ରସିକ ଅଜା କଲେ ଜବରଦସ୍ତି, ଆଈ କଲେ ଭିଡିଓ

0
181
ରସିକ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କରଞ୍ଜିଆ, (୧୪/୦୧) : ମା’ ଛେଉଣ୍ଡ ନାବାଳିକା ନାତୁଣୀ ଉପରେ ଲୋଲୁପ ଦୃଷ୍ଟି ପକାଇଲେ ସମ୍ପର୍କୀୟ ଅଜା । ପାଠ ପଢ଼ାଇବା ବାହାନାରେ ନାତୁଣୀ ସହ ଜୋର ଜବରଦସ୍ତ କଲେ ଶିକ୍ଷକତା କରୁଥିବା ରସିକ ଅଜା ।

ରସିକ ଅଜା କଲେ ଜବରଦସ୍ତି, ଆଈ କଲେ ଭିଡିଓ ! ଆଉ ଏହାର ଭିଡିଓ ଉତ୍ତୋଳନ କଲେ ତାଙ୍କ ପତ୍ନୀ । ହେଲେ ଭିଡିଓଟି ନିଜ ମୋବାଇଲରୁ ସ୍ୱାମୀଙ୍କ ମୋବାଇଲକୁ ପଠାଉ ପଠାଉ ତାହା ଭୁଲରେ ଅନ୍ୟତ୍ର ପଳାଇ କଥା ପ୍ରଘଟ ହେଲା । ଭିଡିଓଟି ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ବେଳେ ରସିକ ଅଜା ଓ ତାଙ୍କ ପତ୍ନୀଙ୍କୁ ବାନ୍ଧିଛି ପୁଲିସ୍‌ । ଏପରି ଅପ୍ରୀତିକର ଘଟଣା ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡାରେ ହୋଇଛି ।

ନାବାଳିକା ଜଣଙ୍କ ଘର ସୋସ ଥାନା ଅଞ୍ଚଳରେ । ହେଲେ ଛୋଟ ବେଳୁ ତାଙ୍କ ମା’ ମରିଯିବାରୁ ମାମୁଁ ନିଜ ଘରେ ଆଣି ଭାଣିଜୀକୁ ରଖିଥିଲେ । ମାତ୍ର ସମ୍ପର୍କୀୟ ଅଜା ତଥା ବଡ଼ମହୁଲଡିହା ସେବାଶ୍ରମ ବିଦ୍ୟାଳୟର ଶିକ୍ଷକ ରାମଚନ୍ଦ୍ର ସଏ ନିଜର କେହି ପିଲା ନ ଥିବାରୁ ପିଲାଟିକୁ ନେଇ ଘରେ ରଖିଥିଲେ । ତାଙ୍କ ପାଖରେ ପିଲାଟି ପ୍ରଥମରୁ ପାଠ ପଢ଼ା ଆରମ୍ଭ କରିଥିବା ବେଳେ ଏବେ ସେ ସପ୍ତମ ଶ୍ରେଣୀରେ ପଢ଼ୁଛି । ହେଲେ ଏବେ ଅଚାନକ ଏପରି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଶକ୍ତ ଧକ୍କା ଲାଗିଛି । ନାବାଳିକା ନାତୁଣୀକୁ ପାଳିପୋଷି ବଡ଼ କରୁଥିବା ଅଜା ହିଁ ତାକୁ ଖରାପ ଦୃଷ୍ଟିରେ ଦେଖିଲେ । କେବଳ ସେତିକି ନୁହେଁ ଶିକ୍ଷକ ଜଣକ ନାବାଳିକା ନାତୁଣୀ ସହିତ ଅଶ୍ଳୀଳ ଆଚରଣ କରୁଥିବା ବେଳେ ତାଙ୍କ ପତ୍ନୀ ତାର’ ଭିଡିଓ କରିଥିଲେ ।

ଗ୍ରାମବାସୀ ଏ ସମ୍ପର୍କରେ ଅବଗତ ହେବା ପରେ ସରପଞ୍ଚଙ୍କୁ ଜଣାଇବା ସହିତ ଏକ ବୈଠକ ବସାଇଥିଲେ । ମାତ୍ର ବୈଠକରେ ଘଟଣା ସମାଧାନ ନ ହେବାରୁ କଥା ଥାନାକୁ ଯାଇଥିଲେ । ଗତକାଲି ଝିଅର ଖୁଡି ଏ ନେଇ ଠାକୁରମୁଣ୍ଡା ଥାନାରେ ଏତଲା ଦେଇଛନ୍ତି । ପୁଲିସ ତଦନ୍ତ ଆରମ୍ଭ କରି ଶିକ୍ଷକ ତଥା ସମ୍ପର୍କୀୟ ଅଜା ରାମଚନ୍ଦ୍ର ସଏ ଓ ତାଙ୍କ ପତ୍ନୀ ଜ୍ୟୋସ୍ନାରାଣୀ ସଏଙ୍କୁ ଗିରଫ କରିଛି । ତେବେ ଭିଡିଓ ଉତ୍ତୋଳନ ପଛରେ କ’ଣ କାରଣ ତାହା ସ୍ପଷ୍ଟ ହୋଇ ନାହିଁ ।