ସ୍ୱାମୀଙ୍କ ସହ ଝଗଡ଼ା ପରେ ୩ ପିଲାଙ୍କୁ ମାରିଦେଲା ମାଁ !

0
137
ସ୍ୱାମୀଙ୍କ ସହ

ରିପୋର୍ଟ : ରାମନାଥ ଗନ୍ତାୟତ
ବାରାଣସୀ/ଭୁବନେଶ୍ୱର, (୧୭/୦୮) : ସ୍ୱାମୀଙ୍କ ସହ ପାଟିତୁଣ୍ଡ ହେବାରୁ ଅଭାବନୀୟ କାଣ୍ଡ ଘଟାଇଛନ୍ତି ଜଣେ ମହିଳା । ସେ ସ୍ୱାମୀଙ୍କ ସହ ଝଗଡ଼ା ପରେ ନିଜର ୩ ପିଲାଙ୍କୁ ହତ୍ୟା କରିଛନ୍ତି । ଉତ୍ତର ପ୍ରଦେଶ ର ଧଧାନି ବାହନମଲ ରାୟ ଗାଁରେ ସୋମବାର ଏହି ଘଟଣା ଘଟିଛି ।

ବିଷକ୍ରିୟା ଯୋଗୁଁ ସମସ୍ତ ୩ ପିଲାଙ୍କ ମୃତ୍ୟୁ ଘଟିଛି । ନିଜ ପିଲାଙ୍କୁ ହତ୍ୟା କରିଥିବା ମହିଳାଙ୍କ ନାଁ ସୁନୀତା ଯାଦବ । ଗାଜିପୁର ଏସପି ରୋହନ ପି ବୋତ୍ରେ କହିଛନ୍ତି, “ହତ୍ୟା ଘଟଣାରେ ଆମେ ସୁନୀତା ଯାଦବଙ୍କୁ ଗିରଫ କରିଛୁ । ତାଙ୍କ ନାଁରେ ହତ୍ୟା ମାମଲା ରୁଜ୍ଜୁ କରାଯାଇଛି । ସେ ତାଙ୍କର ୩ ପିଲାଙ୍କୁ ବିଷ ପିଆଇ ଦେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସମସ୍ତଙ୍କ ମୃତ୍ୟୁ ଘଟିଛି । ପୁଲିସ୍ ୩ ପିଲାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସ୍ୱାମୀଙ୍କ ସହ ଝଗଡ଼ା ପରେ ସୁନୀତା ନିଜର ୩ ପିଲାଙ୍କୁ ବିଷ ପିଆଇ ଦେଇଥିଲେ ।”

ସୁନୀତା ଯାଦବ ସୟିତବନ୍ଧ ଅଞ୍ଚଳର ବଳେଶ୍ୱର ଯାଦବଙ୍କୁ ବିବାହ କରିଥିଲେ । ସେମାନଙ୍କର ୨ ପୁଅଙ୍କ ସମେତ ୩ ପିଲା ଥିଲା । ସୁନୀତା ନିଜ ଭାଇମାନଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଧଧାନି ବାହନମଲ ରାୟ ଗାଁକୁ ଯାଇଥିଲେ । ଅଗଷ୍ଟ ୧୩ ରେ ସେ ଭାଇମାନଙ୍କ ପାଖରେ ରହି ସ୍ୱାମୀ ବଳେଶ୍ୱରଙ୍କ ସହ କଥା ହୋଇଥିଲେ । ଏହି ସମୟରେ ଉଭଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।

ଏଥିରେ ରାଗି ଯାଇ ସୁନୀତା ସୋମବାର ନିଜର ୩ ପିଲାଙ୍କୁ ବିଷ ପିଆଇ ଦେଇଥିଲେ । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକ ସମସ୍ତଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ଘଟିଛି । ଘଟଣା ପରେ ପୁଲିସ୍‌ ସୁନୀତାଙ୍କୁ ଜେରା କରିଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଛି ।