ନିଶା ବେପାରୀଙ୍କଠୁ ବଟି ନେଉଛି କି ପୁରୀ ପୋଲିସ ? ଅବକାରୀ ଇନ୍ସପେକ୍ଟର କଲେ ଖୁଲାସା

0
124
ନିଶା ବେପାରୀଙ୍କଠୁ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୦୭/୦୬) : ପୁରୀରେ ବିଚିତ୍ର ବ୍ୟବସ୍ଥା । ନିଶା ବେପାରୀଙ୍କଠୁ ପୋଲିସ ବଟି ନେଉଥିବାର ଚାଞ୍ଚଲ୍ୟକର ଅଭିଯୋଗ । ଅଭିଯୋଗ ଆଣିିଛନ୍ତି ଖୋଦ୍ ଜିଲ୍ଲା ଅବକାରୀ ଇନସପେକ୍ଟର । ଏ ନେଇ ଅବକାରୀ କମିଶନରଙ୍କୁ ଚିଠି ଲେଖି ଦର୍ଶାଇଛନ୍ତି ଯେ, ପୁରୀ ପୋଲିସ ନିଶା ମାଫିଆଙ୍କଠୁ ମାସିକିଆ ବଟି ନେଉଛି ।

ଫଳରେ ନିଶା ବେପାରୀ ଅବକାରୀ ଅଧିକାରୀଙ୍କୁ ଆଉ ଖାତିର କରୁ ନାହାଁନ୍ତି । ଏଭଳି ଚିଠି ପରେ ପୋଲିସ ଓ ଅବକାରୀ ବିଭାଗ ଭିତରେ ହଟଚମଟ ସୃଷ୍ଟି ହୋଇଛି । ଏପରିକି ଅବକାରୀ ଇନ୍ସପେରଙ୍କ ମୁଣ୍ଡ ଦୋଷ ଥିବା କହିବାକୁ ବି ପଛାଇ ନାହାଁନ୍ତି ଅବକାରୀ ଅଧୀକ୍ଷକ । ତେବେ ଏହାର ତଦନ୍ତ କରାଯିବ ବୋଲି ଅବକାରୀ ମନ୍ତ୍ରୀ କହିଥିବାବେଳେ ପୋଲିସ ର କିନ୍ତୁ ପ୍ରତିକ୍ରିୟା ମିଳିପାରିନି । ନିଶା ମାଫିଆଙ୍କୁ ଧରୁଛି ଅବକାରୀ ବିଭାଗ । ସେହି ନିଶା ବେପାରୀଙ୍କଠୁ ବଟି ନେଉଛି ପୁରୀ ପୋଲିସ ।

ଏକଥା ଆମେ କହୁନୁ, କହୁଛନ୍ତି ନିଜେ ପୁରୀ ଜିଲ୍ଲା ଅବକାରୀ ଇନିସପେକ୍ଟର ସଞ୍ଜୟ କୁମାର ପଣ୍ଡା । କେବଳ କହୁ ନାହାଁନ୍ତି, ସିଧା ବିଭାଗୀୟ କମିଶନରଙ୍କୁ ବି ଚିଠି ଲେଖିଛନ୍ତି ଜିଲ୍ଲା ଅବକାରୀ ଇନିସ୍‌ପେକ୍ଟର । ୪ ଜୁନ୍, ୨୦୨୨ ର ଏକ ଚିଠିରେ ସେ ଲେଖିଛନ୍ତି ମଦ ବ୍ୟବସାୟୀ, କୁଚିଆ, ଗଞ୍ଜେଇ ମାଫିଆ ସହ ଅନ୍ୟ ନିଶା ବେପାରରେ ଜଡ଼ିତ ଅପରାଧୀଠୁ ବଟି ଦାୟରେ ସଂପୃକ୍ତ ରହୁଛି ପୋଲିସ ।

