୧୦ ବର୍ଷ ର ଅପେକ୍ଷା…ସାବିତ୍ରୀଙ୍କ ପାଖକୁ ଫେରିଲେ ସତ୍ୟବାନ୍‌

0
80
୧୦ ବର୍ଷ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୧୯/୦୫) : ସାବିତ୍ରୀ…ସ୍ୱାମୀ ସତ୍ୟବାନ୍‌ଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇ ଆଣିଥିଲେ । ହେଲେ ଆମେ ଆପଣଙ୍କୁ ଏମିତି ଜଣେ ସାବିତ୍ରୀଙ୍କ କଥା କହିବୁ, ଯିଏ ସ୍ୱାମୀଙ୍କ ବାଟକୁ ୧୦ ବର୍ଷ ହେଲା ଚାହିଁ ରହିଥିଲେ ।

ସ୍ୱାମୀ ଫେରିବେ, ସ୍ୱାମୀ ଆସିବେ ଏହି ଆଶାରେ ବିତିଗଲା ତାଙ୍କର ୧୦ ବର୍ଷ । ସତକୁ ସତ ସ୍ୱାମୀ ମଧ୍ୟ ଫେରିଲେ । ସ୍ୱାମୀ ଯାଇଥିଲେ ତ ଯାଇଥିଲେ ଆଉ ଘରକୁ ଫେରିନଥିଲେ । ହେଲେ ଶେଷରେ ସ୍ତ୍ରୀର ନିଷ୍ଠା ଓ ପ୍ରାର୍ଥନା ସତ ପ୍ରମାଣିତ ହୋଇଛି । ଆଉ ସ୍ୱାମୀ ଫେରିବା ପରେ ଘରେ ଖୁସି କହିଲେ ନସରେ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଯତିନ୍ଦ୍ର ବେହେରା ୧୦ ବର୍ଷ ପରେ ଘରକୁ ଫେରିଛନ୍ତି । ଘରକୁ ଫେରିବା ପରେ ପରିବାରରେ ଖୁସିର ମାହୋଳ ଖେଳି ଯାଇଛି । ହେଲେ ଏହି ୧୦ ‍ବର୍ଷ ତାଙ୍କ ବାଟ ଚାହିଁ ବସିଥିଲେ ପତ୍ନୀ, ମା’, ଝିଅ ଓ ପୁଅ । ନିଇତି ପୁଅକୁ ମନେ ପକାଇ ମା’ ଆଖିର ଲୁହ ଯେମିତି ଶୁଖି ଯାଇଥିଲା । ସ୍ତ୍ରୀ ମଧ୍ୟ ସେମିତି ଚାତକ ପରି ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ। ପୁଅ ଓ ଝିଅ ମଧ୍ୟ ଏବେ ବାପାଙ୍କୁ ପାଖରୁ ପାଇ ବେଶ୍ ଖୁସି ।

୨୦୧୩ ମସିହା ଅକ୍ଟୋବର ମାସରେ ଛେଣ୍ଡିପଦାର ଯତିନ୍ଦ୍ର ଝିଅର ଜନ୍ମଦିନରେ ହିଁ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ଅନେକ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ପତ୍ତା ମିଳି ପାରିନଥିଲା । ପୋଲିସରେ ଏତଲା ପରେ ବି ତାଙ୍କ ଖୋଜ ଖବର ପାଇନଥିଲେ କେହି । ତଥାପି ଆଶା ଛାଡ଼ି ନ ଥିଲେ ଯତୀନ୍ଦ୍ରଙ୍କ ମା’ ଯଶୋଦା ଓ ସ୍ତ୍ରୀ ଆରତି ବେହେରା। ଯତୀନ୍ଦ୍ର ଯେ ଦିନେ ନିଶ୍ଚିତ ଘରକୁ ଫେରିବେ ସେହି ବିଶ୍ୱାସକୁ ଭରସା କରି ଅପେକ୍ଷା କରିଥିଲେ ପରିବାର ଲୋକ । ଯତୀନ୍ଦ୍ରଙ୍କ ମାନସିକ ଅବସ୍ଥା ଭଲ ନଥିବାରୁ ପରିବାର ଲୋକେ ତାଙ୍କୁ ନେଇ ଚିନ୍ତିତ ଥିଲେ। ତେବେ ସ୍ୱାମୀ ଘରୁ ଚାଲିଯିବା ପରେ ଯତିନ୍ଦ୍ରଙ୍କ ପତ୍ନୀ ଏକାକୀ ୧୮ ମାସର ପୁଅ, ୫ ବର୍ଷ ଝିଅ ଓ ଶାଶୁଙ୍କ ଦାୟିତ୍ୱ ସମ୍ଭାଳିବା ସହ ଘର ଚଳାଉ ଥିଲେ ।

