ଆଜିଠାରୁ ପୁଣି ବର୍ଷା : ୮ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

0
156
ଆଜିଠାରୁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୩/୦୮) : ଆଜିଠାରୁ ରାଜ୍ୟ ର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଏଥିପାଇଁ ୮ ଜିଲ୍ଲାକୁ ପ୍ରବଳ ବର୍ଷା ଓ ୨୦ ଜିଲ୍ଲାକୁ ବର୍ଷା ସହ ଘଡ଼ଘଡ଼ି ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି ।

ପାଣିପାଗ କେନ୍ଦ୍ର ର ସୂଚନା ଅନୁସାରେ, ଆଜିଠାରୁ ଉତ୍ତର ଉପକୂଳ ଓଡ଼ିଶା ର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ସମେତ କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲା ର ଗୋଟିଏ ରୁ ଦୁଇଟି ସ୍ଥାନରେ ଆଜି ପ୍ରବଳ ବର୍ଷା ର ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଉତ୍ତର ଓଡ଼ିଶା ର ସମସ୍ତ ୧୫ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶା ର ୫ ଜିଲ୍ଲା ସମେତ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ହେବାର ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଆଜି ପୂର୍ବ ରାଜସ୍ଥାନ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଅଞ୍ଚଳରେ ସକ୍ରିୟ ରହିଛି । ଏହା ପଶ୍ଚିମ ଦିଗରେ ନିଜର ଗତି ପଥ ବଜାୟ ରଖିବା ସହ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ କେନ୍ଦ୍ର ର ସୂଚନା ଅନୁସାରେ ୧ ଜୁନରୁ ୨୨ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୯୪୧.୯ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୨୨.୯ ମିମି ତୁଳନାରେ ୧୪% ଅଧିକ ରହିଛି । ଏହି ସମୟ ମଧ୍ୟରେ କନ୍ଧମାଳରେ ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି । ଦେବଗଡ, ଢେଙ୍କାନାଳ, ନୟାଗଡ, ବୌଦ୍ଧ, କୋରାପୁଟ, ରାୟଗଡା ‌ଓ ଗଜପତିରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୨୨ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି ।