ଆବାସ ଯୋଜନାରୁ ବଞ୍ଚିତ ଗୋବର୍ଦ୍ଧନ, ସରକାରୀ ଯୋଜନା ମାଳମାଳ ଘୋଟାଲା ପ୍ରବଳ

0
72
ଆବାସ ଯୋଜନାରୁ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୨/୬) : ଆବାସ ଯୋଜନାରୁ ବଞ୍ଚିତ ଗୋବର୍ଦ୍ଧନ । ମଣିଷ ଜୀବନରେ ଅନେକ ସ୍ବପ୍ନ ଦେଖେ, କିନ୍ତୁ ସମାଜରେ ମୁଣ୍ଡଟେକି ବଞ୍ଚିବାକୁ ଖାଦ୍ୟ, ପୋଷାକ ଓ ବାସଗୃହ ଏହି ତିନୋଟିର ଆବଶ୍ୟକତା ରହିଛି ।WhatsApp Image 2023 06 12 at 14.42.22 ଆବାସ ଯୋଜନାରୁ ବଞ୍ଚିତ ଗୋବର୍ଦ୍ଧନ, ସରକାରୀ ଯୋଜନା ମାଳମାଳ ଘୋଟାଲା ପ୍ରବଳ

ଏଥିପାଇଁ ସରକାର ସମୟାନୁକ୍ରମେ ଅନେକ ଯୋଜନା ପ୍ରଣୟନ କରିବା ସହ ଗରିବ ଲୋକଙ୍କ ପାଇଁ ଅନେକ ସୁବିଧା କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ଚିତ୍ର କିଛି ଅଲଗା । ଦୁଃଖୀ, ଦରିଦ୍ର ଓ ନିରାଶ୍ରୟ ମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ବାହାସ୍ଫଟ ମାରୁଥିବା ବେଳେ ଆଜି ବି ଲୋକେ ଛିଣ୍ଡା ପାଲ ତଳେ ଓ ଭଙ୍ଗା କୁଡ଼ିଆରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ଏଭଳି ଏକ ହୃଦୟସ୍ପର୍ଶି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଜାତିଲି ପଞ୍ଚାୟତ ଅଧିନସ୍ଥ ଜଗନ୍ନାଥପୁର ଗ୍ରାମରେ । ଦିର୍ଘ ୪୦ ବର୍ଷ ହେଲା ଜଗନ୍ନାଥପୁର ଗ୍ରାମରେ ପତ୍ନୀ ଓ ତିନି ଝିଅଙ୍କ ସହ ବାସ କରନ୍ତି ଗୋବର୍ଦ୍ଧନ ଶବର । ଗତ ପାଞ୍ଚ ବର୍ଷ ତଳେ ରୋଗରେ ପଡି ପତ୍ନୀ ଙ୍କ ଦେହାନ୍ତ ହେଇଯାଇଥିଲା । ଯାହା ଜମି ଖଣ୍ଡିଏ ଥିଲା ସରକାରୀ କେନାଲରେ ଅଧା ଚାଲିଗଲା ଯାହା ବାକି ଥିଲା ସ୍ତ୍ରୀର ଚିକିତ୍ସା ପାଇଁ ବିକ୍ରି ହୋଇଗଲା । ଦୁଃଖ କଷ୍ଟ ଓ ଧାର ଉଧାର କରି ଦୁଇ ଝିଅଙ୍କ ବାହାଘର କରିଛନ୍ତି । ବର୍ତ୍ତମାନ ଅସହାୟ ଗୋବର୍ଦ୍ଧନ ସାନ ଝିଅ ସହ ଭଙ୍ଗା କୁଡ଼ିଆରେ ପଡିରହିଛନ୍ତି । ସରପଞ୍ଚ ଠାରୁ ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ଗୁହାରି କରିଛନ୍ତି ଘର ଖଣ୍ଡିଏ ପାଇଁ କିନ୍ତୁ ଆଜି ଯାଏଁ ଘର ମିଳିଲା ନାହିଁ । ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି ଗୋବର୍ଦ୍ଧନ । ପୂର୍ବରୁ ଥରେ କାଳବୈଶାଖୀ ବର୍ଷା ଯୋଗୁଁ ଘରର ଛାତ ସମ୍ପୁର୍ଣ୍ଣ ଉଡ଼ି ପ୍ରାୟ ୧୦୦ ମିଟର ଦୂରରେ ପଡ଼ିଥିଲା ।

୮ ଦିନ କାଳ ବିନା ଛାତରେ ପୁରା ପରିବାର ଖରା ବର୍ଷାରେ ବିତାଇଥିଲେ, କିନ୍ତୁ ସରକାରଙ୍କ କୌଣସି ସହାୟତା ମିଳିପାରିନଥିଲା । ଶେଷରେ ଧାର କରଜ କରି ଘର ଛାତ ସଜାଡି ଥିଲେ । ଏହି ଦୃଶ୍ୟ ଆମେ ଦେଖାଇବାର ମୂଖ୍ୟ କାରଣ ହେଲା ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ନିଦ ଯଦି ଭାଙ୍ଗି ଯାଆନ୍ତା ତେବେ ଏଭଳି ଅସହାୟ ଗୋବର୍ଦ୍ଧନଙ୍କ ପରି ଆହୁରି ଅନେକ ଲୋକ ସରକାରଙ୍କ ଯୋଜନା ଅନୁସାରେ ଘର ଖଣ୍ଡେ ପାଇ ପାରନ୍ତେ । ଫଳରେ ବାକି ଜୀବନ ଖରା ବର୍ଷାରୁ ରକ୍ଷା ପାଇ ପାରନ୍ତେ ।

ଯେତେବେଳେ ସରକାରଙ୍କ ଆବାସ ଯୋଜନା ଆସେ ବାରମ୍ବାର ଅଭିଯୋଗ ହୁଏ କି ରାଜନୈତିକ ଦଲାଲ ମାନେ ଏହାର ସୁବିଧା ନିଜ ଦଳୀୟ ଲୋକଙ୍କୁ ଦେଇଥାନ୍ତି । ଗୋଟିଏ ଘରେ ବାପା ପୁଅ ଝିଅ ପାଉଥିବା ବେଳେ ପ୍ରକୃତ ହିତାଧିକାରୀ ଏହି ସୁବିଧାରୁ ବଞ୍ଚିତ ରହୁଛନ୍ତି । ଅନେକ ସମୟରେ ଲାଞ୍ଚ ଦେଇ ନପାରିବାରୁ ମଧ୍ୟ ପ୍ରକୃତ ହିତାଧିକାରୀ ଏହି ସୁବିଧା ପାଉନାହାଁନ୍ତି । ଏଭଳି ଅଭିଯୋଗ ବାରମ୍ବାର ହେଊଥିଲେ ମଧ୍ୟ ସମସ୍ତେ ନିରବ । କେବେ ଏହି ପରିସ୍ଥିତି ବଦଳିବ ତାହା ସମୟ କହିବ । କେବେ ଗରିବଟିଏ ନିଜ ଅଧିକାର ପାଇବ ତାହା ଦେଖିବାକୁ ବାକି ରହିଲା ।