ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ

0
141
ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୯/୬) : ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି (ଦିଶା) ବୈଠକ କମିଟି ଅଧ୍ୟକ୍ଷା ତଥା ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣି ପଟେଲ, ଜିଲ୍ଲା ସ୍ତରୀୟ ଅଧିକାରୀ, ଦିଶା କମିଟି ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।

ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସ୍ୱାଗତ ବକ୍ତବ୍ୟ ରଖି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ ପ୍ରକଳ୍ପ ର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲା ର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ବିଭାଗ ଓ ଅଧିକାରୀଙ୍କୁ ଉପଯୁକ୍ତ ସମନ୍ଵୟ ରଖି ଯୋଜନା କାର୍ଯ୍ୟକାରୀ କରାଯିବାକୁ ମାନ୍ୟବର ସାଂସଦ ଶ୍ରୀମତୀ ସିଂଦେଓ ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ରୀୟ ଯୋଜନାରେ ଆବଣ୍ଟିତ ପାଣ୍ଠି ଜରିଆରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡିକର ସଠିକ୍ କାର୍ଯ୍ୟକାରିତା, ଅଗ୍ରଗତି ଓ ପାଣ୍ଠି ବିନିଯୋଗ ଉପରେ ସେ ଗୁରୁତ୍ୱାରୋପ କରିବା ସହ ସ୍ୱଚ୍ଛତା ସହକାରେ ଧାର୍ଯ୍ୟ ସମୟ ମଧ୍ୟରେ ସମାପନ କରିବାକୁ ପରାମର୍ଶ ଦେଇଛନ୍ତି ।

ବୈଠକରେ ସାଂସଦ ପାଣ୍ଠି ର କାର୍ଯ୍ୟକାରିତା, ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା ଓ ପୋଲ ନିର୍ମାଣ ଉପରେ ସମାକ୍ଷା କରାଯାଇ କାର୍ଯ୍ୟ ର ଗୁଣାତ୍ମକ ମାନ ଓ ପ୍ରକଳ୍ପ ରେ ଅର୍ଥ ର ସୁବିନିଯୋଗ ଉପରେ ଗୁରୁତ୍ୱାରୋପ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ଏଥି ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ଜାତୀୟ ସାମାଜିକ ସହାୟତା ଯୋଜନାରେ ଜିଲ୍ଲାରୁ ଅଧିକ ରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରି ଜନସାଧାରଣଙ୍କୁ ଯୋଜନାର ଲାଭ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜାତୀୟ ଗ୍ରାମୀଣ ଜୀବନ ଜୀବିକା ମିଶନ, ଅମୃତ ସରୋବର ର କାର୍ଯ୍ୟକାରିତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ଓ ସହରାଞ୍ଚଳ), ନିର୍ମାଣ ଶ୍ରମିକ ଯୋଜନା, ଖୋର୍ଦ୍ଧା ବଲାଙ୍ଗୀର ରେଲୱେ ପ୍ରକଳ୍ପ ର ଅଗ୍ରଗତି, ଜାତୀୟ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯୋଜନା, ଜଳ ଜୀବନ ମିଶନ, ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା, ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ର କାର୍ଯ୍ୟକାରିତା, ପ୍ରଧାନମନ୍ତ୍ରୀ କୌଶଲ ବିକାଶ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ଜାତୀୟ ଉଦ୍ୟାନ ମିଶନ, ସମଗ୍ର ଶିକ୍ଷା ଅଭିଯାନ, ମେଗା ଲିଫ୍ଟ, ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ତଥା ଅନ୍ୟାନ୍ୟ ଯୋଜନା ଉପର ସମୀକ୍ଷା ହୋଇଥିଲା । ଶେଷରେ ଡିଆରଡିଏ ପିଡି ଡୋଳାମଣି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।