ମହିଳା ପୁଲିସ୍‌ ଏସ୍‌ଆଇଙ୍କୁ ଆକ୍ରମଣ ଉଦ୍ୟମ ଘଟଣା: ବନ୍ଧା ହେଲେ ୩, ଗାଡ଼ି ଜବତ

0
113
ମହିଳା ପୁଲିସ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୫/୦୧) : ରାଜଧାନୀ ରାଜରାସ୍ତାରେ ଯାଉଥିବା ଜଣେ ମହିଳା ପୁଲିସ୍‌ ଏସଆଇଙ୍କ ଗାଡ଼ିକୁ ପିଛା କରି ଆକ୍ରମଣ କରିବାକୁ ଉଦ୍ୟମ କରିବା ଘଟଣାରେ ୩ ଜଣଙ୍କୁ ବାନ୍ଧିଛି ପୁଲିସ୍‌ ।

ସେମାନେ ହେଲେ ଚକ, ଅରୁ ଓ ପଦିଆ । ପୁଲିସ୍‌ ଘଟଣା ଦିନ ବ୍ୟବହାର ହୋଇଥିବା ଇନୋଭା ଗାଡ଼ିକୁ ଜବତ କରିଥିବା ବେଳେ ସେମାନଙ୍କ ନିକଟରୁ କିନ୍ତୁ କୌଣସି ମାରଣାସ୍ତ୍ର ମିଳି ନ ଥିବା ଜଣାଯାଇଛି । ଗିରଫ ୩ ଅଭିଯୁକ୍ତ ପେସାରେ ଡ୍ରାଇଭର ବୋଲି ଜଣାଯାଇଛି । ସେମାନଙ୍କ ମଧ୍ୟରୁ ଜଣକୁ ସାତପଡ଼ାରୁ, ଜଣଙ୍କୁ ଜଗତପୁର ଓ ଅନ୍ୟ ଜଣଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ପୁଲିସ୍‌ । ଏ ନେଇ ମହିଳା ପୁଲିସ୍‌ ଏସ୍‌ଆଇ ଜଣକ ଅଭିଯୋଗ କରିବା ପରେ ପୁଲିସ୍‌ ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ କରିଥିଲା ।

ଏହି ଯାଞ୍ଚକୁ ଆଧାର କରି ପୁଲିସ୍‌ ଘଟଣା ଦିନ ରାତିରେ OD13C8787 ନଂ ବିଶିଷ୍ଟ ଗାଡ଼ି ସାଇନ୍ସ ପାର୍କ ଅଞ୍ଚଳରେ ଯାତାୟତ କରୁଥିବା ଜାଣିବାକୁ ପାଇଥିଲା । ତଦନ୍ତରୁ ଉକ୍ତ ଗାଡ଼ିଟି ଚକଙ୍କର ବୋଲି ଜଣାପଡ଼ିଥିବା ବେଳେ ସେ ସାଇନ୍ସ ପାର୍କ ପଛରେ ଥିବା ବସ୍ତିରେ ରହୁଥିବା ଜାଣିବାକୁ ପାଇଥିଲେ । ଏହାପରେ ପୁଲିସ୍‌ ତାଙ୍କର ୨ ସହଯୋଗୀ ଅରୁ ଓ ପଦିଆଙ୍କୁ ଗିରଫ କରିଛି । ସେମାନଙ୍କ ଘର ଶହୀଦ ନଗର ଥାନା ଅଧୀନ ଆନନ୍ଦ ବଜାର ବସ୍ତିରେ ବୋଲି ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ନୂଆ ବର୍ଷ ରାତିରେ ଏହି ୩ ଅଭିଯୁକ୍ତ ଏକ ପାର୍ଟିରେ ଯୋଗ ଦେଇ ଏକ ଇନୋଭା ଗାଡ଼ିରେ ଫେରୁଥିବା ବେଳେ ସାଇନ୍ସ ପାର୍କ ନିକଟରେ ମହିଳା ଏସ୍‌ଆଇ ଶୁଭଶ୍ରୀ ନାୟକଙ୍କ କାର୍‌ ସହ ସାମନାସାମନି ହୋଇଥିଲା । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ୩ ଅଭିଯୁକ୍ତ ଏସ୍‌ଆଇଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଗାଡ଼ିକୁ ପିଛା କରି ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ।

ପ୍ରାଣ ବିକଳରେ ଏସ୍‌ଆଇ ଜଣକ ରିଜର୍ଭ ଗ୍ରାଉଣ୍ଡ ଭିତରେ ଗାଡ଼ିକୁ ପଶାଇ ଦେଇ ନିଜ ଜୀବନ ବଞ୍ଚାଇଥିଲେ । ଏ ନେଇ ସେ ଥାନାରେ ଅଭିଯୋଗରେ ପୁଲିସ୍‌ ଘଟଣାକୁ ଗୁରୁତର ସହ ନେଇ ଖୋଳତାଡ଼ ଆରମ୍ଭ କରିଥିଲା । ଏହା ପରେ ସିସିଟିଭି ଫୁଟେଜ ଯାଞ୍ଚ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଘଟଣା ସମୟରେ ଏହି ୩ ଅଭିଯୁକ୍ତ ନିଶାସକ୍ତ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ବର୍ଦ୍ଦିରେ ଥିବା ଜଣେ ମହିଳା ପୁଲିସ୍‌ ରାଜଧାନୀ ରାଜରାସ୍ତାରେ ନିଜକୁ ସୁରକ୍ଷିତ ମଣୁ ନ ଥିବା ବେଳେ ସାଧାରଣ ଲୋକେ କେତେ ସୁରକ୍ଷିତ ତାହା ସହଜେ ଅନୁମେୟ ।