ବନ୍ୟା ସ୍ଥିତି ସମୀକ୍ଷା କରିବାକୁ ଯାଇ ଫସିଗଲେ ଜିଲ୍ଲାପାଳ

0
125
ବନ୍ୟା ସ୍ଥିତି ସମୀକ୍ଷା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜୟପୁର, (୧୭/୦୭) : ବନ୍ୟା ସ୍ଥିତି ସମୀକ୍ଷା କରିବାକୁ ଯାଇ ଫସିଗଲେ ଜିଲ୍ଲାପାଳ । ଏଭଳି ଘଟଣା ଘଟିଛି ରାଜସ୍ଥାନ ର ଶ୍ରୀ ଗଙ୍ଗାନଗର ସହରରେ ।

ମହାରାଷ୍ଟ୍ର, ଆସାମ, ଗୁଜରାଟ ଠାରୁ ଆରମ୍ଭ କରି ରାଜସ୍ଥାନ ଯାଏଁ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । ରାଜସ୍ଥାନ ର ଶ୍ରୀ ଗଙ୍ଗାନଗରରେ ଗତ ୪୮ ଘଣ୍ଟା ଧରି ବର୍ଷା ଲାଗି ରହିବା ଯୋଗୁଁ ସ୍କୁଲ, କଲେଜ ବନ୍ଦ ରହିଛି । ଅନେକ ଲୋକେ ଜଳବନ୍ଦୀ ହୋଇଛନ୍ତି । ଏଭଳି ସ୍ଥିତିରେ ବନ୍ୟା ସ୍ଥିତି ସମୀକ୍ଷା କରିବାକୁ ଯାଇଥିବା ଜିଲ୍ଲାପାଳ ନିଜେ ଫସିଯାଇଥିଲେ, ଯାହାର ଭିଡିଓ ସାମ୍ନାକୁ ଆସିଛି ।

ଶ୍ରୀ ଗଙ୍ଗାନଗରରେ ବର୍ଷା ପରେ ହୋଇଥିବା କ୍ଷୟକ୍ଷତି ର ଆକଳନ କରିବା ସହିତ ସ୍ଥିତି ଅନୁଧ୍ୟାନ ପାଇଁ ବୋଲେରୋରେ ବାହାରିଥିଲେ ଜିଲ୍ଲାପାଳ ରୁକ୍ମିଣୀ ରିଆର୍‌ । ସହର ର ବିଭିନ୍ନ ପ୍ରାନ୍ତରେ ଅଣଓସାରିଆ ବସ୍ତିରେ ଫସି ରହିଥିବା ଲୋକଙ୍କ ବିଷୟରେ ସୂଚନା ପାଇବା ପରେ ଜିଲ୍ଲାପାଳ ବୋଲେରୋରେ ମଲ୍ଟି ପର୍ପୋଜ୍ ସ୍କୁଲ ନିକଟରେ ନିର୍ମିତ ଏକ ବ୍ରିଜ୍ ଦେଇ ଯାଉଥିଲେ । ତେବେ ଅଣ୍ଡର ବ୍ରିଜ୍ ତଳେ ଓ ଏହା ଆଖପାଖରେ ଏତେ ପାଣି ହୋଇଥିଲା ଯେ ଜିଲ୍ଲାପାଳଙ୍କ ଗାଡ଼ି ପାଖାପଖି ଅଧା ବୁଡ଼ି ଯାଇଥିଲା ।

ଗାଡ଼ିଟି ବ୍ରିଜ୍ ନିକଟରେ ପାଣିରେ ଅଧା ବୁଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକେ ଦେଖି ସାହାଯ୍ୟ କରିବାକୁ ଆସିଥିଲେ । ସେମାନେ ଗାଡ଼ିଟିକୁ ପଛକୁ ଠେଲି ଠେଲି ପାଣି ଭିତରୁ ବାହାର କରିଥିଲେ । ଏହି ପୂରା ଘଟଣା ର ଦୃଶ୍ୟକୁ କେହି ମୋବାଇଲ୍‌ରେ ରେକର୍ଡ କରିଥିବା ବେଳେ ଏହା ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ଗତ କିଛି ଦିନ ହେବ ଲଗାତ ର ବର୍ଷା ଜାରି ରହିଛି । ବିକାନେର, ଗଙ୍ଗାନଗର ଏବଂ ଜୈସଲମେର ପରି ଜିଲ୍ଲା ଗୁଡିକରେ ୨ ଗୁଣ ଅଧିକ ବର୍ଷା ହୋଇଛି । ଜୟପୁର ପାଣିପାଗ କେନ୍ଦ୍ର ଏବଂ ଜଳ ସମ୍ପଦ ବିଭାଗ ର ରିପୋର୍ଟ ଅନୁଯାୟୀ, ଗତ ୪୮ ଘଣ୍ଟା ମଧ୍ୟରେ ଗଙ୍ଗାନଗରରେ ୨୭୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ବନ୍ୟା ପରିସ୍ଥିତି ର ମୁକାବିଲା ପାଇଁ ସେନା ଏବଂ ପ୍ରଶାସନିକ ଦଳ ଲୋକଙ୍କୁ ରିଲିଫ ଯୋଗାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଅନେକ ଅଞ୍ଚଳରୁ ଜଳ ନିଷ୍କାସନ କରି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରାୟ ୧୦୦ ଟି ବଡ଼ ପମ୍ପ ସାହାଯ୍ୟରେ ବିଏସ୍ଏଫ୍ ଏବଂ ସେନା ର ଯବାନ ମାନେ ସହର ର ତଳିଆ ଅଞ୍ଚଳରେ ଭର୍ତ୍ତି ହୋଇଥିବା ଜଳକୁ ହଟାଇବା ଉଦ୍ୟମ ଜାରି ରଖିଛନ୍ତି ।