ଆସନ୍ତା କାଲିଠୁ ରାଜ୍ୟରେ ବଢିବ ତାତି : ଆଇଏମ୍‌ଡି

0
144
ଆସନ୍ତା କାଲିଠୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୫/୦୩) : ଆସନ୍ତା କାଲିଠୁ ରାଜ୍ୟରେ ବଢିବ ତାତି । ବିଶେଷ କରି ପଶ୍ଚିମ ଓଡ଼ିଶା ର କିଛି ସ୍ଥାନରେ ଅସହ୍ୟ ଗ୍ରୀଷ୍ମ ଲହରୀ ହେବାର ଆଶଙ୍କା ରହିଛି । ଆଇଏମ୍‌ଡି ର ପୂର୍ବାନୁମାନ ଅନୁସାରେ ୧୬ ଏବଂ ୧୭ ତାରିଖ ଦୁଇ ଦିନ ଧରି ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତା କାଲିଠୁ ପଶ୍ଚିମ ଓଡ଼ିଶା ର ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୭ ତାରିଖ ପାଇଁ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଗତକାଲି ଅନୁଗୁଳ, ଝାରସୁଗୁଡା, ବଲାଙ୍ଗୀରରେ ୩୮ ଡିଗ୍ରୀରୁ ଅଧିକ ତାପମାତ୍ରା ଏବଂ ଟିଟିଲାଗଡରେ ୩୮.୦ ଡିଗ୍ରୀ ରେକର୍ଡ କରାଯାଇଛି । ଗତକାଲି ରାଜ୍ୟରେ ଉତ୍ତପ୍ତ ସହର ଭାବେ ବଲାଙ୍ଗୀରରେ ୩୮.୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୬.୬ ଡିଗ୍ରୀ ଏବଂ କଟକରେ ୩୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ସମ୍ଭାବ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବସ୍ ଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି ପରିବହନ ବିଭାଗ । ପରିବହନ ବିଭାଗ ପକ୍ଷରୁ ଅଧିକ ଖରା ସମୟ ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୩ଟା ଯାଏଁ ବସ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ବସ୍‌ରେ ସ୍ୱଚ୍ଛ ପାନୀୟ ଜଳ, ବରଫ ଓ ORS ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବସ୍ ରହଣି ସ୍ଥଳରେ ଜଳଛତ୍ର ବ୍ୟବସ୍ଥା ଓ ବସ୍‌ରେ ଅଧିକ ସଂଖ୍ୟକ ଯାତ୍ରୀ ନ ନେବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଜାତୀୟ ରାଜପଥରେ କିଓସ୍କ, ବସ ଗୁଡ଼ିକ ନିୟମ ପାଳନ କରୁଛନ୍ତି କି ନାହିଁ ତା’ର ଉପଯୁକ୍ତ ଯାଞ୍ଚ, ଜିଲ୍ଲା ସ୍ତରରେ ୨୪ ଘଣ୍ଟିଅଆ କଣ୍ଟ୍ରୋଲ ରୁମ୍ ଆଦି ଖୋଲିବାକୁ କୁହାଯାଇଛି ।