ପୁରୀ ବଡ଼ଦାଣ୍ଡରେ ଗୋଷ୍ଠୀ ସଂଘର୍ଷ : ୪ ଜଣ ଗୁରୁତର

0
111
ପୁରୀ ବଡ଼ଦାଣ୍ଡରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୮/୦୩) : ଗୋଷ୍ଠୀ ସଂଘର୍ଷ । ପୁରୀ ବଡ଼ଦାଣ୍ଡରେ ରକ୍ତଛିଟା । ସ୍ପଷ୍ଟ ଦିବାଲୋକରେ ବଡଦାଣ୍ଡର ମାର୍କେଟ ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ହଣାହଣି ।

ପୁରୀ ବଡ଼ଦାଣ୍ଡରେ ଗୋଷ୍ଠୀ ସଂଘର୍ଷ ରେ ୪ ଜଣ ଗୁରୁତର ହୋଇଛନ୍ତି । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ୩ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ଖଡ଼ିପଦା ମେଳଣରେ ଜୁଆଖେଳ ପାଇଁ ଉଭୟ ଗୋଷ୍ଠୀ ଭିତରେ ବଚସା ଓ ଗଣ୍ଡଗୋଳ ହୋଇଥିଲା ଏବଂ ଟଙ୍କା, ମୋବାଇଲ, ସୁନାଚେନ ଛଡ଼େଇବା ଭଳି ଘଟଣା ଘଟିଥିଲା । ଯାହା ଫଳରେ ପ୍ରତିଶୋଧ ପରାୟଣ ହୋଇ ଆଜି ସକାଳ ସାଢ଼େ ୬ଟାରେ ଗୋଟିଏ ଗୋଷ୍ଠୀର ୧୭ ରୁ ୧୮ ଜଣ ମିଶି ପୁରୀ ମାର୍କେଟ ଛକ ବାଟା ଶୋ ରୁମ ନିକଟରେ ଅନ୍ୟଗୋଷ୍ଠୀର ୩ ଜଣଙ୍କୁ ଅତି ନିର୍ମମ ଭାବରେ ହାଣି ପକାଇଥିଲେ ।

ଗୁରୁତର ଅବସ୍ଥାରେ ସେମାନଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଗୋଟିଏ ଗୋଷ୍ଠୀର ହୃଷିକେଶ ଓ ଖଗେଶ୍ୱର ଆହତ ହୋଇ ପୁରୀରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଅନ୍ୟଗୋଷ୍ଠୀର ସମୀର ଓରଫ ଜୁଏଲକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ତେବେ ମାର୍କେଟ ଛକ ଅଞ୍ଚଳଟି ଜନଗହଳି ପୁର୍ଣ୍ଣ ଅଞ୍ଚଳ ଏବଂ ଶ୍ରୀମନ୍ଦିର ଠାରୁ ମାତ୍ର ୫୦୦ ମିଟର ମଧ୍ୟରେ ହୋଇଥିବା ବେଳେ ସେଠାରେ ପୋଲିସ ଟ୍ରାଫିକ ପ୍ରହରା ମଧ୍ୟ ରହିଥାଏ । ଏଭଳି ଅଞ୍ଚଳରେ ଖଣ୍ଡା ବୁଲିବା ନେଇ ସହର ବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ସେପଟେ ପୋଲିସ ତରଫରୁ ଛାନଭିନ ଆରମ୍ଭ ହୋଇଥିବା ବେଳେ ୨ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।