ବାଇକ୍‌ ଚୋରି ଅଭିଯୋଗ : ଯୁବକଙ୍କୁ ପିଟି ପିଟି ମାରିଦେଲେ

0
100
ବାଇକ୍‌ ଚୋରି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ଼, (୦୭/୧୧) : ମାସେ ତଳେ ବାଇକ୍‌ ଚୋରି ହୋଇଥିଲା । ବାଇକ୍‌ର ପତ୍ତା ମିଳୁ ନ ଥିବା ବେଳେ ଚୋର ସନ୍ଧାନରେ ଥିଲେ ଗ୍ରାମବାସୀ ।

ଶେଷରେ ସିସିଟିଭି ଫୁଟେଜ ଆଧାରରେ ବାଇକ୍‌ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଟେକି ଆଣିଲେ । ହେଲେ ତାଙ୍କୁ ପୁଲିସ୍‌କୁ ହସ୍ତାନ୍ତର କରିବା ବଦଳରେ ନିର୍ଧୂମ ଛେଚିଲେ । ଗ୍ରାମବାସୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇ ପଡ଼ିଥିବା ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କଲେ । ଏ ନେଇ ପୁଲିସ୍‌ ହତ୍ୟା ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ପରି ଅମାନବୀୟ ଘଟଣା ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବଲିଟିକ୍ରା ଗାଁରେ ଘଟିଛି । ଗ୍ରାମବାସୀ ଆଇନ୍‌କୁ ନିଜ ହାତକୁ ନେଉଥିବାରୁ ଏ ପରି ସାଂଘାତିକ ପରିସ୍ଥିତି ସୃଷ୍ଟି ହେଉଥିବା ଆଲୋଚନା ହେଉଛି ।

ସୂଚନା ଅନୁଯାୟୀ, ବଲିଟିକ୍ରା ଗାଁ’ର ରାଜେଶ ଭୋଇ ନାମକ ଜଣେ ବ୍ୟକ୍ତିଙ୍କ ବାଇକ୍‌ ଗତ ମାସ ୨୭ ତାରିଖରେ ଚୋରି ହୋଇଥିଲା । ଏ ନେଇ ବରପାଲି ଫାଣ୍ଡିରେ ଏକ ଚୋରି ମାମଲା ରୁଜ୍ଜୁ ହୋଇଥିଲା । ତେବେ ସିସିଟିଭି ଫୁଟେଜ ଆଧାରରେ ସୋନପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ଗଜବନ୍ଦ ଗାଁ’ର ଯୋଗେଶ୍ୱର ମେହେର ନାମକ ଯୁବକ ଉକ୍ତ ବାଇକ୍‌ ଚୋରି କରି ନେଇଥିବା ଜଣାପଡ଼ିଥିଲା । ବହୁ ଖୋଜା ଖୋଜି ପରେ ଗତ କାଲି ଯୋଗେଶ୍ୱରଙ୍କୁ କାବୁ କରି ରାଜେନ୍ଦ୍ର ଭୋଇ ଓ କିଛି ଲୋକ ନିସ୍ତୁକ ମାଡ଼ ମାରିଥିଲେ ।

ଖବର ପାଇ ମୁମୁର୍ଷ ଅବସ୍ଥାରେ ପୁଲିସ୍‌ ତାଙ୍କୁ ଉଦ୍ଧାର କରି ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପରିବାର ଲୋକେ ପହଞ୍ଚି ବରପାଲି ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଏ ନେଇ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଛି । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରିନାହିଁ ।