ଘରୋଇ ଟି-୨୦ରେ ୨୬ ମ୍ୟାଚ୍ ଖେଳି ୨୮.୯୫ ହାରରେ ୬୩୭ ରନ୍ କରିଛନ୍ତି ।

ଓଡ଼ିଶାର ୫ ଜଣ ଖେଳାଳିଙ୍କ ନାଁ ଆଇପିଏଲ୍ ଅକ୍ସନ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପଠାଇଥିଲା । କିନ୍ତୁ ସେଥି ମଧ୍ୟରୁ ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତିଙ୍କ ନାଁ ତାଲିକାରୁ ବାଦ୍ ପଡ଼ିଥିଲା । ତେବେ ଓସିଏ ଶୁଭ୍ରାଂଶୁ ଓ ଅଭିଷେକଙ୍କ ନାଁ ଆଇପିଏଲ୍ ନିଲାମ ପାଇଁ ପଠାଇଥିଲା । ଦୁହେଁ ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ ।