ବସ୍‌ରେ ଅଭିନବ ଉପାୟରେ ଲୁଟ୍‌ : ଛୁଆଙ୍କ ହଗିସରୁ ବାହାରିଲା ସୁନା ଅଳଙ୍କାର ଓ ଟଙ୍କା

0
115
ବସ୍‌ରେ ଅଭିନବ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୋର, (୨୬/୧୨) : ବସ୍‌ରେ ଅଭିନବ ଉପାୟରେ ଲୁଟେରା ଙ୍କ ଲୁଟ୍‌ । ଯାତ୍ରୀମାନଙ୍କ ଠାରୁ ସୁନା ଅଳଙ୍କାର ଲୁଟ୍‌ କରି ଛୋଟ ଛୁଆଙ୍କ ହଗିସ ଭିତରେ ରଖିଦେଲେ ।

ବସ୍‌ରେ ଅଭିନବ ଉପାୟରେ ଲୁଟ୍‌ । ପୁଲିସ ଖୋଜାଖୋଜି କରିବା ପରେ ଶିଶୁର ହଗିସରୁ ମିଳିଲା ଲୁଟ ଅଳଙ୍କାର ଓ ଟଙ୍କା । ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ନିକଟରେ । ଏହି ଅଘଟଣରେ ଦୁଇ ମହିଳା ସମେତ ତିନି ନାବାଳିକା ଥାନାରେ ଅଟକ ରଖିଛି ପୁଲିସ । ଗତକାଲି ଏକ ଯାତ୍ରୀବାହୀ ବସ୍‌ଟି ବାଲେଶ୍ଵରରୁ ଧାମରା ଅଭିମୁଖେ ଆସୁଥିଲା । ସୋର ନିକଟରେ ବାସୁଦେବପୁର ବ୍ଲକ ରାଧାବଲ୍ଲଭପୁର ଗ୍ରାମର ଅଞ୍ଜନା ମହାନ୍ତି ଓ ଅନ୍ୟ କିଛି ଯାତ୍ରୀ ସୋରରୁ ବସ୍‌ରେ ଉଠିଥିଲେ ।

ଏହି ସମୟରେ ବସ୍‌ଟି ଭିଡ଼ ଥିଲା । ଦୁଇ ମହିଳା ସମେତ ତିନି ନାବାଳିକା ଏକ ଛୋଟ ଶିଶୁକୁ ଧରି ବସ୍‌ରେ ଉଠିଥିଲେ । ସେମାନେ ବୁଲାବିକାଳୀ ଥିଲେ । ବସ୍‌ଟି ଭିଡ଼ ଥିବାରୁ ଏହି ବୁଲା ବିକାଳୀମାନେ ତାର ଫାଇଦା ନେଇ ଅଞ୍ଜନାଙ୍କ ବ୍ୟାଗରେ ରଖିଥିବା ସୁନାଗହଣାକୁ ଚୋରି କରି ନେଇଥିଲେ । ଏ ନେଇ ଅଞ୍ଜନା ଜାଣି ପାରି ନଥିଲେ । ପରେ ବୁଲାବିକାଳୀ ପର ଷ୍ଟପେଜରେ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ ।

ଅଞ୍ଜନା ଜାମୁଝାଡ଼ି ନିକଟରେ ନିଜ ବ୍ୟାଗ ଦେଖିଲା ବେଳକୁ ସୁନା ଗହଣା ନଥିଲା । ଏ ନେଇ ଅଞ୍ଜନା ବସ୍‌ରେ ଥିବା ଯାତ୍ରୀଙ୍କଠାରେ ଖୋଜାଖୋଜି କରିଥିଲେ । ହେଲେ ପାଇ ନଥିଲେ। ପରେ ଅଞ୍ଜନାଙ୍କର ସେହି ବୁଲାବିକାଳୀଙ୍କ ଉପରେ ସନ୍ଦେହ ଉପୁଜିଥିଲା । ସେ ଜାମୁଝାଡ଼ିରୁ ଅନ୍ୟ ଏକ ବସ୍‌ ଧରି ବୁଲାବିକାଳୀ ମାନେ ଓହ୍ଲାଇଥିବା ବସ୍ ଷ୍ଟପେଜକୁ ଆସିଥିଲେ । ସେଠାରେ ବୁଲାବିକାଳୀ ମାନେ ବସିଥିଲେ ।

ସେମାନଙ୍କୁ ଅଞ୍ଜନା ପଚରାଉଚରା କରିଥିଲେ । ହେଲେ ସେମାନେ ଚୋରି କରିଥିବା ମାନି ନଥିଲେ । ପରେ ପୁଲିସ ପହଞ୍ଚି ଖୋଜାଖୋଜି କରିବାରୁ ସେମାନଙ୍କ ସହ ଥିବା ଛୋଟ ଛୁଆ ହଗିସରୁ ଅଞ୍ଜନାଙ୍କ ସୁନା ଅଳଙ୍କାର ଓ ୪୦୦୦ ଟଙ୍କା ମିଳିଥିଲା । ପୁଲିସ ଦୁଇ ମହିଳା ସମେତ ତିନି ନାବାଳିକାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାରୁ ତଦନ୍ତ କରୁଛି ।