ଗତ ବର୍ଷେ ହେଲାଣି ଚାଲିଛି ଏଭଳି ବଟି କାରବାର । ଯେଉଁ ଅଭିଯୁକ୍ତଙ୍କୁ ଧରୁଛି ଅବକାରୀ ବିଭାଗ, ସେହି ଅଭିଯୁକ୍ତଙ୍କଠୁ ବଟି ନେଉଛି ପୋଲିସ । ଫଳରେ ନିଶା ମାଫିଆ ଅବକାରୀ ବାଲାଙ୍କୁ ଖାତିର କରୁ ନାହାଁନ୍ତି । ଏହାଦ୍ୱାରା ସୀମିତ କର୍ମଚାରୀ, କମ୍ ଦରମା, ବିନା ଯାନବାହନ, ବିନା ସରକାରୀ କ୍ୱାର୍ଟର୍ସ, ବିନା ପୁରସ୍କାର ଆଉ ବିନା ସମ୍ମାନରେ କାମ କରୁଥିବା ଦାୟିତ୍ୱ ସମ୍ପନ୍ନ ଅବକାରୀ ଅଧିକାରୀଙ୍କୁ ହତୋତ୍ସାହିତ କରୁଛି ବୋଲି ଚିଠିରେ ଲେଖିଛନ୍ତି ସଞ୍ଜୟ କୁମାର । ଖାଲି ଚିଠି ନୁହେଁ, ଅବକାରୀ ବିଭାଗ ଏବଂ ପୋଲିସ ର ଦାୟିତ୍ୱକୁ ନେଇ ବି ଗଣମାଧ୍ୟମ ଆଗରେ ମନ୍ତବ୍ୟ ରଖିଛନ୍ତି ।

କେବଳ ଏତିକି ନୁହେଁ । କାଯର୍ୟଶୈଳୀ ଏବଂ ଦାୟିତ୍ୱ ଉପରକୁ ଅଙ୍ଗୁଳି ଉଠାଇ ପୁରୀ ଅବକାରୀ ଅଧିକ୍ଷକଙ୍କ ବିରୋଧରେ ମଧ୍ୟ ସିଧା ଆରୋପ ଲଗାଇଛନ୍ତି । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଜିଲ୍ଲା ଅବକାରୀ ଅଧୀକ୍ଷକ ଏବଂ ଅବକାରୀ ଇନିସପେକ୍ଟର । ଏପରିକି ଅବକାରୀ ଇନିସପେକ୍ଟରଙ୍କ ମୁଣ୍ଡ ଦୋଷ ଥିବା କହିବାକୁ ବି ପଛାଇ ନାହାଁନ୍ତି ଅଧୀକ୍ଷକ ।

ଏକଥା ସତ ଯେ, ଗତ କିଛିଦିନ ହେଲା ପୁରୀରେ ବ୍ୟାପକ ମାତ୍ରାରେ ଧରାପଡୁଛି ବେଆଇନ ନିଶା କାରବାର । ତାସହ ଗିରଫ ହୋଇଛନ୍ତି ବହୁ ନିଶା ମାଫିଆ । ଅର୍ଥାତ ପୋଲିସ ଏବଂ ଅବକାରୀ ବିଭାଗ ମଧ୍ୟରେ ସମନ୍ୱୟର ଅଭାବରୁ ବ୍ୟାପକ ମାତ୍ରାରେ ଚାଲିଛି ନିଶା କାରବାର ।

ନଚେତ୍ ଜିଲ୍ଲା ଅବକାରୀ ଇନିସପେକ୍ଟରଙ୍କ କହିବା ଅନୁଯାୟୀ ଉଭୟ ବିଭାଗର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଛତ୍ରଛାୟାରେ ଜାଲ ବିଛାଇଛନ୍ତି ନିଶା ମାଫିଆ । ତେବେ ସଞ୍ଜୟ ପଣ୍ଡାଙ୍କ ଏଭଳି ଚିଠି ସମ୍ପର୍କରେ ପୁରୀ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି । ତେବେ ଅବକାରୀ ବିଭାଗ ଓ ପୁରୀ ପୋଲିସରେ ହଟଚମଟ ସୃଷ୍ଟି ହୋଇଥିବା ଚିଠି ପ୍ରସଙ୍ଗରେ ଅବକାରୀ ମନ୍ତ୍ରୀ କହିଛନ୍ତି ଏହାର ଅନୁଧ୍ୟାନ କରାଯିବ ।