ବୁଡାଗୁଡ଼ା ଓ ପେଟିଲିଗୁଡ଼ା ୨ ଗ୍ରାମବାସୀ ମିଶି କେନାଲ ମରାମତି କଲେ : ପ୍ରଶାସନ ଚୁପ୍

0
278
ବୁଡାଗୁଡ଼ା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୬/୩) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡାଗୁଡ଼ା ପଞ୍ଚାୟତ ର ଢେପାଗୁଡ଼ା ଓ ଚାମରଯୋଡ଼ି ଗାଁ ନିକଟସ୍ଥ କେନାଲ ଏକ ମାସ ରୁ ଉର୍ଦ୍ଧ୍ୱ ଦିନ ହେଲାଣି ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ସ୍ଥାନୀୟ ଅଞ୍ଚଳର ଚାଷ ଜମିକୁ ପାଣି ପହଞ୍ଚି ପାରୁନାହିଁ ।

କେନାଲ ଭାଙ୍ଗି ପାଣି ଅନ୍ୟତ୍ର ବହି ଯାଉଥିବା ଯୋଗୁଁ ପାଣି ଚାଷ କାମରେ ଲାଗି ପାରୁନାହିଁ । ଏହାକୁ ନେଇ ଗ୍ରାମବାସୀ ପ୍ରଶାସନ ପାଖରେ ଗୁହାରି କରିଥିବା ସତ୍ତ୍ୱେ କୌଣସି ଫଳପ୍ରଦ ହେଇ ପାରିଲା ନାହିଁ । ସେଥିପାଇଁ ବାଧ୍ୟ ହୋଇ ବୁଡାଗୁଡ଼ା ଓ ପେଟିଲିଗୁଡ଼ା ଦୁଇ ଗ୍ରାମବାସୀ ମିଶି ଶ୍ରମ ଦାନ କରି କେନାଲ ମରାମତି କାମ କରିଛନ୍ତି ବୋଲି ଶୁକା କାଡ୍ରାକା, ବାମଣା କାଡ୍ରାକା, ପ୍ରହଲ୍ଲାଦ କନ୍ଧପାଣି, ଗଙ୍ଗାଧର କାଡ୍ରାକା, ଶ୍ରୀପତି ତିଆକା କହିଛନ୍ତି ।

ବର୍ତ୍ତମାନ ରବି ଫସଲ ପାଇଁ ଚାଷୀ ଅଣ୍ଟା ଭିଡ଼ିଥିବା ବେଳେ ଜଳସେଚନ ର ଅଭାବ ପାଇଁ ଚାଷୀ ଏବେ ଚିନ୍ତାରେ, ଉଚିତ୍ ସମୟରେ ଜଳ କର ଦିଆ ଯାଉଛି କିନ୍ତୁ ଚାଷୀଙ୍କ ସମସ୍ୟା ବୁଝିବା ପାଇଁ କୌଣସି ସରକାରୀ କର୍ମଚାରୀଙ୍କ ଦେଖା ମିଳୁନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି । ନିକଟରେ ପଞ୍ଚାୟତ ନିର୍ବାଚନ ମଧ୍ୟ ସରିଯାଇଛି ।

ଲୋକଙ୍କ ସମସ୍ୟାକୁ ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇ ଭୋଟ ଜିତିଥିବା ନେତା ଓ ନିର୍ବାଚିତ ପ୍ରାର୍ଥୀ ଏବେ ଲୋକଙ୍କୁ କିଭଳି ସହଯୋଗ କରୁଛନ୍ତି ଆଉ ପ୍ରଶାସନ ମଧ୍ୟ କ’ଣ କରୁଛି ତାହା ଦେଖିବାକୁ ବାକି ରହିଲା ।