ଯତିନ୍ଦ୍ରଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ କୌଣସି ପ୍ରକାରେ ସେ ମଧ୍ୟପ୍ରଦେଶ ଚାଲି ଯାଇଥିଲେ । ସେଠାରେ ଏକ ଢାବାରେ କାମ କରି ଜୀବନ ନିର୍ବାହ କରୁଥିଲେ। ହଠାତ୍‌ ଜଣେ ଓଡ଼ିଆ ଟ୍ରକ୍‌ ଡ୍ରାଇଭରଙ୍କ ସହ ତାଙ୍କର ଭେଟ ହୋଇଥିଲା । ଏହାପରେ ଦୀର୍ଘ ୧୦ ବର୍ଷ ପରେ ପରିବାର ଲୋକଙ୍କ ଉଦ୍ଦେଶ୍ୟରେ ଯତିନ୍ଦ୍ର ଚିଠି ଲେଖିଥିଲେ । ସମ୍ପୃକ୍ତ ଟ୍ରକ୍‌ ଡ୍ରାଇଭର ଅନ୍ୟ ଜଣେ ଟ୍ରକ୍ ଡ୍ରାଇଭରଙ୍କ ସହାୟତାରେ ଯତିନ୍ଦ୍ରଙ୍କ ଚିଠିକୁ ତାଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚାଇ ଥିଲେ । ଏହା ଜାଣିବା ପରେ ଯତିନ୍ଦ୍ରଙ୍କ ପରିବାର ଲୋକ ଛେଣ୍ଡିପଦା ପଞ୍ଚାୟତର ସରପଞ୍ଚଙ୍କୁ ଜଣାଇଥିଲେ । ଏ ନେଇ ସରପଞ୍ଚ ଓ ଯତିନ୍ଦ୍ରଙ୍କ ପରିବାର ଲୋକ ଛେଣ୍ଡିପଦା ଥାନା ସହ ଯୋଗାଯୋଗ କରିଥିଲେ । ଥାନାଧିକାରୀ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏକ ପୋଲିସ୍‌ ଟିମ୍‌ ସହାୟତାରେ ଯତିନ୍ଦ୍ରଙ୍କ ପରିବାରର ସଦସ୍ୟଙ୍କ ସହ ଗତ ୧୪ ତାରିଖରେ ମଧ୍ୟପ୍ରଦେଶ ଯାତ୍ରା କରିଥିଲେ । ଶେଷରେ ସ୍ଥାନୀୟ ପୋଲିସ୍‌ ସହାୟତାରେ ଯତୀନ୍ଦ୍ରଙ୍କୁ ଉଦ୍ଧାର କରାଯାଇ ଘରକୁ ଫେରାଇ ଆଣିଥିଲେ । ବିଶ୍ୱାସ ଥିଲେ ସ୍ୱାମୀ ଫେରିବେ, ଭରସା ଥିଲା ସେ ଆସିବେ ଆଉ ୧୦ ବର୍ଷ ପରେ ସେସବୁ ସତ ହୋଇଛି ।