ପ୍ରାର୍ଥନା ବେଳେ ଚର୍ଚ୍ଚ ଭିତରେ ଭୟଙ୍କର ଅଗ୍ନିକାଣ୍ଡ, ୪୧ ମୃତ

0
126
ପ୍ରାର୍ଥନା ବେଳେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଇଜିପ୍ଟ/ନୂଆଦିଲ୍ଲୀ, (୧୫/୦୮) : ପ୍ରାର୍ଥନା ବେଳେ ଚର୍ଚ୍ଚ ଭିତରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜୀବନ୍ତ ଜଳିଗଲେ ୪୧ ଶ୍ରଦ୍ଧାଳୁ । ଏଥସହ ଅନେକ ଗୁରୁତର ଆହତ ହୋଇଛନ୍ତି । ଇଜିପ୍ଟ ର ରାଜଧାନୀ କାଇରୋରେ ଏହି ଅଘଟଣ ଘଟିଛି ।

ସୂଚନା ମୁତାବକ ଇଜିପ୍ଟ ର ରାଜଧାନୀ କାଇରୋରେ ଥିବା ଅବୁ ସେଫିନ ଚର୍ଚ୍ଚରେ ଲୋକେ ପ୍ରାର୍ଥନା ପାଇଁ ଭିଡ ଜମାଇଥିଲେ । ଏହି ସମୟରେ କୌଣସି କାରଣବଶତଃ ପ୍ରାର୍ଥନା ବେଳେ ଚର୍ଚ୍ଚ ଭିତରେ ନିଆଁ ଲାଗିଯାଇଥିଲା । ଧୂଆଁମୟ ହୋଇଯାଇଥିଲା ପୂରା ଚର୍ଚ୍ଚ ପରିସର । ଏହା ଦେଖି ଲୋକେ ଆତଙ୍କିତ ହୋଇପଡିଥିଲେ । ଜୀବନ ବିକଳରେ ଦୌଡିବାକୁ ଲାଗିଥିଲେ । ନିଆଁରୁ ବର୍ତ୍ତିବା ପାଇଁ ଚେଷ୍ଟା କରିବାକୁ ଯାଇ ଅନେକ ଲୋକେ ବିଲ୍ଡିଂ ଉପରୁ ତଳକୁ ଡେଇଁ ପଡିଥିଲେ ।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଅଣ ନିଶ୍ୱାସ ହେବା ଯୋଗୁଁ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଛି । ନିଆଁ ଲାଗି ପାଖାପାଖି ୧୬ ଜଣ ଆହତ ହୋଇଛି । ଏଥିରେ ୪ ଜଣ ପୁଲିସକର୍ମୀ ମଧ୍ୟ ସାମିଲ ଅଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ମୃତକଙ୍କ ମଧ୍ୟରେ ୧୫ ଜଣ ଛୋଟ ଛୁଆ ସାମିଲ ଅଛନ୍ତି ।

ପୁଲସର କହିବା ମୁତାବକ, କେଉଁ କାରଣରୁ ଚର୍ଚ୍ଚ ଭିତରେ ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡି ନଥିବା ବେଳେ ପ୍ରାଥମିକ ତଦନ୍ତରୁ ଶର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ୧୫ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଆହତଙ୍କୁ ଆମ୍ବୁଲାନ୍ସ ଜରିଆରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେପଟେ ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଅବଦୁଲ ଫତେହ ଅଲ-ସିସି କପଟିକ ଖ୍ରୀଷ୍ଟିଆନ ପୋପ ଟାଉଡ୍ରୋସଙ୍କ ସହ ଫୋନରେ କଥା ହୋଇଛନ୍ତି ଏବଂ ସମବେଦନା ଜଣାଇଛନ୍ତି ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଅଲ-ସିସି ଫେସବୁକରେ କହିଛନ୍ତି, ‘ମୁଁ ଏହି ଦୁଃଖଦ ଦୁର୍ଘଟଣା ଉପରେ ନଜର ରଖିଛି । ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମୁଁ ସଂପୃକ୍ତ ଏଜେନ୍ସି ଏବଂ ଅନୁଷ୍ଠାନଗୁଡ଼ିକୁ କହିଛି । ସ୍ୱାସ୍ଥ୍ୟମନ୍ତ୍ରୀ ଖାଲିଦ ଅବଦୁଲ-ଗଫର ଏକ ବିବୃତ୍ତିରେ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ବେଳେ ଅନ୍ୟ ୧୨ ଜଣ ଏବେବି ଚିକିତ୍ସିତ ହେଉଛନ୍ତି ।