DL ପାଇଁ ଆସନ୍ତା ୨୬ରୁ ଅନ୍‌ଲାଇନ୍‌ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ

0
86
DL

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୮/୦୧) : DL ର ନବୀକରଣ ପାଇଁ ବାଧ୍ୟତାମୂଳକ ହେବ ଅନ୍‌ଲାଇନ୍‌ ଡାକ୍ତରୀ ପ୍ରମାଣପତ୍ର । ୪୦ ବର୍ଷ ବୟସରୁ ଅଧିକ ଆବେଦନକାରୀଙ୍କ ପାଇଁ ଏହି ନିୟମ ଲାଗୁହେବ ।

ତେବେ ନୂତନ DL ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କୁ ଏହି ନିୟମ ପାଳନ କରିବାକୁ ପଡ଼ିବ । ବର୍ତ୍ତମାନ ଆବେଦନକାରୀମାନେ ଏକ କାଗଜ ଫର୍ମାଟରେ ମାନୁଆଲ ଡାକ୍ତର ପ୍ରମାଣପତ୍ର ଦେଉଛନ୍ତି । ଅନଲାଇନ୍ ଆବେଦନ ସମୟରେ ଏହାକୁ SARATHI ପୋର୍ଟାଲରେ ଅପଲୋଡ୍ କରୁଛନ୍ତି । ଏହି ପ୍ରକ୍ରିୟାରେ ଡାକ୍ତରୀ ପ୍ରମାଣପତ୍ରର ସତ୍ୟତା ଜାଣିହେବ ନାହିଁ । ନକଲି ଡାକ୍ତର ପ୍ରମାଣପତ୍ର ମଧ୍ୟ ଅପଲୋଡ୍‌ ହେବାର ଆଶଙ୍କା ରହିଛି ।

ତେଣୁ ଆବେଦନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପ୍ରକୃତ ଡାକ୍ତରଙ୍କ ଦ୍ୱାରା ଉପଯୁକ୍ତ ଡାକ୍ତରୀ ପରୀକ୍ଷା(MCI ଅଧୀନରେ ପଞ୍ଜୀକରଣ ସହିତ MBBS ଡିଗ୍ରୀ ଧାରକ) ନିଶ୍ଚିତ କରିବାକୁ STA ଓଡ଼ିଶା ଏକ ନୂତନ ଅନଲାଇନ୍ ଡାକ୍ତର ପଞ୍ଜୀକରଣ ପୋର୍ଟାଲ୍ ବିକଶିତ କରିଛି । ଯେଉଁଠାରେ ପ୍ରାୟ ୧୬୭ MBBS ଡାକ୍ତର ପଞ୍ଜୀକୃତ ହୋଇଛନ୍ତି । ସେମାନେ ଅନଲାଇନ୍‌ରେ SARATHI ପୋର୍ଟାଲ୍‌ ମାଧ୍ୟମରେ DL ଓ LL ଆବେଦନକାରୀଙ୍କୁ ଡାକ୍ତରୀ ପ୍ରମାଣପତ୍ର ଦେବେ ।

ଜାନୁଆରୀ ୨୬ ତାରିଖରୁ ୪୦ ବର୍ଷରୁ ଅଧିକ ବୟସର DL ଓ LL ଆବେଦନକାରୀଙ୍କ ପାଇଁ ଡାକ୍ତରୀ ପ୍ରମାଣପତ୍ରର ଅନଲାଇନ୍‌ ପ୍ରଦାନ ବାଧ୍ୟତାମୂଳକ ହେବ । ଏ ବାବଦରେ ଯୁଗ୍ମ ପରିବହନ କମିଶନର ଦୀପ୍ତି ରଂଜନ ପାତ୍ର (ଟେକ୍ନିକାଲ) କହିଛନ୍ତି, “ଏ ପର୍ଯ୍ୟନ୍ତ ପୋର୍ଟାଲରେ ମୋଟ ୧୬୭ ଡାକ୍ତର ପଞ୍ଜୀକୃତ ହୋଇଛନ୍ତି ।” ୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ଡାକ୍ତରୀ ସାର୍ଟିଫିକେଟ୍, ଲର୍ଣ୍ଣର୍ ଲାଇସେନ୍ସ/ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କିମ୍ବା ଏହାର ନବୀକରଣ ପାଇଁ ଆବେଦନ କରିବା ସମୟରେ ଏହାକୁ ମାନୁଆଲ କରିବା ପରିବର୍ତ୍ତେ ଫର୍ମ 1 (A) ରେ ଉପସ୍ଥାପନ କରାଯାଇପାରିବ ।

ଡ୍ରାଇଭିଂ ଲାଇସେନ୍ସ ପାଇବାରେ ସହଜତା ଓ ଆରଟିଓ ଅଫିସ୍‌ରେ କମାଇବାକୁ ଓଡ଼ିଶା ସରକାରଙ୍କ 5T ନୀତି ଅନୁଯାୟୀ ଇଲେକ୍ଟ୍ରୋନିକ୍ ଭାବରେ ଫର୍ମ 1 (ଏ) ରେ ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ମଧ୍ୟ ସୁନିଶ୍ଚିତ କରିବ ଯେ କେହି ନକଲି ଡାକ୍ତରୀ ପ୍ରମାଣପତ୍ର ଅପଲୋଡ୍ କରି ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ ନାହିଁ । ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ପାଇଁ ପୋର୍ଟାଲ ଉନ୍ମୋଚିତ ହୋଇଛି । ଯେଉଁଠାରେ ଲାଇସେନ୍ସ ଆବେଦନକାରୀ ବିନା ଅସୁବିଧାରେ ସିଧାସଳଖ ଡାକ୍ତରୀ ପ୍ରମାଣପତ୍ର ପାଇପାରିବେ ।