କର୍ଣ୍ଣାଟକ ହାଇକୋର୍ଟ ର ବଡ ରାୟ : ହିଜାବ ଧର୍ମ ର ପ୍ରମୁଖ ଅଂଶ ନୁହେଁ

0
149
କର୍ଣ୍ଣାଟକ ହାଇକୋର୍ଟ ର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କର୍ଣ୍ଣାଟକ, ଉଡୁପି, (୧୫/୦୩) : ହିଜାବ ବିବାଦ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ର ବଡ ରାୟ । ହିଜାବ ପିନ୍ଧିବା ଧର୍ମ ର ପ୍ରମୁଖ ଅଂଶ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ । ହିଜାବ ବିବାଦ ମାମଲରେ ହୋଇଥିବା ଆବେଦନକୁ ଆଜି ହାଇକୋର୍ଟ ଖାରଜ କରି ଦେଇଛନ୍ତି ।

ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚାଲେଞ୍ଜ କରି ହୋଇଥିବା ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟ ର ତିନି ଜଣିଆ ଖଣ୍ଡପୀଠ ଖାରଜ କରିଦେଇଛନ୍ତି । ଏଥିସହ ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ଛାତ୍ରଛାତ୍ରୀ ମନା କରିପାରବେ ନାହିଁ ବୋଲି କଡା ଭାଷାରେ କହିଛନ୍ତି କୋର୍ଟ । ଉଡୁପି ର ଏକ ସ୍କୁଲର କିଛି ଛାତ୍ରଛାତ୍ରୀ କର୍ଣ୍ଣାଟକରେ ହିଜାବ ବ୍ୟାନ୍ ହେବା ପରେ ଏହାକୁ ଚ୍ୟାଲେଞ୍ଜ୍ କରି ହାଇକୋର୍ଟରେ ମାମଲାରେ ଦାଏର କରିଥିଲେ । ଏହାକୁ ନେଇ ଫେବ୍ରୁଆରୀ ୯ ତାରିଖରେ ପ୍ରଧାନ ବିଚାରପତି ରିତୁ ରାଜ ଅବସ୍ତି, ଜଷ୍ଟିସ କୃଷ୍ଣ ଏସ. ଦୀକ୍ଷିତ ଏବଂ ଜଷ୍ଟିସ ଜେଏମ ଖାଜିଙ୍କ ଏକ ବେଞ୍ଚ ଗଠନ କରାଯାଇଥିଲା ।

ଛାତ୍ରୀମାନେ ସେମାନଙ୍କ ଆବେଦନରେ କହିଥିଲେ ଯେ, ସେମାନଙ୍କୁ କ୍ଲାସ ଭିତରେ ମଧ୍ୟ ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଉ, କାରଣ ଏହା ସେମାନଙ୍କର ଧର୍ମ ର ଏକ ଅଂଶ। ତେବେ ଏହି ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ତିନି ଜଣିଆ ବେଞ୍ଚ ଖାରଜ କରିଦେଇଛନ୍ତି । ଗତ ଜାନୁଆରୀରେ ରାଜ୍ୟରେ ଉଠିଥିବା ଏହି ପ୍ରସଙ୍ଗକୁ ନେଇ ବହୁ ବିବାଦ ଦେଖିବାକୁ ମିଳିଥିଲା । ଏପରିକି କର୍ଣ୍ଣାଟକରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନକୁ ଏ ବିବାଦ ବ୍ୟାପୀଥିଲା । ପରେ ମାମଲା ସୁପ୍ରିମକୋର୍ଟକୁ ଯିବା ସହ ସର୍ବୋଚ୍ଚ କୋର୍ଟ ଶୁଣାଣି ପାଇଁ ଅଗ୍ରାହ୍ୟ କରିବା ସହ ଉଚିତ ସମୟରେ ହସ୍ତକ୍ଷେପ କରିବେ ବୋଲି କହିଥିଲେ ।

ସେପଟେ ହାଇକୋର୍ଟଙ୍କ ରାୟ ଆସିବା ପୂର୍ବରୁ ବେଙ୍ଗାଳୁରୁ ଓ ମାଙ୍ଗାଲୋରରେ ବହୁ ଲୋକ ଏକାଠି ହେବା ଉପରେ ପୁଲିସ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଥିଲା । ଉଡୁପି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପାଇଁ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଥିଲା । ଏହି ଜିଲ୍ଲାରେ ଗତକାଲି ରାତି ୮ଟାରୁ ୧୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି ।