ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୧/୦୫) : ଓଡ଼ିଶା କୁ ଆଗଉଛି ସମ୍ଭାବ୍ୟ ବାତ୍ୟା । ଦିନକୁ ଦିନ ବଙ୍ଗୋପସାଗରରେ ବାତ୍ୟା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ବଢ଼ିଲାଣି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ବାତ୍ୟା ନେଇ ଏବେ ଯାଏଁ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ମାତ୍ର ଆଇଏମ୍ଡି ମହାନିର୍ଦ୍ଦେଶକ (ଡିଜି) ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ସମ୍ଭାବ୍ୟ ବାତ୍ୟା ଚର୍ଚ୍ଚାକୁ ବଳ ଦେଇଛି ।
ଓଡ଼ିଶା କୁ ଆଗଉଛି ସମ୍ଭାବ୍ୟ ବାତ୍ୟା, ମେ’ ରେ ବାତ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଆଜି ଆଇଏମ୍ଡି ଡିଜି କହିଛନ୍ତି । ଅନ୍ୟପଟେ ପୁରୀରୁ ଶ୍ରୀକାକୁଲମ୍ ମଧ୍ୟରେ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ୬ ତାରିଖରେ ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ପରେ ଏସବୁ ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ଆସିବ ବୋଲି ସମସ୍ତ ମଡେଲ ପକ୍ଷରୁ କୁହାଯାଉଛି ।
ଆଇଏମ୍ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ମେ’ ମାସରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଏହାର ତୀବ୍ରତା ଅଧିକ ରହିବାର ସମ୍ଭାବନା ଥାଏ । ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ମେ’ ୬ ତାରିଖ ପାଖାପାଖି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ।
ଏହି ସମ୍ଭାବ୍ୟ ଲଘୁଚାପକୁ ନେଇ ଆକଳନ ଜାରି ରହିଛି । ଏହା କେତେ ଘନୀଭୂତ ହେବ, ଏହାର ତୀବ୍ରତା କ’ଣ ରହିବ ତଥା ଏହା କେଉଁ ଉପକୂଳକୁ ଯିବ ଏ ନେଇ ବର୍ତ୍ତମାନ କୌଣସି ସ୍ପଷ୍ଟ ଚିତ୍ର ନାହିଁ । ଲଘୁଚାପ ସୃଷ୍ଟି ପରେ ହିଁ ଏହାର ଗତିପଥ ଓ ତୀବ୍ରତାକୁ ନେଇ ସଠିକ୍ କିଛି କହି ହେବ ବୋଲି ସେ ସୂଚନା ଦେଇଛନ୍ତି । ଅନ୍ୟପଟେ ବାତ୍ୟା ସମ୍ଭାବନାକୁ ବି ସେ ପରୋକ୍ଷ ଭାବେ ଇଙ୍ଗିତ କରିଛନ୍ତି ।
ପାଣିପାଗ ବିଶେଷଜ୍ଞ ଡ. ପଶୁପାଳକ କିନ୍ତୁ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ମୁହାଁ ହେବ ବୋଲି ସୂଚନା ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ୬ ତାରିଖ ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ମୁହାଁଇବାର ସମ୍ଭାବନା ରହିଛି । ପାରାଦୀପରୁ ଶ୍ରୀକାକୁଲମ୍ ବା ଶ୍ରୀକାକୁଲମ୍ ରୁ ମଛଲିପାଟଣା ଭିତରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ଥିବା ଡ. ପଶୁପାଳକ କହିଛନ୍ତି ।
ତେବେ ବର୍ତ୍ତମାନ ସୁଦ୍ଧା ଏହାର ସମ୍ଭାବନା ୫୦% ବୋଲି ସେ କହିଛନ୍ତି । ସେ କହିଛନ୍ତି, ମେ’ ୫ ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ, ୬ ତାରିଖରେ ଅବପାତ, ୭ ତାରିଖରେ ବାତ୍ୟା ଓ ୮ ତାରିଖରେ ହୁଏତ ଭୀଷଣ ବାତ୍ୟା ହେବାର ପୂର୍ବ ଆକଳନ ବଜାୟ ରହିଛି । ଆସନ୍ତା ୫ ଦିନ ଭିତରେ ଓଡ଼ିଶା ଉପକୂଳର ତାପମାତ୍ରା ଓ ବାୟୁଚାପ ଆଦିରେ ପରିବର୍ତ୍ତନ, ବାତ୍ୟାର ଗତିପଥକୁ ପ୍ରଭାବିତ କରିବ ।
ପୂର୍ବ ବର୍ଷମାନଙ୍କର ତଥ୍ୟକୁ ସମୀକ୍ଷା କଲେ ଜଣାପଡ଼ୁଛି, ବାତ୍ୟାଟି ପୁରୀଠାରୁ ଶ୍ରୀକାକୁଲମ୍ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁଲେ ମଧ୍ୟ ୮ ତାରିଖ ସଂଧ୍ୟା ପରେ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୩୬ ଘଣ୍ଟା ଉପକୂଳରେ ଓ ସଂଲଗ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।
ଓଡ଼ିଶା ଉପକୂଳ ବା ସଂଲଗ୍ନ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁଲେ ଉଭୟ ପବନ ଓ ବର୍ଷା ହେବ । ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ବର୍ତ୍ତମାନ କମିଯାଇଛି । ତେବେ ଲଘୁଚାପ ସୃଷ୍ଟି ପରେ ବାତ୍ୟାର ଗତିପଥ ନେଇ ଅଧିକ ସଠିକ୍ ଆକଳନ କରିହେବ ବୋଲି ସେ କହିଛନ୍ତି । ଅପରପକ୍ଷରେ ମେ’ ମାସରେ ପାଣିପାଗର ସ୍ଥିତିକୁ ନେଇ ପୂର୍ବାନୁମାନ କରିଛି ଆଇଏମ୍ଡି ।
ଚଳିତ ମେ’ରେ ଖରାର ପକୋପ ଅପେକ୍ଷାକୃତ କମ୍ ରହିବ । ମେ’ ମାସରେ ରାଜ୍ୟରେ ଅଧିକ କାଳବୈଶାଖୀ ସମ୍ଭାବନା ରହିଛି । ଏଣୁ କାଳବୈଶାଖୀ ଯୋଗୁଁ ମେ’ ମାସରେ ସ୍ୱାଭାବିକ ଭାବେ ଯେତିକି ବର୍ଷା ହେବା କଥା ତା’ଠାରୁ ଅଧିକ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏଥିସହ ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ରହିବ । ଫଳରେ ଏପ୍ରିଲ ଭଳି ମେ’ ରାଜ୍ୟବାସୀଙ୍କୁ ହସ୍ତସନ୍ତ କରିବ ନାହିଁ ।