ଦାଦନ ଦୁଃଖ, ଶବ ଆଣିବାକୁ ନ ଦେଇ ପୋଡ଼ିଦେଲେ

0
150
ଦାଦନ ଦୁଃଖ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୬/୦୫) : ଦାଦନ ଦୁଃଖ ! ଭୋକ, ଉପାସରେ ଦାଦନ ଙ୍କ ଜୀବନ ଚାଲିଗଲା । ଶବ ଆଣିବାକୁ ନ ଦେଇ ପୋଡ଼ି ଦେଲେ, ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବ କି ?

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ସାଲେପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁର୍ଲାମାଲ ଗାଁ ରେ ଦାଦନ ଦୁଃଖ । ଗାଁ ର ଦାଦନ ଶ୍ରମିକ ଶ୍ରୀ କୈଳାଶ ଭୁଏ ନିଜ ସ୍ତ୍ରୀ ପ୍ରେମ ଭୁଏ ଦୁଇଟି ଝିଅ ଓ ଗୋଟିଏ ପୁଅକୁ ନେଇ ମିଶି ସର୍ଦ୍ଦାର ଶେଷଦେବ ଦୀପ (ତୁର୍ଲାମାଲ) ଓ କଣ୍ଟାବାଞ୍ଜି ର ପପୁ ଖାନଙ୍କ ଜରିଆରେ ଇଟା ଗଢ଼ିବା ପାଇଁ ସୁଦୂର ତେଲେଙ୍ଗାନା ର ଟୁକୁଗୁଡା ଯାଇ ଇଟା ଭାଟିରେ କାମ କରୁଥିଲେ ଏବଂ ଗୋଟିଏ ଝିଅକୁ ଘରେ ଛାଡ଼ିଦେଇ ଯାଇଥିଲେ ।

ଧମକ ଚମକ ଦେଇ ଅଧିକ କାମ କରେଇ ସେମାନଙ୍କୁ ଠିକ ସମୟରେ ଠିକ ଭାବରେ ଖାଇବା ପିଇବା ଦେଉ ନଥିବା ବେଳେ ଇଟା ଭାଟିରେ ସବୁବେଳେ ନିର୍ଯ୍ୟାତନା ଦେଉଥିଲେ । ନିର୍ଯ୍ୟାତନା ଅସହ୍ୟ ହେବାରୁ କିଛି ଦିନ ଠିକ ଭାବରେ ଖାଉ ନଥିଲେ କୈଳାଶ ।

ଗତକାଲି ଦେହ ଅସୁସ୍ଥ ହେବାରୁ ଭାଟି ମାଲିକ ହସ୍ପିଟାଲରେ ଭର୍ତ୍ତି କରିବା ବଦଳରେ କେବଳ କେତେଟା ଔଷଧ ଆଣିଦେଲେ । ରାତିରେ ଦେହ ପୁଣି ଆହୁରି ଅସୁସ୍ଥ ହେବାରୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସିତ ହେଉଥିବା ସମୟରେ ଡାକ୍ତର ମୃତ ଘୋଷଣା କଲେ । ଯଦି ଇଟା ଭାଟି ମାଲିକ ଠିକ ଭାବରେ କୈଳାଶ ଚିକିତ୍ସା କରିଥିଲେ ଅକାଳରେ ଗୋଟିଏ ଜୀବନ ଯାଇ ଏକ ବହୁ କୁଟୁମ୍ବୀ ପରିବାରକୁ ସର୍ବସ୍ୱ।ନ୍ତ ହେବାକୁ ପଡି ନଥାନ୍ତା । ପରିବାର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି, ତାଙ୍କର ଅକାଳ ମୃତ୍ୟୁ ପରେ ଏତେ ବଡ଼ ପରିବାର କେମିତି ପ୍ରତିପୋଷଣ କରିବେ ଚିନ୍ତା ର ବିଷୟ ।

ଯେତେବେଳେ କୈଳାସ କୁ ଡାକ୍ତର ମୃତ ଘୋଷଣା କଲେ ସେତେବେଲୁ ଶବ ପାଖକୁ ପରିବାର ର କାହାକୁ ଦେଖିବାକୁ ମଧ୍ୟ ସୁଯୋଗ ଦେଲେନି ଓ ନିଜ ଇଚ୍ଛା ମୁତାବକ ଶବ ବ୍ୟବଚ୍ଛେଦ କରିଥିଲେ ବୋଲି ମୃତକଙ୍କ ସମ୍ପର୍କୀୟ କହିଛନ୍ତି । ପ୍ରଥମେ ଶବ ଘରକୁ ନେଇଯିବା ପାଇଁ ଭାଟି ମାଲିକ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ପରେ ଯେତେବେଳେ ଶବ ବ୍ୟବଚ୍ଛେଦ ହେଲା ସେତେବେଲୁ ଆଉ ଶବ ପାଖକୁ ଯିବାକୁ ଦେଲେ ନାହିଁ । ଧମକ ଚମକ ଦେଇ ନିଜ କବଜାରେ ରଖିଦେଲେ ପୁରା ପରିବାର କୁ । ପରିବାର ଲୋକେ ଯେତେ ହାରି ଗୁହାରୀ କଲେ ମଧ୍ୟ ସର୍ଦାର ଶୁଣିଲାନି କି ମାଲିକ ମଧ୍ୟ କିଛି ଶୁଣିଲାନି ।

ଗାଳି ଝଗଡ଼ା ମାଡ଼ ପିଟ କରି ଜୋର ଜବରଦସ୍ତ ଶବକୁ ସେଠାରେ ହିଁ ପୋଡ଼ିଦେଲେ । ଏହାକୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ କରି ସର୍ଦ୍ଦାର ଓ ଇଟାଭାଟି ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।