ରାଜ୍ୟରେ ବର୍ଷକୁ ୩୦ ହଜାରରୁ ଅଧିକ କ୍ୟାନସର ରୋଗୀ

0
273
ରାଜ୍ୟରେ ବର୍ଷକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୨/୦୮) : ରାଜ୍ୟରେ ବର୍ଷକୁ ୩୦ ହଜାରରୁ ଅଧିକ କ୍ୟାନସର ରୋଗୀ । ଗତ ୩ ବର୍ଷ ମଧ୍ୟରେ ମୋଟ ୯୨,୬୯୯ ଜଣ କ୍ୟାନସର ରୋଗୀ ଚିହ୍ନଟ ହୋଇଛନ୍ତି ଓ ଏହି ଅବଧି ମଧ୍ୟରେ ମୋଟ ୩୧,୬୯୨ ଜଣ କ୍ୟାନସର ରୋଗୀଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ବର୍ଷକୁ ୩୦ ହଜାରରୁ ଅଧିକ କ୍ୟାନସର ରୋଗୀ ଏବେ ଚିନ୍ତା ର ବିଷୟ ପାଲଟିଛି । ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, କ୍ୟାନସର ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ କଟକ ସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ କ୍ୟାନସର ଇନଷ୍ଟିଚ୍ୟୁଟରେ ଅଧିକ ସଂଖ୍ୟକ ବେଡ୍ ବ୍ୟବସ୍ଥା ହୋଇଛି । ଏହା ସହିତ ସେଠାରେ କ୍ୟାନସର ଅସ୍ତ୍ରୋପଚାର ସୁବିଧା ମଧ୍ୟ ରହିଛି ।

ଓଡ଼ିଶା ସରକାରଙ୍କ କ୍ୟାନସର କେୟାର କାର୍ଯ୍ୟକ୍ରମ ଅନ୍ତର୍ଗତ ଏବେ ୧୧ ଟି ଅତ୍ୟାଧୁନିକ କ୍ୟାନସର ଚିହ୍ନଟ ଓ ଚିକିତ୍ସା କେନ୍ଦ୍ର ସ୍ଥାପନ ଦିଗରେ କାର୍ଯ୍ୟ ଆରମ୍ଭ ହୋଇସାରିଛି । ରାଜ୍ୟର ବିଭିନ୍ନ ଜିଲ୍ଲା ହସ୍ପିଟାଲରେ ପ୍ରାୟ ୩୨ଟି ସ୍ଥାନରେ ରୋଗୀଙ୍କୁ ପ୍ରଶିକ୍ଷିତ ଡାକ୍ତର ଓ ନର୍ସଙ୍କ ମାଧ୍ୟମରେ କ୍ୟାନସର ରୋଗୀମାନଙ୍କୁ କେମୋଥେରାପି ଦିଆଯାଉଛି । ଝାରସୁଗୁଡ଼ାରେ ଏବେ ପିପିପି ମୋଡରେ ୧୨୦ ବେଡ୍ ବିଶିଷ୍ଟ ହସ୍ପିଟାଲ ନିର୍ମାଣ ଆରମ୍ଭ ହୋଇଛି, ଯେଉଁଠି କ୍ୟାନସର ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିପାରିବ ବୋଲି ମନ୍ତ୍ରୀ କହିଛନ୍ତି ।