ଲମ୍ପି ଚର୍ମ ରୋଗ, ଚିନ୍ତାରେ ଗୋ’ ଚାଷୀ

0
118
ଲମ୍ପି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୦/୧୨) : ରାଜ୍ୟରେ ମାଡ଼ିଚାଲୁଛି ଲମ୍ପି ଚର୍ମ ରୋଗ । ଗୃହପାଳିତ ପଶୁପକ୍ଷୀ, ବିଶେଷ କରି ଗୋରୁ ଗାଈ ଏହି ରୋଗରେ ସଂକ୍ରମିତ ହେଉଛନ୍ତି ।

ଫଳରେ ଗୋରୁଙ୍କ ଶରୀରର ବିଭିନ୍ନ ସ୍ଥାନରେ ପ୍ରଥମେ ଆବୁ ସୃଷ୍ଟି ହେବା ସହ ଏହା କ୍ଷତରେ ପରିଣତ ହେଉଛି । ଏହାକୁ ନେଇ ଗୋପାଳକଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି । ଲମ୍ପି ଚର୍ମ ରୋଗରୁ ବର୍ତ୍ତିବା ପାଇଁ ଲୋକମାନେ ବିକଳରେ କାଳିସୀର ଆଶ୍ରୟ ନେଇ ପୂଜାପାଠ କରୁଛନ୍ତି । ଏପରି ଦୃଶ୍ୟ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ।

ଧରାକୋଟ ବ୍ଲକର ମୁଣ୍ଡମରାଇ, କୁଶରାବ, ବରିଗୁଡ଼ା, ତାଳପାଟଣା, ହରିପୁର, ପ୍ରତାପପୁର ଆଦି ଗାଁ’ରେ ଦେଖିବାକୁ ମିଳିଛି ଲମ୍ପି ଭୂତାଣୁର ଆତଙ୍କ । କେବଳ ଧରାକୋଟ ନୁହଁ, ଗତ କିଛିଦିନ ତଳେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରେ ମଧ୍ୟ ମାଡ଼ିଚାଲିଛି ଏହି ଲମ୍ପି ଭୂତାଣୁ । ଭଦ୍ରକ ଜିଲ୍ଲା ବାସୁଦେବପୁର, କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଗୋରୁ ବ୍ୟାପକ ମାତ୍ରାରେ ସଂକ୍ରମିତ ହେଉଛନ୍ତି ।

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କହିବା ଅନୁସାରେ, ମୟୂରଭଞ୍ଜ, ରାୟଗଡ଼ା ଓ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ସ୍ଥିତି ସଂଗୀନ ରହିଛି । ପଡ଼ୋଶୀ ରାଜ୍ୟରୁ ଗୋ-ଚାଲାଣ ଯୋଗୁ ଏହି ଭାଇରସ୍ ବ୍ୟାପୁଥିବା ଜଣାପ଼ଡିଛି । ସ୍ଥିତି ଉଦବେଗଜନକ ଥିବା ବେଳେ, ସଂକ୍ରମଣ ରୋକିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରୋଗର ପ୍ରତିକାର ପାଇଁ ୧୫ ଲକ୍ଷ ଟିକାକରଣ ଲକ୍ଷ୍ୟ ରଖାଯାଇଥିବା ବେଳେ ୫ ଲକ୍ଷ ଟିକାକରଣ ସରିଥିବା କହିଛନ୍ତି କୃଷିମନ୍ତ୍ରୀ ।