ବନ୍ଦ ହୋଇପାରେ ମାଗଣା ଯୋଜନା : ଅର୍ଥ ମନ୍ତ୍ରାଳୟ ଉଠାଇଲେ ମାଗଣା ଯୋଜନା ଉପରେ ପ୍ରଶ୍ନ

0
148
ବନ୍ଦ ହୋଇପାରେ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୨୫/୦୬) : ବନ୍ଦ ହୋଇପାରେ ମାଗଣା ଯୋଜନା । ରିଜର୍ଭ ବ୍ୟାଙ୍କ ପରେ ଅର୍ଥ ମନ୍ତ୍ରାଳୟ ଉଠାଇଲେ ମାଗଣା ଯୋଜନା ଉପରେ ପ୍ରଶ୍ନ ।

ବନ୍ଦ ହୋଇପାରେ ମାଗଣା ଯୋଜନା କାରଣ ମାଗଣା ଯୋଜନା ଏବଂ ସବସିଡି ଛାଡ ପାଇଁ ଆର୍ଥିକ ବୋଝ ବଢୁଥିବା ସୂଚନା ରହିଛି । କରୋନା ମହାମାରୀ ସମୟରୁ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉଛି । ଶେଷଥର ପାଇଁ ଗତ ମାର୍ଚ୍ଚରେ ଏହାକୁ ୬ ମାସ ପାଇଁ ଅର୍ଥାତ୍ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ସେପ୍ଟେମ୍ବର ପରେ ଏହି ଯୋଜନାର ଅବଧି ଆଉ ନବଢ଼ାଇବାକୁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଯୁକ୍ତି ଦର୍ଶାଇଛି ।

କେବଳ ମାଗଣା ଖାଦ୍ୟ ଯୋଜନା ନୁହେଁ, ବଡ଼ଧରଣ ର ଟିକସ ହ୍ରାସକୁ ମଧ୍ୟ ବ୍ୟୟ ବିଭାଗ ବିରୋଧ କରିଛି । ଏସବୁ କରାଗଲେ, ସରକାରଙ୍କ ବିତ୍ତିୟ ସ୍ଥିତି ବିଗିଡ଼ିଯିବ ବୋଲି ବ୍ୟୟ ବିଭାଗ ସତର୍କ କରାଇ ଦେଇଛି । ନିକଟରେ ସରକାର ମାଗଣା ରାସନ ପ୍ରଦାନ ର ଅବଧି ବୃଦ୍ଧି, ସାର ସବସିଡି ରାଶି ବୃଦ୍ଧି, ରନ୍ଧନ ଗ୍ୟାସ ଉପରେ ପୁନର୍ବାର ସବସିଡି ପ୍ରଦାନ, ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ଏବଂ ଖାଇବା ତେଲ ଓ ଅନ୍ୟ କେତେକ ସାମଗ୍ରୀ ଉପରେ ଆମଦାନି ଶୁଳ୍କ ହ୍ରାସ ଦେଶ ର ଆର୍ଥିକ ସ୍ଥିତି ଉପରେ ଗୁରୁତର ପ୍ରଭାବ ପକାଇଛି । ସବସିଡି ବୃଦ୍ଧି ଏବଂ ରାଜସ୍ୱ ହ୍ରାସ ଯୋଗୁ ଜିଡିପି ର ୬.୮ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଏବେ ଫିଚ ରେଟିଙ୍ଗସ୍ ଆକଳନ କରିଛି ।

୨୦୨୦ ମାର୍ଚ୍ଚରେ ଲକ୍‌ଡାଉନ ଘୋଷଣା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଘୋଷଣା ହୋଇଥିଲା । ଉକ୍ତ ଯୋଜନାରେ ମୁଣ୍ଡପିଛା ୫ କେଜି ଚାଉଳ ଓ କେଜିଏ ଚଣା ମାଗଣାରେ ପ୍ରଦାନ କରାଯାଉଛି । ଦେଶରେ ପ୍ରାୟ ୮୧ କୋଟିରୁ ଅଧିକ ଲୋକ ଏହି ସୁବିଧା ପାଇଥିଲେ ।

ଏଥିସହିତ ସେହି ବ୍ୟକ୍ତିମାନେ ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରିହାତି ମୂଲ୍ୟରେ ଖାଦ୍ୟ ସାମଗ୍ରୀ ପାଉଛନ୍ତି । ତେଣୁ ଗୋଟିଏ ଯୋଗ୍ୟ ପରିବାର ମାସକୁ ପ୍ରାୟ ୫୦ କେଜି ଖାଦ୍ୟଶସ୍ୟ ପାଉଛନ୍ତି । ମହାମାରୀ ନଥିବା କାରଣରୁ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ସେମାନଙ୍କୁ ପ୍ରଦାନ କରାଯାଉଛି ବୋଲି ବ୍ୟୟ ବିଭାଗ କହିଛି ।