ପ୍ରସିଦ୍ଧ ହାବସପୁରୀ ଶାଢୀ ର ଏନ୍ତୁଡିଶାଳ ଆଜି ବିପର୍ଯ୍ୟସ୍ତ

0
182
ପ୍ରସିଦ୍ଧ ହାବସପୁରୀ

ରିପୋର୍ଟ : ଦେବଦତ୍ତ ରଥ
କଳାହାଣ୍ଡି, ତା. (୧୪/୦୬) : ସମଗ୍ର କଳାହାଣ୍ଡି ଜିଲ୍ଲା କାହିଁକି ସାରା ରାଜ୍ୟରେ ପ୍ରସିଦ୍ଧ ହାବସପୁରୀ ଶାଢୀ ର ଚାହିଁଦା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏବେ ରାଜ୍ୟ ବାହାରେ ମଧ୍ୟ ଏହାର ସୁନାମ ବଢିବାରେ ଲାଗିଛି । ହେଲେ ଦୁଃଖ ର ବିଷୟ ଏହି ଯେ ଏହି ଶାଢୀ ର ଏନ୍ତୁଡିଶାଳ କୁହାଯାଉଥିବା ହାବସପୁର ଗ୍ରାମ ର ବୁଣାକାର ମାନେ ଆଜି ଅବହେଳିତ ହେବାରେ ଲାଗିଛନ୍ତି ।

ହାବସପୁର ଠାରେ ଥିଭା ବୁଣାକାର ମାନେ ଆଜି ଅବହେଲିତ ହେଉଥିବା କୁହାଯାଉଛି । ସ୍ଥାନୀୟ କୁଜି ନେତାମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥ ଜନିତ ଚକ୍ରାନ୍ତରେ କବଳିତ ହୋଇ ରାଜନୈତିକ ଉଦାସୀନତା ଯୋଗୁଁ ବହୁ ପ୍ରସିଦ୍ଧ ହାବସପୁରୀ ଶାଢୀ ଆଜି ଲୋପ ପାଇବାକୁ ବସିଥିବା ହେତୁ ବୁଦ୍ଧିଜୀବି ମହଲରେ ଉଦବେଗ ପ୍ରକାଶ ପାଇବାରେ ଲାଗିଛି ।

ରାଜାରାଜୁଡା ସମୟରୁ ଓଡିଶା ର ସମ୍ବଲପୁର, ବରଗଡ, ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବସବାସ କରୁଥିବା ଏବଂ କଳାହାଣ୍ଡି ଜିଲ୍ଲାର ହାବସପୁର, ଚିଚୈଗୁଡା, ବଳଦିଆମାଳ, ପଳାସ ଆଦି ଗ୍ରାମ ଗୁଡିକରେ ବସବାସ କରୁଥିବା ମେହେର ସମ୍ପ୍ରଦାୟ ର ବୁଣାକାର ମାନେ ହାତରେ ବିଭିନ୍ନ କିସମ ର କପଡା ବୁଣୁଥିଲେ ଏବଂ ସେସବୁର ବେଶ ଚାହିଦା ଥିଲା ।

ଆଜି ମଧ୍ୟ ସମ୍ବଲପୁରୀ ଶାଢୀ ର ଦେଶ ବିଦେଶରେ ବେଶ ସୁନାମ ତଥା ଚାହିଁଦା ରହିଛି । ଠିକ ସେହିପରି କଳାହାଣ୍ଡି ର ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ଗ୍ରାମରେ ବସବାସ କରୁଥିବା ମେହେର ସମ୍ପ୍ରଦାୟ ର ବୁଣାକାର ମାନେ ବିଭିନ୍ନ ଶୈଳିରେ ବୁଣୁଥିବା ଶାଢୀ ର ଚାହିଁଦା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସେହି ଶାଢୀକୁ ପ୍ରସିଦ୍ଧ ହାବସପୁରୀ ଶାଢୀ ବୋଲି କ୍ରମଶଃ ମାନ୍ୟତା ମିଲିସାରିଥିଲା । କାଳକ୍ରମେ ହାବସପୁର ଠାରେ ଏକ ତନ୍ତୁବାୟ ସମିତି ଗଠନ କରାଯାଇ ସମସ୍ତ ବୁଣାକାର ପରିବାରଙ୍କୁ ଏକଯୁଟ କରିବାକୁ ପ୍ରୟାସ କରାଯାଇ ହାବସପୁରୀ ଶାଢୀ ର ପ୍ରଚାର ପ୍ରସାର କରାଯିବାର ବ୍ୟବସ୍ଥା କରାଯାଇଥିଲା ।

