ବ୍ଲକ ପରିସରରେ ସାମ୍ବାଦିକଙ୍କୁ ଆକ୍ରମଣ

0
146
ବ୍ଲକ ପରିସରରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବେଗୁନିଆପଡ଼ା, (୨୧/୦୪) : ବେଗୁନିଆପଡା ବ୍ଲକ ପରିସରରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ପରିସରରେ ମଙ୍ଗଳବାର ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।

ମଙ୍ଗଳବାର ବେଗୁନିଆପଡ଼ା ବ୍ଲକ ପରିସରରେ ସମିତି ବୈଠକ ଚାଲିଥିବା ବେଳେ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ । ବୈଠକ ଶେଷ ହେବା ପରେ ସଭାଗୃହ ବାହାରେ ସାମ୍ବାଦିକ ସୁଶାନ୍ତ ପଟ୍ଟନାୟକଙ୍କ ସହ ହଠାତ୍ ଆସି ଯୁକ୍ତିତର୍କ କରିଥିଲେ । ଖଣ୍ଡିଆନଈ ସରପଞ୍ଚ ପଙ୍କଜ ସେଠୀ ଓ ତାଙ୍କର ସହଯୋଗୀ ଚରଣ ନାୟକ, ପଙ୍କଜ ଓ ଚରଣ ଉଭୟ ମିଳିତ ଭାବେ ସାମ୍ବାଦିକ ସୁଶାନ୍ତଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଟଣାଓଟରା କରି ଆକ୍ରମଣ କରିଥିଲେ ।

ଏହି ସମୟରେ ଅନ୍ୟ ସାମ୍ବାଦିକ ଓ ପଞ୍ଚାୟତ ଜନପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ । ସାମ୍ବାଦିକଙ୍କୁ ମାଡ ମରାଯିବା ବେଳେ ଅନ୍ୟ ସାମ୍ବାଦିକ ମାନେ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ତେବେ ଆକ୍ରମଣ ର ଶିକାର ହୋଇଥିବା ସାମ୍ବାଦିକଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହେବାରୁ ତୁରନ୍ତ ତାଙ୍କୁ ସହଯୋଗୀ ସାମ୍ବାଦିକ ମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଏହାପରେ ଏ ନେଇ ବେଗୁନିଆପଡ଼ା ଫାଣ୍ଡିରେ ଏତଲା ଦେଇଛନ୍ତି ସାମ୍ବାଦିକ ସୁଶାନ୍ତ ପଟ୍ଟନାୟକ । ତେବେ ଏନେଇ ସରପଞ୍ଚ ପଙ୍କଜ ସେଠୀ ମଧ୍ୟ ପାଲଟା ଏତଲା ଦେଇଥିବା ଜଣାପଡିଛି । ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ବେଳେ ସରପଞ୍ଚଙ୍କୁ ମାଡ଼ ମରାଯାଇଛି ବୋଲି ସେ ମିଥ୍ୟା ମାମଲା କରିଥିବା ଅଭିଯୋଗ କରିଛନ୍ତି ସାମ୍ବାଦିକ ସୁଶାନ୍ତ ।

ଘଟଣାକୁ ନେଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଫାଣ୍ଡିରେ ପହଞ୍ଚି ତଦନ୍ତ କରିବା ସହ ସାମ୍ବାଦିକ ଏବଂ ତାଙ୍କ ସହଯୋଗୀଙ୍କ ବୟାନ ରେକର୍ଡ କରିଛନ୍ତି । ବେଗୁନିଆପଡ଼ା ବ୍ଳକ ପରିସର ତଥା ଘଟଣା ସ୍ଥଳକୁ ଯାଇ ଉଭୟ ପୋଲିସ ଅଧିକାରୀ ତଦନ୍ତ କରିଛନ୍ତି ।

ତେବେ ବ୍ଲକ ପରିସରରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଏଭଳି ଆକ୍ରମଣ ପ୍ରାୟୋଜିତ ଭାବେ ଆକ୍ରମଣ କରାଯିବାକୁ ସବୁ ମହଲରେ ଦୃଢ ନିନ୍ଦା କରାଯାଇଛି । ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅଞ୍ଚଳ ର ସମସ୍ତ ସାମ୍ବାଦିକ ।