ଗଭୀର ଅବପାତରେ ପରିଣତ ହେଲା ଅବପାତ

0
185
ଗଭୀର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୩/୧୦) : ବଙ୍ଗୋପସାଗରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ । ଗତକାଲି ସୃଷ୍ଟି ହୋଇଥିବା ଅବପାତ ଆଜି ଗଭୀର ଅବପାତରେ ପରିଣତ ହୋଇ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି ।

ପାଣିପାଗ କେନ୍ଦ୍ର ର ସୂଚନା ଅନୁସାରେ, ଗତକାଲି ର ଗଭୀର ଅବପାତ ଘନୀଭୂତ ହୋଇ ଆଜି ସକାଳ ସମୟରେ ଗଭୀର ଅବପାତ ର ରୂପ ନେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି । ଆସନ୍ତା ୧୨ ଘଣ୍ଟାରେ ଏହା ବାତ୍ୟାରେ ପରିଣତ ହେବ । ପରେ ଏହା ମୋଡ଼ ବଦଳାଇ ଉତ୍ତର ପୂର୍ବ ଦିଗରେ ଗତିକରି ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ଆସନ୍ତା ୨୫ ତାରିଖରେ ତିନ୍‌କୋନା ଓ ସାନଦୀପ ଅଞ୍ଚଳରେ ଏହା ଉପକୂଳ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହା ପ୍ରଭାବରେ ୨୩ ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୪ ରୁ ୨୫ ତାରିଖ ଭିତରେ ଓଡ଼ିଶା ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବା ସମୟରେ ଉପକୂଳ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବା ସହ ପବନ ବି ବଢ଼ିବ । ତେଣୁ ୨୪ ତାରିଖରେ ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର । ଏହାସହ ୨୫ ତାରିଖରେ ଉତ୍ତର ଉପକୂଳ ର ୩ ଜିଲ୍ଲା- ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ତଟବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ପବନ ବୋହିବାର ଆକଳନ କରିଛି ପାଣିପାଗ କେନ୍ଦ୍ର ।