ଡାକ୍ତର ମାନଙ୍କୁ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଦେଉଥିବା ଉପହାର ମାଗଣା ନୁହେଁ : ସୁପ୍ରିମ କୋର୍ଟ

0
196
ଡାକ୍ତର ମାନଙ୍କୁ ଫାର୍ମାସ୍ୟୁଟିକାଲ୍

ରିପୋର୍ଟ : ଆରୁଶ୍ରୀ //
ନୂଆଦିଲ୍ଲୀ, (୨୪/୦୨) : ଡାକ୍ତର ମାନଙ୍କୁ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଦେଉଥିବା ଉପହାର ମାଗଣା ନୁହେଁ ବୋଲି ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କହିଛନ୍ତି । ଔଷଧ ମୂଲ୍ୟ ବୃଦ୍ଧି କରି ଏଭଳି ଉପହାର ଡାକ୍ତରମାନଙ୍କୁ ଦିଆଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଡାକ୍ତର ମାନଙ୍କୁ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଦେଉଥିବା ମାଗଣା ଉପହାର ଦେବାର ଖର୍ଚ୍ଚକୁ ଆୟକର ରିହାତିରେ ଅନ୍ତର୍ଭୂକ୍ତ କରିବାକୁ ଫାର୍ମା କମ୍ପାନୀ ଗୁଡିକର ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଆୟକର ଅଧିନିୟମ ର ଧାରା ୩୭ (୧) ଅନୁଯାୟୀ ଫାର୍ମା କମ୍ପାନୀ ଗୁଡିକ ଆୟକର ଛାଡ ରୁ ଏହାର ଲାଭ ଉଠାଇ ପାରିବେ ନାହିଁ ।

ଏହି ମାମଲା ର ବିଚାର କରି ଜଷ୍ଟିସ୍ ୟୁୟୁ ଲଲିତଙ୍କ ଖଣ୍ଡପୀଠ କହିଛନ୍ତି ଯେ ଡାକ୍ତର ପ୍ରେସକ୍ରିପସନରେ ଯାହା ବି ଲେଖିଥାନ୍ତି ରୋଗୀ ସେହି ମେଡ଼ିସିନ ହିଁ ଆଣିଥାଏ । ଡାକ୍ତର ଲେଖିଥିବା ଔଷଧ ଦାମୀ ହେଲେ ବି ରୋଗୀ ତାହା କିଣିବାକୁ ଚେଷ୍ଟା କରିଥାଏ । ଏପରି ପରିସ୍ଥିତିରେ, ଯେତେବେଳେ ଡାକ୍ତରଙ୍କ ଦ୍ୱାରା ଲିଖିତ ପ୍ରେସକ୍ରିପସନରେ ଫାର୍ମା କମ୍ପାନୀ ଗୁଡିକ ଦ୍ୱାରା ଦିଆଯାଇଥିବା ମାଗଣା ଉପହାର ସହ ଜଡିତ ଥାଏ, ଏହା ଏକ ଚିନ୍ତାର ବିଷୟ ହୋଇଥାଏ ।

ଫ୍ରୀ ବି (ଏଲସିଡି ଟିଭି, ସୁନା କଏନ, ଭ୍ରମଣ ଖର୍ଚ୍ଚ ଓ ଅନ୍ୟାନ୍ୟ ଉପହାର) ଇତ୍ୟାଦି ଡାକ୍ତରଙ୍କୁ ଦେଇ ଏହାର ମୂଲ୍ୟ ଔଷଧ ମୂଲ୍ୟ ସହ ଯୋଡି ଦିଆଯାଏ । ଯାହାଦ୍ୱାରା ରୋଗୀଟିଏ ଅଧିକ ଦାମ ଦେଇ ମେଡ଼ିସିନ କିଣିବା ପାଇଁ ବାଧ୍ୟ ହୋଇଥାଏ । ଏହା ସର୍ବସାଧାରଣ ନୀତି ବିରୁଦ୍ଧ ଓ ଏହା ଆଇନ ଦ୍ୱାରା ସ୍ପଷ୍ଟ ଭାବରେ ନିଷେଧ କରାଯାଇଛି । ଭାରତୀୟ ମେଡିକାଲ୍ କାଉନସିଲ୍ ରେଗୁଲେସନ୍, ୨୦୦୨ ର ଉପ-ନିୟମ ୬.୮ ଅନୁଯାୟୀ, ଡାକ୍ତର ମାନଙ୍କୁ ଫାର୍ମା କମ୍ପାନୀ ଗୁଡିକର ଫ୍ରିବି ବା ଉପହାର ଆଦି ଦେବା ଦଣ୍ଡନୀୟ ।

ତେଣୁ, ଏହି ଉପହାର ଖର୍ଚ୍ଚ କମ୍ପାନୀ ଗୁଡିକର ଆୟ ଏବଂ ବ୍ୟବସାୟରେ ଯୋଡି ହୋଇ ପାରିବ ନାହିଁ । କାରଣ, ଏହା ବେଆଇନ କାର୍ଯ୍ୟରେ ବ୍ୟୟ ହୋଇଥାଏ ଏବଂ ବେଆଇନ ବ୍ୟୟ ଆୟକର ରିହାତି ରୁ ମୁକ୍ତ ହୋଇ ପାରିବ ନାହିଁ | ଏହି ନିଷ୍ପତ୍ତି କୁ ସୁପ୍ରିମକୋର୍ଟରେ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଗୁଡିକ ଚ୍ୟାଲେଞ୍ଜ କରିଥିଲେ ।

ତେବେ ସରକାରୀ ସ୍ତରରେ ଏହାର ନିରାକରଣ ସହ ଫାର୍ମାସିଟ୍ୟୁକାଲ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ ? ତା’ଛଡା ଘରୋଇ ହସ୍ପିଟାଲ ଗୁଡିକ ର ଶୋଷଣ ଅତିଶୟ ହେଲାଣି । ସରକାର ଙ୍କୁ କେବଳ ଦାୟୀ କରିବା ମଧ୍ୟ ଉଚିତ୍ ନୁହେଁ । ଏହିସବୁ ଅନ୍ୟାୟ ବନ୍ଦ ପାଇଁ ଜନ ଆନ୍ଦୋଳନ ଗଢି ତୋଳିବା ନିହାତି ଆବଶ୍ୟକ କରୁଛି ।