ପାର୍ବଣ ଋତୁ ପାଇଁ ନୂଆ ଗାଇଡଲାଇନ : ସାଜସଜ୍ଜାକୁ ନା, ପ୍ରତିମା ଉଚ୍ଚତା ୪ ଫୁଟରୁ କମ୍ ରହିବ

0
242

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର,(୦୯/୦୮) : କରୋନା ସଂକ୍ରମଣ ସମୟରେ ପାର୍ବଣ ଋତୁ ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ଗାଇଡଲାଇନ । ଆଗକୁ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଆଦି ପଡ଼ୁଥିବା ବେଳେ ସରକାର କଟକଣା ସହିତ ଗାଇଡଲାଇନ ଜାରି କରିଛନ୍ତି । ପୂଜା ଆୟୋଜନ ପାଇଁ ପୂଜା କମିଟି ଗୁଡ଼ିକୁ ଅନୁମତି ନେବାକୁ କୁହାଯାଇଛି । ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ନେବା ଜରୁରୀ ବୋଲି ନିର୍ଦ୍ଦେଶ ରହିଛି ।

ପାର୍ବଣ ଋତୁ ପାଇଁ ଜିଲ୍ଲାରେ ଜିଲ୍ଲାପାଳ ଓ ଟୁଇନ ସିଟିରେ ସିପିଙ୍କ ଅନୁମତି ନେବାକୁ କୁହାଯାଇଛି । କେବଳ ପରମ୍ପରା ରକ୍ଷା ପାଇଁ ନିରାଡ଼ମ୍ବର ଭାବେ ପୂଜା କରାଯିବ । କୌଣସି ସାଜସଜ୍ଜା ପାଇଁ ମନା କଯାଇଥିବା ବେଳେ ମଣ୍ଡପକୁ ଶ୍ରଦ୍ଧାଳୁ ଆସି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ମଣ୍ଡପ ତିନି ପାର୍ଶ୍ୱରୁ ବନ୍ଦ ରହିବ । ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରହିବ । ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ ବୋଲି କୁହାଯାଇଛି ।

ସେହିପରି ମଣ୍ଡପରେ ପ୍ରତିମା ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ ରହିଛି । ପୂଜା ମଣ୍ଡପରେ ଏକ ସମୟରେ ୭ ଜଣରୁ ଅଧିକ ଲୋକ ଏକାଠି ରହିପାରିବେ ନାହିଁ । ପୂଜକ, ଆୟୋଜକ ଓ କର୍ତ୍ତାଙ୍କୁ ମିଶାଇ ୭ ଜଣରୁ ଅଧିକ ରହି ପାରିବେନି ବୋଲି କୁହାଯାଇଛି । ବିସର୍ଜନରେ ଶୋଭାଯାତ୍ରା ବାରଣ କରାଯାଇଥିବା ବେଳେ ଅସ୍ଥାୟୀ ପୋଖରୀରେ ହେବ ବିସର୍ଜନ କରିବାକୁ କୁହାଯାଇଛି ।

ମେଲୋଡ଼ି, ଭଜନ ସଂଧ୍ୟା ଭଳି କୌଣସି ମନୋରଂଜନ କାର୍ଯ୍ୟ ଆୟୋଜନ କରାଯାଇ ପାରିବ ନାହିଁ । ପୂଜାରେ ଭୋଜିଭାତ କରିବାକୁ ଅନୁମତି ଦିଆଯାଇ ନାହିଁ । ଶିକ୍ଷାନୁଷ୍ଠାନରେ ଗଣେଶ ପୂଜାକୁ ଅନୁମତି ମିଳିଛି । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ହୋଇପାରିବ ଗଣେଶ ପୂଜା । ସମସ୍ତ କୋଭିଡ ନିୟମ ମାନି ଗଣେଶ ପୂଜା କରିବାକୁ ଅନୁମତି ଦିଆଯାଇଛି । ଗାଇଡଲାଇନ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।