ଦୀର୍ଘ ଦିନ ପରେ ଏହି ହାବସପୁରୀ ଶାଢୀ ର ପୁନଃ ଚାହିଁଦା ବଢିବାରେ ଲାଗିଛି ହେଲେ ଏହାର ଏନ୍ତୁଡିଶାଳ କୁହାଯାଉଥିବା ହାବସପୁର ଠାରେ ତନ୍ତୁ କାମ କରୁଥିବା ମେହେର ସମ୍ପ୍ରଦାୟ ମାନଙ୍କ ଅବସ୍ଥା କ୍ରମଶଃ ଶୋଚନୀୟ ହେବାରେ ଲାଗିଛି । ପ୍ରାୟତଃ ସେମାନେ ଆଉ ତନ୍ତୁ କାର୍ଯ୍ୟ କରିପାରୁ ନଥିବା ବେଳେ ଚିଚୈଗୁଡା ଓ ବଳଦିଆମାଳ ଠାରେ ଥିବା ମେହେର ମାନେ ହାବସପୁରୀ ଶାଢୀ ବୁଣୁଥିବା ଜଣାପଡିଛି ।

ରାଜନୈତିକ ଉଦାସୀନତା ଏବଂ ସ୍ଥାନୀୟ କୁଜି ନେତାଙ୍କ ଚକ୍ରାନ୍ତରେ ହାବସପୁର ଠାରେ ଥିବା ତନ୍ତୁବାୟ ସମିତି ଅପନ୍ତରା ହୋଇ ପଡିରହିଥିବା ବେଳେ ଏହାକୁ ବନ୍ଦ କରିଦେଇ ସେହି ସରକାରୀ ଜାଗାକୁ ଅକ୍ତିଆର କରିନେବାର ଭିତିରିଆ ଯୋଜନା କରାଯାଉଥିବାର ସାଧାରଣରେ ଅଭିଯୋଗ ହେଉଛି । ଏ ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ସ୍ଥାନୀୟ ଜନପ୍ରତିନିଧି ତଥା ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଦାବୀ କରାଯାଇଥିଲେ ହେଁ ସ୍ଥାନୀୟ କୁଜିନେତା ମାନଙ୍କ ଦ୍ୱାରା ଭୂଲ ତଥ୍ୟ ଉପସ୍ଥାପନ କରାଯାଇ କ୍ଷମତା ର ଅପବ୍ୟବହାର ମାଧ୍ୟମରେ ତନ୍ତୁବାୟ ସମିତିର ପୁନରୁଦ୍ଧାର ପାଇଁ ଦାବୀ କରୁଥିବା ନୀରିହ ମାନଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରାଯିବା ସହିତ ପୋଲିସ ର ଭୟ ଦେଖାଯାଇଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।

ସୂଚନା ଯୋଗ୍ୟ ଯେ, ହାବସପୁର ଗ୍ରାମ ପଞ୍ଚାୟତ ଅଫିସ ପାଶ୍ୱର୍ରେ ଦୀର୍ଘ ବର୍ଷ ହେବ ତନ୍ତୁବାୟ ସମିତି ର ଘର ନିର୍ମାଣ କରାଯାଇ ସେଠାରେ ବୁଣାକାରମାନଙ୍କ ଦ୍ୱାରା ବିଭିନ୍ନ କପଡା ବୁଣାଯାଉଥିଲା । ଏହାର ଦକ୍ଷିଣକୁ ସରକାରୀ ଡାକ୍ତରଖାନା ପାଇଁ କୋଠା ନିର୍ମାଣ ହେବା ପରେ ତନ୍ତୁବାୟ ସମିତି ର ଘର ସାମନାରେ ଡାକ୍ତରଖାନା ର ମୂଖ୍ୟ ରାସ୍ତା କରାଯାଇଥିଲା ।

