ବୁର୍ଲା ଭିସୁଟରେ ଛାତ୍ର ଅଶାନ୍ତି

0
156
ବୁର୍ଲା ଭିସୁଟରେ

ରିପୋର୍ଟ : ରାମନାଥ ଗନ୍ତାୟତ
ସମ୍ବଲପୁର, (୦୬/୦୫) : ବୁର୍ଲା ଭିସୁଟରେ ଛାତ୍ର ଅଶାନ୍ତି । ଅଫଲାଇନ୍ ତଥା ସମୟ ନଦେଇ ପରୀକ୍ଷା କରିବାକୁ ବିରୋଧ କରି ଶତାଧିକ ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି । ଭିସୁଟ୍ ପରିସରରେ ସାରାରାତି ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ ।

ବୁର୍ଲା ଭିସୁଟରେ ପଞ୍ଚମ ସେମିଷ୍ଟାର ପରୀକ୍ଷାକୁ ନେଇ ଧାରଣାରେ ଦେଇଛନ୍ତି ଛାତ୍ରଛାତ୍ରୀ । ଏହି ପରୀକ୍ଷା ଡ଼ିସେମ୍ବର ମାସରେ ହେବାକୁ ଥିବା ବେଳେ କରୋନା ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ପଞ୍ଚମ ସେମିଷ୍ଟାର ପାଇଁ ପଢିବାକୁ ସମୟ ମିଳିନଥିବା ବେଳେ ଏହାକୁ ଘୁଞ୍ଚାଇବା ସହ ଅନଲାଇନ୍ ମାଧ୍ୟମରେ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଗ୍ରେଡ଼ିଂ ହିସାବରେ ମାର୍କ ପ୍ରଦାନ କରିବାକୁ ଦାବି କରି ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଏହି ଦାବି ନେଇ ଶହ ଶହ ଛାତ୍ରଛାତ୍ରୀ ଗୁରୁବାର ଦିନ ୨ ଟାରୁ ବିଶ୍ୱବିଦ୍ୟାଳୟ ପରିସରରେ ଧାରଣାରେ ବସିଥିଲେ ଓ ରାତି ୧୦ ଟାରେ ଖବର ଲେଖା ହେବା ପର୍ଯ୍ୟନ୍ତ ଏହା ଜାରି ରହିଥିଲା । ଅନ୍ୟପଟେ ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବଂଶୀଧର ମାଝୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ତୃତୀୟ ଏବଂ ପଞ୍ଚମ ସେମିଷ୍ଟର ଜାନୁୟାରୀ ମାସରେ ହେବାର ଥିଲା ।

ତାହାକୁ ଥରେ ସ୍ଥଗିତ କରାଯାଇଛି, କିନ୍ତୁ ପୁନର୍ବାର ଏହାକୁ ଆଉ ଅଟକା ଯାଇପାରିବ ନାହିଁ । ଆଗକୁ ନିଯୁକ୍ତି ଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପରୀକ୍ଷା ଅଫ୍‌ଲାଇନ୍ ମୋଡ୍‌ରେ ହିଁ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ରାତି ୧୦ ଟା ସୁଦ୍ଧା ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ର କୌଣସି ନିଷ୍କର୍ସ ବାହାରି ପାରି ନଥିବା ଜଣା ପଡ଼ିଛି ।