ଭାରୋତ୍ତଳନରେ ଭାରତକୁ ଆଉ ଏକ ସଫଳତା : ଅଚିନ୍ତା ଶୁଳି ଜିତିଲେ ଗୋଲ୍ଡ ମେଡାଲ

0
134
ଭାରୋତ୍ତଳନରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବର୍ମିଂହାମ/ନୂଆଦିଲ୍ଲୀ, (୦୧/୦୮) : ବର୍ମିଂହାମରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ଭାରୋତ୍ତଳନରେ ମିଳିଛି ଭାରତକୁ ଏହି ସଫଳତା ।

ଭାରୋତ୍ତଳନ ର ୭୩ କିଲୋଗ୍ରାମ ବର୍ଗରେ ଅଚିନ୍ତା ଶୁଳି ଏହି ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ଏହାସହ ରାଜ୍ୟଗୋଷ୍ଠୀ କ୍ରୀ଼ଡାରେ ଭାରୋତ୍ତଳନରେ ସବୁଠାରୁ ଅଧିକ ପଦକ ହାସଲ କରିଥିବା ଦେଶ ମଧ୍ୟରେ ସାମିଲ ହୋଇପାରିଛି ଭାରତ ।

ଅଚିନ୍ତା ସ୍ନାଚରେ ୧୪୩ କେଜି ଓଜନ ଉଠାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେକର୍ଡ କରିଛନ୍ତି । ସେ କ୍ଲିନ୍ ଏଣ୍ଡ୍ ଜର୍କର ପ୍ରଥମ ଉଦ୍ୟମରେ ୧୬୬ କେଜି ଓଜନ ଉଠାଇଥିଲେ । ଦ୍ୱିତୀୟ ପ୍ରୟାସରେ ଫେଲ୍ ମାରିଥିଲେ ମଧ୍ୟ ତୃତୀୟ ପ୍ରୟାସରେ ୧୭୦ କେଜି ଉଠାଇବାରେ ସକ୍ଷମ ହୋଇଥିଲେ । ଫଳରେ ମୋଟ ୩୧୩ କେଜି ଓଜନ ଉଠାଇ ଏହି ମେଡାଲ ହାସଲ କରିବାରେ ସଫଳ ହୋଇଛନ୍ତି ଅଚିନ୍ତା ଶୁଳି ।

ରୌପ୍ୟ ପଦକ ପାଇଥିବା ପ୍ରତିଯୋଗୀଙ୍କ ଠାରୁ ୧୦ କେଜି ଅଧିକ ଓଜନ ଉଠାଇଛନ୍ତି ଅଚିନ୍ତା ଶୁଳି । ମାଲେସିଆ ର ଏରି ହିଦାୟତ ରୌପ୍ୟ ପଦକ ହାସଲ କରିଥିଲେ । ୨୦୨୧ ରାଜ୍ୟଗୋଷ୍ଠୀ ଚାମ୍ପିଅନସିପ୍‌ରେ ଅଚିନ୍ତା ଗୋଲ୍ଡ ମେଡାଲ ଜିତିଥିଲେ । ସେହି ବର୍ଷ ଜୁନିୟର ଓ୍ୱାର୍ଲଡ ଚାମ୍ପିଅନସିପ୍‌ରେ ସେ ରୌପ୍ୟ ପଦକ ହାସଲ କରିଥିଲେ ।

ଅଚିନ୍ତାଙ୍କ ଗୋଲ୍ଡ ମେଡାଲ ସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଅଦ୍ୟାବଧୀ ୬ ଟି ପଦକ ହାସଲ କରିସାରିଲାଣି । ଏହି ସମସ୍ତ ମେଡାଲ ଭାରୋତ୍ତଳନରେ ହିଁ ମିଳିଛି । ଅଚିନ୍ତା ଶୁଳି ଙ୍କ ପୂର୍ବରୁ ମୀରାବାଇ ଚାନୁ ଏବଂ ଜେରେମି ଲାଲରିନୁଂଗା ଭାରୋତ୍ତୋଳନରେ ଦେଶ ପାଇ ସ୍ୱର୍ଣ୍ଣ ଜିତିଛନ୍ତି । ସଂକେତ ମହାଦେବ ସରଗର ଏବଂ ବିନ୍ଦିଆଦେବୀ ରାଣୀ ରୌପ୍ୟ ପଦକ ଜିତିଛନ୍ତି । ଗୁରୁରାଜ ପୂଜାରୀ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଭାରତକୁ ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୩ ଟି ସ୍ୱର୍ଣ୍ଣ, ୨ ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଚ ପଦକ ମିଳିଛି ।