ଡାଲି ଜାତୀୟ ଓ ତୈଳବୀଜ ଫସଲରେ ରୋଗ ପୋକ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ

0
159
ଡାଲି ଜାତୀୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ।
ଗୁଣପୁର, (୯/୧) : ରାୟଗଡ଼ା ଜିଲ୍ଲା ବିଭିନ୍ନ ପନିପରିବା, ଡାଲି ଜାତୀୟ ଓ ତୈଳବୀଜ ଫସଲ ଉତ୍ପାଦନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।

କପା ଓ ଧାନ ଫସଲକୁ ଛାଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡାଲି ଜାତୀୟ ଓ ତୈଳବୀଜ ଫସଲ ବହୁଳ ଭାବରେ ଚାଷ କରାଯାଇଥାଏ । ବିଶେଷ କରି ରବି ଋତୁ ଡାଲି ଜାତୀୟ ଫସଲ ଉତ୍ପାଦନ ପାଇଁ ଉପଯୁକ୍ତ ସମୟ । ସେହି ଉପଲକ୍ଷେ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଡାଲି ଜାତୀୟ ଓ ତୈଳବୀଜ ଫସଲରେ ସମନ୍ଵିତ ଉପାୟରେ ରୋଗ ପୋକ ପରିଚାଳନା ନିମନ୍ତେ ଏକ ତାଲିମ ଶିବିର ଆୟୋଜନ କରାଯାଇଥିଲା । ଏହି ତାଲିମ ଶିବିରରେ ବିଶେଷ ଭାବରେ କୃଷି କର୍ମଚାରୀ ଯଥା, ଗ୍ରାମ ସେବକ (ଭି ଏ ଡଵ୍ଲୁ) , କୃଷି ଅଭିଦର୍ଶକ(ଏ ଓ), ଏ ଟି ଏମ୍ ମାନଙ୍କ ପାଇଁ ଉଦ୍ଧିଷ୍ଟ ଥିଲା ।

ଏହି ତାଲିମ ଶିବିରରେ ପଦ୍ମପୁର, ଗୁଡ଼ାରୀ, ରାମନାଗୁଡା ଓ ଗୁଣପୁର ବ୍ଲକର ପ୍ରାୟ ୨୦ ଜଣ କୃଷି କର୍ମଚାରୀ ଯୋଗ ଦେଇଥିଲେ । ଏହି କର୍ମଚାରୀ ମାନଙ୍କ ଦିଗଦର୍ଶନ ଦ୍ଵାରା ଚାଷୀ ମାନେ କିପରି ଉପକୃତ ହୋଇପାରିବେ, ଏହି ତାଲିମ ଶିବିର ର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ତାଲିମ ଶିବିରରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ରାଜିବ ଟୁଡୁ ସ୍ଵାଗତ ଭାଷଣ ଦେଇ ଡାଲିଜାତୀୟ ଫସଲ ଓ ତୈଳବୀଜ ଫସଲର ଉପକାରିତା ଓ ସମନ୍ଵିତ ଉପାୟରେ ରୋଗ ପୋକ ପରିଚାଳନା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଆଲୋଚନା ପରେ ପ୍ରଶିକ୍ଷାର୍ଥୀ ମାନଙ୍କ ସହ, ସେମାନଙ୍କ ଗ୍ରାମ ଓ ଗ୍ରାମ ପଞ୍ଚାୟତର ଡାଲି ଜାତୀୟ ଫସଲରେ ଉପୁଜୁଥିବା ସମସ୍ୟା ଗୁଡ଼ିକ ସମ୍ବନ୍ଧରେ ଆଲୋଚନା କରିଥିଲେ ।

ବୈଜ୍ଞାନିକ ମାନଙ୍କ ଠାରୁ ରୋଗ ପୋକ ପରିଚାଳନା ସମ୍ବନ୍ଧରେ ଜ୍ଞାନ ଅର୍ଜନ କରି କୃଷି କର୍ମଚାରୀ ମାନେ ଚାଷି ଙ୍କ ସମସ୍ୟା ସମାଧାନ କରିହେବ ବୋଲି କହିଥିଲେ । ଉକ୍ତ ପ୍ରଶିକ୍ଷଣ ଶିବିରକୁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ତେବେ କୃଷି କର୍ମଚାରୀ ମାନେ ରୋଗ ପୋକ ପରିଚାଳନା ନିମନ୍ତେ ତାଲିମ ନେଇ, ଚାଷି ଙ୍କ ସମସ୍ୟା କେତେଦୂର ସମାଧାନ କରିପାରୁଛନ୍ତି ଦେଖିବାକୁ ବାକି ରହିଲା ।