ସମସ୍ୟା ଘେରରେ କୋରାପୁଟ ଜିଲ୍ଲା ଘୁଷୁରାଗୁଡା ଗ୍ରାମ : ପ୍ରଶାସନର ଦୃଷ୍ଟି ଦାବୀ

0
261

ରିପୋର୍ଟ : ମୀନା ବେହେରା
କୋରାପୁଟ,ବନ୍ଧୁଗାଁ,(୨୭/୭) : ସମସ୍ୟା ଘେରରେ ପଡି ରହିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ପଞ୍ଚାୟତ ଅଧିନସ୍ଥ ଘୁଷୁରାଗୁଡା ଗ୍ରାମ । ପଞ୍ଚାୟତ ସଦର ଠାରୁ ମାତ୍ର ଗୋଟେ କିଲୋମିଟର ଦୁରତା ମଧ୍ୟରେ ଘୁଷୁରାଗୁଡା ଗ୍ରାମ ରହିଥିଲେ ମଧ୍ୟ ଏଜାଏଁ ସରକାରୀ ବାବୁଙ୍କ ପାଦ ପଡିବା କାଠିକର ପାଠ । ଏହି ସମସ୍ୟା ସମାଧାନ ହେଉନଥିବାରୁ ଗ୍ରାମରେ ଥିବା ଅନେକ ସମସ୍ୟା ବଢିବାରେ ଲାଗିଛି ।

ଗ୍ରାମରେ ୬୦ରୁ ଊର୍ଦ୍ଦ୍ୱ ଘର ପାଲି ସମ୍ପ୍ରଦାୟର ଲୋକେ ରହିଥିବା ବେଳେ ଲୋକ ସଂଖ୍ୟା ତିନି ସହ ପାଖାପାଖି । ଗ୍ରାମରେ ସରକାରଙ୍କ କୌଣସି ଉନୟନ ମୁଳକ କାର୍ଯ୍ୟ ଆଜିଜାଏଁ ହୋଇ ପାରିଲା ନାହିଁ । ତେଣୁ ସମସ୍ୟା ବଢ଼ିବାରେ ଲାଗୁଛି । ବିଦ୍ୟାଳୟଟି ଥାଇ ମଧ୍ୟ କରୋନା ଯୋଗୁଁ ପାଠ ପଢା ବନ୍ଦ ରହିଥିବାରୁ ପିଲା ମାନେ ଗାଈଗୋରୁ ଚରାଇ ଜୀବନ ବର୍ବାଦ କରୁଛନ୍ତି ।

ଗ୍ରାମରେ ଥିବା ଏକ ମାତ୍ର ନଳକୂପ ତିନି ବର୍ଷ ହେଲାଣି ଖରାପ ହୋଇ ପଡିଛି । ନାଳ ନର୍ଦ୍ଧମା ପାଣି ପିଇ ଗ୍ରାମବାସୀ ରୋଗାଗ୍ରସ୍ତ ହେଉଥିଲେ ମଧ୍ୟ ତାଙ୍କ ଦୁଃଖ ଦେଖିବାକୁ କେହି ନାହିଁ । ସବୁ ଜାଣି ମଧ୍ୟ ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟ ତରଫରୁ କୌଣସି ପଦକ୍ଷେପ ନିଆ ଜାଇ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ନାଁକୁ କାର୍ଯ୍ୟାଳୟ ରହିଛି ଲୋକେ ପାଣି ମୁନ୍ଦାଏ ସୁଦ୍ଧା ପାଉ ନାହାନ୍ତି । ଏଭଳି କର୍ମଚାରୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିହାତି ଜରୁରୀ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ସବୁଠୁ ଅଧିକ ସମସ୍ୟା ବର୍ଷାଦିନେ ଦେଖା ଦେଉଛି । ଲଗାଣ ବର୍ଷା ହେଲେ ପାହଡରୁ ବର୍ଷା ପାଣି ସହ ବଡ ବଡ ପଥର ଖଣ୍ଡ,ବାଲି,କାଦୁଅ,ବହି ଆସି ଘର ଭିତରେ ପସିବା ସହ ଗାଁ ମଝିରେ ଜମା ହୋଇ ରହୁଛି ।

ବର୍ଷା ହେଲେ କାଳେ ସୋଇବା ଅବସ୍ଥାରେ ପାହାଡର ମାଟି ପଥର ମାଡିଆସିବ ଭାବି ଭୟରେ ଲୋକଙ୍କୁ ରାତିରେ ନିଦ ହେଉନି । ତେଣୁ ଆଗାମି ଦିନରେ ଗ୍ରାମ ଉପରେ କୌଣସି ଅଘଟଣ ଆସିବା ପୁର୍ବରୁ ଏକ ଗାଡ ଓ୍ଵାଲ ନିର୍ମାଣ କରିବା ଏବେ ନିହାତି ଜରୁରୀ ହୋଇ ପଡିଛି ।

ଗ୍ରାମରେ ପୁରୁଷଙ୍କ ବଦଳରେ ମହିଳାଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ୟା ଉପରେ ଲିଖିତ ଭାବେ ବ୍ଲକ କାର୍ଯ୍ୟାଳୟକୁ ଜଣାଇବା ପାଇଁ କେହି ସାହସ ଯୁଟାଇ ପାରୁ ନାହାନ୍ତି । ତେଣୁ ତୁରନ୍ତ ବ୍ଲକ ପ୍ରଶାସନ ଘୁଷୁରାଗୁଡା ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ୟା ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।