କ୍ଷମତାସୀନ ହେଭିୱେଟ ନେତାଙ୍କ ଆଞ୍ଚଳିକ ପ୍ରତିନିଧି ଭାବେ ନିଜକୁ ଏହି ଅଞ୍ଚଳ ର କିଙ୍ଗ ମେକର ବୋଲି ଦେଖାଇ ହେଉଥିବା ସମ୍ପୃକ୍ତ କୁଜି ନେତା ହାବସପୁର ଡାକ୍ତରଖାନା ଗେଟ ପାଶ୍ୱର୍ରେ ନିଜର ଔଷଧ ଦୋକାନ କରିବା ଲକ୍ଷ୍ୟ ନେଇ ଚକ୍ରାନ୍ତ କରିଥିବାର ଆଲୋଚନା ହେଉଛି । ଶାଶୁ ବୋହୁ ମଧ୍ୟରେ ଔଷଧ ଦେବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାପରେ ଭଡାଘରେ କରିଥିବା ଔଷଧ ଦୋକାନ ରୁ ତଡା ଖାଇବା ପରେ ସମ୍ପୃକ୍ତ କୁଜି ନେତା କ୍ଷମତା ର ଅପବ୍ୟବହାର କରି ହାବସପୁର ଆରଆଇଙ୍କୁ ଚାପ ପକାଇ ତନ୍ତୁବାୟ ସମିତି ଘର ର ରାସ୍ତା ସାମନାରେ ଏବଂ ଡାକ୍ତରଖାନା ଗେଟ ପାଶ୍ୱର୍ରେ ଥିବା ଖାଲି ଜାଗାକୁ ନିଜ ସମର୍ଥକଙ୍କ ନାମରେ କରାଇ ନେଇଥିବା ଅଭିଯୋଗ ହେଉଛି ।

ଜମିହୀନ ମାନଙ୍କୁ ସରକାରୀ ଯୋଜନାରେ ୪ ଡିସମିଲ ଘରଡିହ ଯୋଗାଇ ଦେବାର ନିୟମ ଥିବା ବେଳେ ହାବସପୁର ର ଖାତା ନଂ. ୫୬୦ ରେ ଥିବା ଉକ୍ତ ଜମିକୁ ସମ୍ପୃକ୍ତ କୁଜି ନେତା ନିଜ ସମର୍ଥକଙ୍କ ନାମରେ ଚଞ୍ଚକତା କରି ଖାତା ନଂ. ୫୫୬/୧୮ ଅନୁସାରେ ୪ ଡିସମିଲ ଜମି କରାଇ ନେଇ ତୁରନ୍ତ ସେହି ଜମିରେ ଔଷଧ ଦୋକାନ କରିବାକୁ ର ନିର୍ମାଣ କରିଦେଇଥିବା ଜଣାପଡିଛି ।

ଏ ସମ୍ପର୍କରେ ଗ୍ରାମବାସୀଙ୍କ ତରଫରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଆପତି କରାଯାଇଥିଲେ ହେଁ ଶାସକ ଦଳ ର ଛତ୍ରଛାୟା ତଳେଥିବା ସମ୍ପୃକ୍ତ କୁଜି ନେତା ଙ୍କ ଷଡଯନ୍ତ୍ରରେ ଆପତ୍ତିକାରୀଙ୍କୁ ଅନେକ ହଇରାଣ ହରକତ କରାଯାଇଥିବା କୁହାଯାଉଛି । ହାବସପୁରରେ ଖାତା ନଂ. ୫୬୦ ରେ ଅନେକ ସରକାରୀ ଜମି ରହିଛି ଏବଂ ତନ୍ମଧ୍ୟରୁ କେତେକ ଜମି ହାବସପୁର ଗ୍ରାମ ପଞ୍ଚାୟତ ଅଞ୍ଚଳ ର ଅନେକ ଘରଡିହ ହୀନ ମାନଙ୍କୁ ଘରଡିହ ଆକାରରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ।

ହେଲେ ତଥା କଥିତ ଶାସକ ଦଳ ର କୁଜି ନେତାଙ୍କ ସମର୍ଥକ କେବଳ ଜଣେ ମାତ୍ର ହିତାଧିକାରୀଙ୍କୁ ତାଙ୍କର ପୈତୃକ ଘରଡିହ ଥିଲେ ହେଁ କିପରି ଓ କେଉଁ ଉଦ୍ଦେଶ୍ୟରେ ଉକ୍ତ ଡିହ ଯୋଗାଇ ଦିଆଯାଇଛି ତାହା ମୂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ସମ୍ପୃକ୍ତ କୁଜି ନେତା ଚକ୍ରାନ୍ତ କରି ଜମି ହାତେଇଥିବା ଘଟଣାକୁ ଅସ୍ୱୀକାର କରିଥିଲେ ହେଁ ଅଧିକ ତଦନ୍ତ କଲେ ଆହୁରି ଅନେକ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି ।