ବେସରକାରୀ ବସ୍ ଉପରେ ଚଢ଼ାଉ ଓ ଜୋରିମାନା

0
57

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୭) : ଚଳାଚଳ ଉପଯୋଗିତା ହରାଇଥିବା ଏକ ବସ୍ କୁ ବେସରକାରୀ ସ୍ମାର୍ଟ ପବ୍ଲିକ ସ୍କୁଲ ଅବୈଧ ଭାବେ ସ୍କୁଲବସ୍ ରୂପେ ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ତାକୁ ନେଇ ୨୭ ତାରିଖ ଗୁରୁବାର ଦିନ ଉକ୍ତ ବସ୍ ଉପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏକ ଟିମ୍ ଅଚାନକ ଚଢ଼ାଉ କରିଥିବା ଜଣା ପଡିଛି ।

ତେବେ କୌଣସି ସୂତ୍ରରୁ ସୂଚନା ପାଇ ଚଢ଼ାଉର ଅବ୍ୟବହିତ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ବସ୍ ରୁ ଓହ୍ଲାଇ ଦିଆ ଯାଇଥିଲା । ଡ୍ରାଇଭରଙ୍କୁ ବି ଟିମ୍ ରେ ଥିବା ଇନ୍ସପେକ୍ଟର ଓ କର୍ମଚାରୀମାନେ କାବୁ କରି ପାରିନଥିଲେ । ଡ୍ରାଇଭର ଜଣକ ଉଲ୍ଲିଖିତ ସ୍କୁଲ୍ ସମ୍ମୁଖସ୍ଥ ଘଟଣାସ୍ଥଳରୁ ଠିକ୍ ଚଢ଼ାଉ ଆଗରୁ ଖସି ଯାଇଥିଲେ ବୋଲି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୂତ୍ରରୁ ଜଣା ପଡିଛି । ଚଢ଼ାଉର ନେତୃତ୍ୱ ନେଇଥିବା ଇନ୍ସପେକ୍ଟରଙ୍କ କହିବା ଅନୁଯାୟୀ ଡ୍ରାଇଭର ଖସି ଯାଇଥିଲେ ବି ଉକ୍ତ ବସ ଉପରେ ପନ୍ଦର ହଜାର ଟଙ୍କା ଜୋରିମାନା ଲଗା ଯାଇଛି । ତଦନ୍ତରେ ସ୍କୁଲ କର୍ତ୍ତୃପକ୍ଷ ସହଯୋଗ କରୁ ନଥିବା ନେଇ ଆଞ୍ଚଳିକ ପରିବହନ କର୍ମଚାରୀଙ୍କ ସୂତ୍ରରୁ ଜଣାପଡିଥିଲା ।

ସ୍କୁଲ ଅଧ୍ୟକ୍ଷଙ୍କ ସହ ଏ ସମ୍ପର୍କରେ ଯୋଗାଯୋଗ ବେଳେ ସେ କାନ୍ଧରୁ ଦାୟିତ୍ୱ ଖସାଇବା ପାଇଁ ଉଦ୍ୟମ କରିଥିଲେ । ସ୍କୁଲ ଭିତରେ ଯାହା ଘଟୁଛି ବା ଘଟିବ, ସେଥିପାଇଁ ସେ ଆଇନତଃ ଦାୟୀ, କିନ୍ତୁ ସ୍କୁଲ୍ ବାହାରର ଘଟଣା ପାଇଁ ତାଙ୍କୁ ପ୍ରଶ୍ନ କରାଯିବା ଅନୁଚିତ ବୋଲି କହିଥିଲେ । ସମ୍ପୃକ୍ତ ପିତା ମାତା ଅଭିଭାବକ କିନ୍ତୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଯଦି ଉକ୍ତ ବିବାଦୀୟ ସ୍କୁଲ ବସ୍ ରେ ଯିବା ଆସିବା ବେଳେ ପିଲାମାନଙ୍କର କୌଣସି କ୍ଷତି ହୁଏ ତେବେ ସ୍କୁଲ୍ କର୍ତ୍ତୃପକ୍ଷ ହିଁ ସେଥିପାଇଁ ଦାୟୀ ରହିବେ ବୋଲି ମତ ପ୍ରକାଶ ପାଇଛି । ବସ୍ ବଦଳାଯିବା ଉପରେ ବୁଦ୍ଧିଜୀବୀ ଗୁରୁତ୍ୱ ଆରୋପ କରିଛନ୍ତି ।