ଆର.ଏମ.ସି. ଗୋଦାମ ଘରେ ଚାଲିଛି କୁନି କୁନି ପିଲାଙ୍କ ପାଠପଢା

0
133
ଆର.ଏମ.ସି.

ରିପୋର୍ଟ : ରାମନାଥ ଗନ୍ତାୟତ
ନବରଙ୍ଗପୁର/ଭୁବନେଶ୍ୱର, (୦୩/୦୬) : ମୂଳଦୁଆ ରୁ ଉଠି ପାରୁନାହିଁ ବିଦ୍ୟାଳୟ ଗୃହ । ଆର.ଏମ.ସି. ଗୋଦାମ ଘରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା । 5T କାର୍ଯ୍ୟକ୍ରମରେ ପୁରୁଣା ସ୍କୁଲର ରୂପାନ୍ତରିକରଣ କରାଯାଉଛି । ସରକାରଙ୍କ ଶିକ୍ଷାନୀତିକୁ ବିଦ୍ରୁପ କରୁଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଉଦଳିଆଗୁଡା ପ୍ରାଥମିକ ବିଦ୍ୟାଳୟ

ସ୍ମାର୍ଟ ସ୍କୁଲ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ମାର୍ଟ କ୍ଲାସ ରୁମ୍ ଓ ସ୍ମାର୍ଟ ଲାଇବ୍ରେରୀ ତ ଦୂର ର କଥା, ବିଦ୍ୟାଳୟ ନିର୍ମାଣ କାମ ର ମୂଳଦୁଆ ଉଠି ପାରୁନାହିଁ । ବିଦ୍ୟାଳୟ ର ନିଜସ୍ୱ ଶ୍ରେଣୀଗୃହ ନଥିବାରୁ ଆର.ଏମ.ସି. ଚାଉଳ ଗୋଦାମ ଘରେ କୁନିକୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢା ହେଉଛି । ଶିକ୍ଷୟତ୍ରୀଙ୍କ ଘର ବାରଣ୍ଡା ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି ପିଲା । ଶିକ୍ଷା ବିଭାଗ ର ବିକଳ ଚିତ୍ର ଆସିଛି ନବରଙ୍ଗପୁର ଝରିଗାଁ ରୁ ।

ସରକାରଙ୍କ ଶିକ୍ଷାନୀତିକୁ ବିଦ୍ରୁପ କରୁଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଉଦଳିଆଗୁଡା ପ୍ରାଥମିକ ବିଦ୍ୟାଳୟ । ବ୍ଲକ ଅଫିସ ଠାରୁ ମାତ୍ର ୧ କିଲୋମିଟର ଦୂରରେ ରହିଛି ଏହି ସ୍କୁଲ । ହେଲେ ଏଠି ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ନାହିଁ, ମଧ୍ୟାହ୍ନ ଭୋଜନ ରୋଷେଇ ଗୃହ ନାହିଁ କି ଖେଳ ପଡିଆ ନାହିଁ । ଯେଉଁଠି ଚାଉଳ ଗୋଦାମ ଘରେ ସ୍କୁଲ ଚାଲେ ସେଠି କେମିତି ଶିକ୍ଷା ବ୍ୟବସ୍ଥା କେତେ ସୁଦୃଢ ତାହା ଏହି ଚିତ୍ରକୁ ଦେଖି ଟିକେ ଅନୁମାନ କରନ୍ତୁ । ୨୦୧୪ ରୁ ଆରମ୍ଭ ହୋଇଥିବା ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ୪୮ ଜଣ ଛାତ୍ରଛାତ୍ରୀ ପାଠ ପଡୁଛନ୍ତି ।

ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ର ନିଜସ୍ୱ ଶ୍ରେଣୀଗୃହ ନଥିବାରୁ କିଛି ମାସ ଭଡ଼ା ଘରେ ସ୍କୁଲ ଚାଲିଥିଲା । ପରେ ବ୍ଲକ ପ୍ରଶାସନ ନିର୍ଦ୍ଦେଶ କ୍ରମେ ଝରିଗାଁ କଲେଜ ପାଚେରୀ ଭିତରେ ଥିବା ଆର.ଏମ.ସି. ର ଏକ ପୁରୁଣା ଗୋଦାମ ଗୃହରେ କୁନିକୁନି ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଘରେ ମଧ୍ୟାହ୍ନ ଭୋଜନ ରୋଷେଇ କରି ପିଲାଙ୍କୁ ଦିଆଯାଉଛି । ସେପଟେ ୭ ବର୍ଷ ହେଲାଣି ସ୍କୁଲ କୋଠା ନିର୍ମାଣ ପାଇଁ ମୂଳଦୁଆ ପଡିଛି । ତେବେ କୋଠା ନିର୍ମାଣରେ ଜମି ବିବାଦ ଲାଗି ରହିଥିବାରୁ ଆଜି ଯାଏଁ ନିର୍ମାଣ କାମ କେବଳ ଫାଉଣ୍ଡେସନ୍ ରେ ସୀମିତ ରହିଛି ।