ଭୁଶୁଡୁଛି ମାଓ ଦୁର୍ଗ : ମାଲକାନଗିରି ଏସପିଙ୍କ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀ ର ଆତ୍ମସମର୍ପଣ

0
157
ଭୁଶୁଡୁଛି ମାଓ ଦୁର୍ଗ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି, (୧୨/୦୪) : ଭୁଶୁଡୁଛି ମାଓ ଦୁର୍ଗ । ମାଲକାନଗିରି ଏସପି ଓ ବିଏସଏଫ ଡିଆଇଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ଭନ୍ତାଲା ରାଜୁ ।

କୋରୁକୋଣ୍ଡା – ପେଦାବାଇଲୁ ଏରିଆ କମିଟି ସଦସ୍ୟ ଥିଲା ସାଗର ଓରଫ ଭନ୍ତାଲା । ୨୦୧୬ ମସିହା ଠାରୁ ଇଷ୍ଟ ବିଶାଖା ଡିଭିଜନ ରେ ସକ୍ରୀୟ ରହି ସ୍ୱାଭିମାନ ଅଂଚଳରେ ବହୁ ହିଂସାକାଣ୍ଡ ଘଟାଇଥିଲା । ସ୍ୱାଭିମାନ ଅଞ୍ଚଳରେ ପୁଲିସ ଓ ବିଏସଏଫ ର ଉପସ୍ଥିତି ସାଙ୍ଗକୁ ଘନ ଘନ କୁମ୍ବିଂ ଯୋଗୁଁ ମାଓ ସଙ୍ଗଠନ ଛାଡିଛନ୍ତି ସାଗର । ଭୁଶୁଡୁଛି ମାଓ ଦୁର୍ଗ । ସାଗରଙ୍କ ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରହିଥିବା ବେଳେ ଓଡିଶା ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାଇ ତାଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି ମାଲକାନଗିରି ଏସପି ।

ଗତ ୨ ବର୍ଷରେ ୨୦ ରୁ ଉର୍ଦ୍ଧ୍ବ ମାଓ କମାଣ୍ଡରମାନେ ଆତ୍ମସମର୍ପଣ କରିଥିବା ବେଳେ ଶହେରୁ ଉର୍ଦ୍ଧ୍ବ ମିଲିସିଆମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିସାରିଲେଣି । ମାଓ ସଂଗଠନରେ ଲାଗି ରହିଥିବା ଭେଦଭାବ, ନିର୍ଯାତନାକୁ ସହ୍ୟ କରି ନପାରି ମାଓବାଦୀମାନେ ଏବେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପେକ୍ଷା କରି ରହିଛନ୍ତି ।

ଆଗକୁ ଆହୁରି ଅନେକ ମାଓବାଦୀ ଆତ୍ମସମର୍ପଣ କରିବେ ବୋଲି ପୁଲିସ କହିଛି । ସ୍ବାଭିମାନ ଅଞ୍ଚଳ ଏବଂ ବଣ୍ଡାଘାଟି ର ଯନ୍ତାପାଇ, ହନ୍ତାଳଗୁଡା, ଯଡାମ୍ବ, ଗୋରାସେତୁ, ଅଣ୍ଡ୍ରାହାଲ, ମୁଦୁଲିପଡା, ଘନବେଡା, ଯନ୍ତ୍ରୀ ଭଳି ଦୁର୍ଗମ ସ୍ଥାନରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବାପରେ ଘନ ଘନ ଚଢାଉ ଜାରି ରହିଛି ।

ଏଥିସହ ଏହି ଅଞ୍ଚଳରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଥିବାରୁ ଲୋକେ ଆଉ ମାଓବାଦୀକୁ ସମର୍ଥନ କରୁ ନାହାଁନ୍ତି । ଏଥିପାଇଁ ମାଓବାଦୀ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେଣି । ଆତ୍ମସମର୍ଣ କରିଥିବା ସାଗର ଆନ୍ଧ୍ର ଏବଂ ଓଡିଶାରେ ବହୁ ହିଂସା ଘଟାଇଥିବା ପୁଲିସ କହିଛି ।

ଆଗାମୀ ଦିନରେ ଯେଉଁ ମାଓବାଦୀମାନେ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ । ସରକାରଙ୍କର ଯାହା ଯାହା ସୁବିଧା ରହିଛି ସେସବୁ ମଧ୍ୟ ସେମାନେ ପାଇବେ ବୋଲି ଏସପି କହିଛନ୍ତି ।