ଚଢ଼ା ଦାମରେ ବିକୁଥିଲେ ହକି ଟିକେଟ, ବନ୍ଧା ହେଲେ ୫ ଜଣ

0
100
ଚଢ଼ା ଦାମରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୮/୦୧) : ଏବେ ସମଗ୍ର ରାଜ୍ୟରେ ହକି ଫିଭର । ଭାରତ ଖେଳୁଥିବା ମ୍ୟାଚର ଟିକେଟ ପାଇବାକୁ ପ୍ରବଳ ପ୍ରତିଯୋଗିତା । ଏହାର ଫାଇଦା ଉଠାଉଛନ୍ତି କଳାବଜାରୀ । ଏପରି ସୁଯୋଗରେ ଅନଲାଇନ୍‌ରେ ଚଢ଼ା ଦାମରେ ଟିକେଟ ବିକ୍ରି କରି ମାଲେମାଲ ହେଉଥିବା ୫ ଜଣଙ୍କୁ ବାନ୍ଧିଛି ଶହୀଦ ନଗର ଥାନା ପୁଲିସ୍‌

ଏହି କଳାବଜାରୀମାନେ ୧୦୦ ଟଙ୍କାର ଟିକେଟକୁ ହଜାରେ ଟଙ୍କା, ୨ ଶହ ଟିକଟକୁ ୨ ହଜାର ଓ ୫ ଶହ ଟଙ୍କାର ଟିକଟକୁ ୪ ହଜାର ଟଙ୍କାରେ ବିକ୍ରି କରୁଥିଲେ । ଏହା ଜାଣି ସେମାନଙ୍କୁ ଧରିବାକୁ ଜାଲ ବିଛାଇଲା ପୁଲିସ୍‌ । ଆଉ ଜାଲ୍‌ରେ ପଡ଼ି ଏବେ ପୁଲିସ୍‌ କବଜାରେ ଅଛନ୍ତି ଏହି ୫ କଳାବଜାରୀ । ଆସନ୍ତା ୧୯, ୨୪ ଓ ୨୯ ତାରିଖରେ ହେବାକୁ ଥିବା ମ୍ୟାଚ ପାଇଁ ଏହି କଳବଜାରୀମାନେ ଚଢ଼ା ଦାମରେ ଟିକେଟ ବିକ୍ରି କରୁଥିଲେ । ଏଥିନିମନ୍ତେ ସେମାନେ ସୋଶାଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରୁଥିଲେ ।

ମ୍ୟାଚ ଦେଖିବାକୁ ଆଗ୍ରହୀ ଲୋକେ କଲ୍‌ କଲେ ସେମାନେ ନିର୍ଦ୍ଦିଷ୍ଟ ଜାଗାକୁ ଡାକୁଥିଲେ । ଏହାପରେ ଅନ୍‌ ଦି ସ୍ପଟ୍‌ ଟଙ୍କା ନେଇ ଟିକେଟ ଦେଉଥିଲେ । ଏପରି ଏକ ଗ୍ୟାଙ୍ଗ ରାଜଧାନୀରେ ସକ୍ରିୟ ଥିବା ଜାଣିପାରି କମିଶନରେଟ ପୁଲିସ୍‌ ସେମାନଙ୍କୁ ଧରିବାକୁ ଜାଲ ବିଛାଇଥିଲା । ଉକ୍ତ କଳା ବଜାରୀଙ୍କୁ ଫୋନ୍‌ କରି ସେମାନେ କହିଥିବା ଜାଗାରେ ପହଞ୍ଚି ସେମାନଙ୍କୁ ବାନ୍ଧିଛି ପୁଲିସ୍‌ । ଗିରଫ ୫ ଜଣଙ୍କ ମଧ୍ୟରେ ଜଣେ ଛାତ୍ର ଥିବାବେଳେ ଅନ୍ୟମାନେ ବ୍ୟବସାୟ କରନ୍ତି ବୋଲି ଜଣାଯାଇଛି ।