ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳନ, ଓଡ଼ିଆ ଭାଷାର ବ୍ୟବହାର କମିବା ନେଇ ବକ୍ତାଙ୍କ ମତ ପ୍ରକାଶ

0
213
ଉପଖଣ୍ଡ ସ୍ତରୀୟ ଉତ୍କଳ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ, ତା(୦୨/୦୪) : ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳନ ଅବସରରେ ସୂଚନା ଓ ଲୋକସଂପର୍କ ଅଧିକାରୀ ଡ଼. ଲଳିତ ବାଗ ଆୟୋଜିତ ସଭା ର ସଭାପତିତ୍ବ କରିଥିବା ବେଳେ ସଭାର ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ସମ୍ମାନିତ ଅତିଥି ଭାବରେ ନୂତନ ପୌରାଧକ୍ଷା ମମତା ଦେବୀ ଜୈନ, ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ ଏବଂ ମୁଖ୍ୟବକ୍ତା ଭାବରେ ଡି.ଏ.ଭି ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ. ଛାୟା କାନ୍ତ ଷଡ଼ଙ୍ଗୀ ଯୋଗଦେଇ ଥିଲେ । ଶିକ୍ଷକ ଉମେଶ ଦାସ ଆୟୋଜିତ ସଭାକୁ ପରିଚାଳନା କରିଥିବା ବେଳେ ସଭା ଆରମ୍ଭରେ ମଞ୍ଚାସିନ ଅତିଥି ବୃନ୍ଦ ବରପୁତ୍ର ମାନଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ ସହ ମାଲ୍ୟାର୍ପଣ କରିଥିଲେ ।

ଆଧୁନିକତା ର ସ୍ପର୍ଶରେ ଓଡ଼ିଆ ଭାଷା ରସାତଳଗାମୀ ହେଉଥିବା ବେଳେ ସମସ୍ତ ଓଡ଼ିଆଙ୍କ ଭାଷା ପ୍ରୀତି ବୃଦ୍ଧି ପାଇଲେ ହିଁ ଏ ଜାତିର ସ୍ଵାଭିମାନ ବଞ୍ଚିରହିବ ବୋଲି ଅତିଥି ବୃନ୍ଦ ମତ ପ୍ରକାଶ କରିଥିବାବେଳେ ମୁଖ୍ୟବକ୍ତା ଶ୍ରୀ ଷଡ଼ଙ୍ଗୀ ଭାଷାଭିତ୍ତି ଆଧାରରେ ପ୍ରଥମରାଜ୍ୟ ଭାବରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିବା ଏବଂ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପଶ୍ଚିମ ଓଡ଼ିଶାର ଗୁରୁତ୍ବପୁର୍ଣ ଭୂମିକା ଥିବା ନେଇ ଆଲୋକପାତ କରିଥିଲେ ।

ପଶ୍ଚିମ ଓଡ଼ିଶା ର ୫ ଜଣ ବରପୁତ୍ର ତଥା ମଦନ ମୋହନ ମିଶ୍ର, ଶ୍ରୀପତି ମିଶ୍ର, ମହନ୍ତ ବିହାରୀ ମହାରାଜ, ବ୍ରଜ ମୋହନ ପଟ୍ଟନାୟକ ଓ ବଳଭଦ୍ର ସୁଆର ପ୍ରମୁଖ ସ୍ଵତନ୍ତ୍ର ପ୍ରଦେଶ ଗଠନ ର ମୁଖ୍ୟ ପୁରୋଧା ସାଜିଥିବା ନେଇ ମୁଖ୍ୟବକ୍ତା ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିବା ସହ ବର୍ତ୍ତମାନ ପରିପ୍ରେକ୍ଷୀରେ ବୈଦୁତିକ ଗଣମାଧ୍ୟମ ଓଡ଼ିଆ ଭାଷାକୁ ବହୁ ପରିମାଣରେ ବିକୃତ କରୁଥିବା ନେଇ ଉଦବେଗ ପ୍ରକାଶ କରିଥିଲେ ।

ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ଦ୍ଵାରା ଓଡ଼ିଶା ବନ୍ଦନା ଗାନ କରାଯାଇଥିବା ବେଳେ ଦଣ୍ଡ ମୁକ୍ତ ବିଦ୍ୟାଳୟ ବିଷୟ ବସ୍ତୁ କୁ ନେଇ ଆୟୋଜିତ ବକ୍ତୃତା ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀ ଆସ୍ଥା ସାହୁଙ୍କୁ ପ୍ରଥମ, ଆଦ୍ୟାସ୍ମିତା ମହାନ୍ତି ଦ୍ଵିତୀୟ ଏବଂ ଯଶୋବର୍ଦ୍ଧନ ମହାକୁରଙ୍କୁ ତୃତୀୟ ବିଜେତା ଭାବରେ ପୁରସ୍କୃତ କରାଯାଇଥିଲା । ସହରର ଗଙ୍ଗାଧର ଛକ ସ୍ଥିତ ସ୍ଵଭାବ କବି ଗଙ୍ଗାଧର ମେହେର ଓ ବିଜୁ ପଟ୍ଟନାୟକ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

ଆୟୋଜିତ ଉତ୍ସବରେ ସହରର ବୁଦ୍ଧିଜୀବୀ, ସାହିତ୍ୟ ପ୍ରେମୀ, ସରକାରୀ ଅଧିକାରୀ, ଗଣ ମାଧ୍ୟମ ପ୍ରତିନିଧି ଙ୍କ ସହ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ପ୍ରତିନିଧି ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଉପଖଣ୍ଡ ସୂଚନା ଲୋକସମ୍ପର୍କ ବିଭାଗ ର ଗନ୍ଥାଗାରିକ ପ୍ରଶାନ୍ତ କୁମାର ଖୁଆସ, ଦେବେନ୍ଦ୍ର ବାଗ, ବୃନ୍ଦାବନ ରଣା ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଶେଷ ସହଯୋଗ କରିଥିଲେ ।