ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ-ମୁଖ୍ୟ ବିଚାରପତି ସମ୍ମିଳନୀ : ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0
156
ବିଜ୍ଞାନ ଭବନରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୩୦/୦୪) : ୫ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀରେ ଯୋଗଦେବେ । ଏହି ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଜି ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ-ମୁଖ୍ୟ ବିଚାରପତି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍.ଭି ରମନା । ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି । ସମ୍ମିଳନୀରେ ଯୋଗ ଦେବା ସହ କେନ୍ଦ୍ର ସରକାରଙ୍କ ଅନୁମତି ଅପେକ୍ଷାରେ ବହୁଦିନରୁ ପଡି ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ର ଅଗ୍ରଗତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

ତେବେ ୨୦୧୬ ଏପ୍ରିଲ ୨୪ ତାରିଖରେ ଶେଷଥର ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଡିଜିଟାଲ୍ ଯୁଗ ସହ ତାଳ ଦେଇ ଜିଲ୍ଲା କୋର୍ଟର ଭିତ୍ତିଭୂମି ବିକାଶ ଜରୁରୀ । ତେଣୁ ଜିଲ୍ଲା କୋର୍ଟ ଗୁଡିକରେ ଆଇଟି ଭିତ୍ତିଭୂମି ର ବିକାଶ ଏବଂ ମାମଲାର ତ୍ୱରିତ ଫଇସଲା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନସ୍ ର ପ୍ରୟୋଗ ଭଳି ପ୍ରସଙ୍ଗରେ ଆଲୋଚନା ହେବ ।

ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବା ବେଳେ, କିଛି କେନ୍ଦ୍ରମନ୍ତ୍ରୀ ମଧ୍ୟ ନବୀନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମେ ୩ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି ।