ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ : ସକାଳ ୭ ଟାରୁ ଚାଲିଛି ଭୋଟ୍ ଗ୍ରହଣ

0
120
ଆଜି ଚତୁର୍ଥ ପର୍ଯ୍ୟାୟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ଭୁବନେଶ୍ୱର, (୨୨/୦୨) : ରାଜ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଛି । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ଦିନ ୧ ଟା ପର୍ଯ୍ୟନ୍ତ ଚାଲିବ ।

ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନରେ ୨୭ ଟି ଜିଲ୍ଲା ର ୬୪ ଟି ବ୍ଲକ ର ୧୬୩ ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୧,୨୫୪ ଟି ପଞ୍ଚାୟତ ରେ ମତଦାନ ହେଉଛି । ଏଥିପାଇଁ ମୋଟ ୧୭,୦୮୯ ଟି ବୁଥ୍‌ ଗଠନ କରାଯାଇଛି । ଏହି ବୁଥ୍‌ ମାନଙ୍କରେ ୫୧.୩୧ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ୧୬୩ ଟି ଜିଲ୍ଲା ପରିଷଦ ଆସନରେ ମୋଟ ୬୬୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଭୋଟ୍ ବାକ୍ସରେ ସିଲ୍ ହୋଇ ରହିଯିବ ।

୧୭,୦୮୯ ଟି ବୁଥରେ ମତଦାନ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ୨୫୭ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୧,୪୭୩ ଟି ମୋବାଇଲ ପାଟ୍ରୋଲିଂ ଟିମ୍ ମୁତୟନ ହୋଇଛନ୍ତି । ୧୭,୦୮୯ ଟି ବୁଥ୍‌ ରୁ ୨,୫୬୩ ଟି ସମ୍ବେଦନଶୀଳ ବୋଲି ଜଣା ପଡ଼ିଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଏହି ସବୁ ବୁଥ୍‌ରେ ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସୂଚନାଯୋଗ୍ୟ, ଗତ ୩ ଟି ପର୍ଯ୍ୟାୟ ନିର୍ବାଚନରେ ଯେଭଳି ହିଂସାକାଣ୍ଡ ହେଉଛି, ତାହା ରାଜ୍ୟ ପୁଲିସ ର ବିଫଳତାକୁ ପଦାରେ ପକାଇ ଦେଇଥିବା ବେଳେ ରାଜ୍ୟ ପଞ୍ଚାୟତ ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ଏତେ ପରିମାଣ ର ହିଂସାକାଣ୍ଡ ଓ ବିଶୃଙ୍ଖଳା ହେଉଥିବା ଦେଖିବାକୁ ମିଳିଛି ।