୨୨ ଲକ୍ଷ ଟଙ୍କା ର ନକଲି ଟେଲମା-୪୦ ଜବତ

0
128
୨୨ ଲକ୍ଷ ଟଙ୍କା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ
କଟକ, (୨୩/୦୯) : କଟକରୁ ପୁଣି ବିପୁଳ ପରିମାଣ ର ନକଲି ଔଷଧ ଜବତ ହୋଇଛି । ସହର ର ୩ ଟି ଫାର୍ମରେ ଚଢ଼ାଉ କରି ୨୨ ଲକ୍ଷ ଟଙ୍କା ର ନକଲି ଔଷଧ ଜବତ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ।

କଟକ ସହର ର ନିମଚଉଡ଼ି ସ୍ଥିତ କ୍ୟାଲ ଏଜେନ୍ସି ଓ ନୟା ସଡ଼କ ର ମହାବୀର ପ୍ରସାଦ ରାଧେଶ୍ୟାମ ଓ ଏମ୍ଏଚ୍ ଫାର୍ମାସୀ ଭଳି ୩ ଟି ଫାର୍ମରୁ ୨୨ ଲକ୍ଷ ଟଙ୍କା ର ଟେଲମା-୪୦ ବ୍ରାଣ୍ଡ ର ଏହି ନକଲି ଔଷଧ ଜବତ ହୋଇଛି । ନକଲି ଔଷଧ ବିକ୍ରି ଧରିବାକୁ ଗତ ୩ ଦିନ ଧରି ରେଡ୍ ଚଳାଇଥିଲା ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ।

ପୂର୍ବରୁ ଗିରଫ ହୋଇଥିବା ଦୁଇ ଷ୍ଟକିଷ୍ଟଙ୍କ ଠାରୁ ଏମାନେ ଔଷଧ କିଣିଥିଲେ । ସେପଟେ ଏ ଡୁପ୍ଲିକେଟ କାରବାର ର ରହସ୍ୟ ଭେଦ କରିବାକୁ ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ଆଜି ଗୟା ଓ ବେଙ୍ଗଲୁରୁ ଯିବ ବୋଲି ସୂଚନା ମିଳିଛି । ନକଲି ଔଷଧ ମାମଲା ର ତଦନ୍ତ ପାଇଁ ପୂର୍ବରୁ କମିଶନରେଟ୍ ପୁଲିସ ରାଜ୍ୟ ବାହାରକୁ ଯାଇଥିଲା ।

ସୂଚନାଯୋଗ୍ୟ, କଟକ ଓ ଭୁବନେଶ୍ୱରରେ ଟେଲ୍‌ମା-୪୦ ର ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ ହେବା ପରେ ଗତ କିଛି ଦିନ ଧରି ଘନଘନ ଚଢ଼ାଉ କରୁଛି ଡ୍ରଗ୍‌ କଣ୍ଟ୍ରୋଲର ଟିମ୍ । ଏହା ପରେ ଡ୍ରଗ୍ ଇନ୍ସପେକ୍ଟର ଦୁଇ ସହରରେ ଥିବା ବିଭିନ୍ନ ମେଡିସିନ୍‌ ଷ୍ଟୋରରେ ଚଢ଼ଉ କରି କଟକ ଯାଉଁଳିଆପଟି ଅଞ୍ଚଳ ର ଦୁଇଟି ଡିଷ୍ଟ୍ରିବ୍ୟୁଟରଙ୍କ ନାଁରେ ଏତଲା ଦେଇଥିଲେ ।

ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏମାନେ ଭିଆର୍‌ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜେସ୍ ନାଁରେ ନକଲି ଔଷଧ କାରବାର କରୁଥିବା ସ୍ପଷ୍ଟ ହୋଇଥିଲା । ବେଙ୍ଗାଲୁରୁ ଓ ଉତ୍ତରପ୍ରଦେଶ ର ଗୟାରୁ ନକଲି ଔଷଧ ଆଣି ଓଡ଼ିଶାରେ କାରବାର କରୁଥିବା ଜଣାପଡ଼ିଥିଲା । ପୁଲିସ୍‌ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏଥିସହ ନକଲି ମେଡିସିନ୍‌ ଜବତ କରିଥିଲା । ଗିରଫ ଅଭିଯୁକ୍ତଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୨ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି ।